November 3, 2026

ବାତ୍ୟା ‘ଅର୍ଣ୍ଣବ’ ଜନିତ କ୍ଷୟକ୍ଷତି ଆକଳନ ପାଇଁ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳର ଗଜପତି ଜିଲ୍ଲା ଗସ୍ତ

IMG-20261103-WA0088
Share

 

ପାରଳାଖେମୁଣ୍ଡି,ତା. ୦୩.୧୧.୨୦୨୬

 

ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ବନ୍ୟା ଯୋଗୁଁ ଗଜପତି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ୮ ଜଣିଆ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଆଜି ଜିଲ୍ଲା ଗସ୍ତରେ ଆସି ସମୀକ୍ଷା କରିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ରବି ଶଙ୍କରଙ୍କ ନେତୃତ୍ୱରେ ଏହି ଦଳ ଜିଲ୍ଲା ପରିଦର୍ଶନ କରିଥିଲେ। ଦଳରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗର ଧାନ ବିକାଶ ପାଟଣା ନିର୍ଦ୍ଦେଶକ ଡ.ମାନସ ସିଂ, କେନ୍ଦ୍ରୀୟ ବ୍ୟୟ ବିଭାଗ, ଅର୍ଥ ମନ୍ତ୍ରଣାଳୟର ଉପନିର୍ଦ୍ଦେଶକ ଶ୍ରୀ ରାହୁଲ ଚୌରସିଆ, ଜଳଶକ୍ତି ମନ୍ତ୍ରଣାଳୟ CWC ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀ ଦିଲୀପ କୁମାର ଜେନା, ଶକ୍ତି ବିଭାଗ, ସିଇଏ ଆର.କେ ପୁରମ ନୂଆଦିଲ୍ଲୀ ଉପନିର୍ଦ୍ଦେଶକ ଶ୍ରୀ କରଣ ସରେନ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଅଧୀକ୍ଷଣ ଯନ୍ତ୍ରୀ ଭୁବନେଶ୍ୱର ଶ୍ରୀ ସୁନୀଲ କୁମାର, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସଚିବ ନୂଆଦିଲ୍ଲୀ ଶ୍ରୀ ଅଜୟ କୁମାର ସାହୁ ଏବଂ ଜାତୀୟ ସୁଦୂର ସମ୍ବେଦନ କେନ୍ଦ୍ର (NRSC), ISROର ବୈଜ୍ଞାନିକ ଶ୍ରୀ ସି. ସାଇ କ୍ରିଷ୍ଣା ଉପସ୍ଥିତ ଥିଲେ।

ଏହି ଅବସରରେ ଇଡ୍‌କୋର ମୁଖ୍ୟ ଜେନେରାଲ ମ୍ୟାନେଜର ଶ୍ରୀ ସରୋଜ କୁମାର ସାହୁ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବ୍ରହ୍ମପୁର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ପ୍ରସ୍ତୁତ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଜିଲ୍ଲାପାଳ କେନ୍ଦ୍ରୀୟ ଦଳକୁ ବାତ୍ୟା ଜନିତ କ୍ଷୟକ୍ଷତି ଓ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ବାତ୍ୟା ଯୋଗୁଁ ଗଜପତି ଜିଲ୍ଲାର ୧୩୦ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୪୭ଟି ୱାର୍ଡର ଗ୍ରାମ ପ୍ରଭାବିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୪୭ଟି ସାମ୍ଭାବ୍ୟ ଭୂସ୍ଖଳନ ଚିହ୍ନଟ କରାଯାଇଥିବା ବେଳେ ୧୩ଟି ବିଭିନ୍ନ ସ୍ଥାନରେ ଛୋଟବଡ଼ ଭୂସ୍ଖଳନ ହୋଇଥିବା ଅବଗତ କରାଯାଇଥିଲା । ସେହିପରି ୧୨୩୨ଟି ଘର ଭାଙ୍ଗିଥିବା ସୂଚନା ଦିଆଯାଇଥିଲା। ବାତ୍ୟା ସମୟରେ ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ୩୫,୦୧୪ ଜଣଙ୍କୁ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯିବା ସହ ସେମାନଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଥିଲା।

ଆଜିର ଗସ୍ତ ସମୟରେ କେନ୍ଦ୍ରୀୟ ଦଳ ଗୋସାଣୀ, ରାୟଗଡ଼, ଆର୍‌.ଉଦୟଗିରି ଓ ମୋହନା ବ୍ଲକ୍‌ର ବାତ୍ୟା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ବିଶେଷକରି କୃଷି, ଫସଲ, ରାସ୍ତାଘାଟ, ବିଦ୍ୟୁତ୍‌ ଭିତ୍ତିଭୂମି, ଜଳସମ୍ପଦ ଓ ଅନ୍ୟାନ୍ୟ ଜରୁରୀ ସେବା କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିଥିଲେ। କ୍ଷେତ୍ର ପରିଦର୍ଶନ ସମୟରେ କେନ୍ଦ୍ରୀୟ ଦଳ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ଉଦ୍ଧାର, ରିଲିଫ୍‌ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସହାୟତା ଏବଂ ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲେ। ଏହି ସମୟରେ ଆବଶ୍ୟକୀୟ ପୁନରୁଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବାତ୍ୟା ସମୟରେ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗ ଏକ ଟିମ୍ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ସହ ଉଦ୍ଧାର, ରିଲିଫ୍‌ ଓ ଥଇଥାନ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିଥିବାରୁ କେନ୍ଦ୍ରୀୟ ଦଳ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଓ ଶ୍ରୀ ମୁନିଦ୍ର ହୋନନାଗା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ସୁଶ୍ରୀ ଭାଗବତ ସାମଲ କଲ୍ୟାଣ ରାଓ ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ

You may have missed