ଆମ୍ ଆଦମୀ ପାର୍ଟି ଭୁବନେଶ୍ବର ସଙ୍ଗଠନ ତରଫରୁ ଗାନ୍ଧୀ ଜୟନ୍ତୀ ଅବସରରେ ଭୋଟ୍ ଚୋରୀର ଆରୋପୀ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କର ଅଭିନବ ଢଙ୍ଗରେ ଇସ୍ତଫା ଦାବୀ
ଭୁବନେଶ୍ୱର ( ଦେବାଶିଷ ଦାଶ )
ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଛକଠାରେ ଆମ୍ ଆଦମୀ ପାର୍ଟି (ଆପ୍) ଓଡ଼ିଶା ପକ୍ଷରୁ ଭୋଟ୍ ଚୋରି ବିରୋଧରେ ଏକ ଅଭିନବ ଢଙ୍ଗରେ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ଦଳର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗଦେଇ ଭୋଟରଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଏବଂ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ। ସଭାରେ ଶ୍ରୀ ମହାପାତ୍ର ଅଭିଯୋଗ କରିଥିଲେ ଯେ, ନରେନ୍ଦ୍ର ମୋଦୀ ସରକାରଙ୍କ ଅମଳରେ ଭୋଟ୍ ଚୋରି ଏବଂ ନିର୍ବାଚନୀ ପ୍ରକ୍ରିୟାର ଦୁରୁପଯୋଗ ମାଧ୍ୟମରେ ବିଭିନ୍ନ ରାଜ୍ୟରେ ଅଣ-ବିଜେପି ସରକାରଗୁଡ଼ିକୁ ହଟାଇବା ପାଇଁ ଉଦ୍ୟମ କରାଯାଉଛି। ଏହା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ନାଗରିକଙ୍କ ମତଦାନ ଅଧିକାର ପ୍ରତି ଗୁରୁତର ପ୍ରଶ୍ନ ସୃଷ୍ଟି କରୁଛି ବୋଲି ସେ ମତପ୍ରକାଶ କରିଥିଲେ। ସେହିପରି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଉଦବେଗ ପ୍ରକାଶ କରି ଶ୍ରୀ ମହାପାତ୍ର ଅଭିଯୋଗ କରିଥିଲେ ଯେ, ଏହି ପ୍ରକ୍ରିୟାରେ ଦେଶର ପ୍ରାୟ ୧୩କୋଟି ୩୪ଲକ୍ଷ ଭୋଟରଙ୍କୁ ବାଦ୍ ଦିଆଯାଇ ସେମାନଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଇଛି। ଏହି ଅଭିଯୋଗର ଉଚିତ୍ ତଦନ୍ତ ଓ ଭୋଟରଙ୍କ ଅଧିକାରର ସୁରକ୍ଷା ଆବଶ୍ୟକ ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଆମ୍ ଆଦମୀ ପାର୍ଟି ଆନ୍ଦୋଲନକୁ ଆହୁରି ତୀବ୍ର କରିବ ବୋଲି ରାଜ୍ୟ ସଭାପତି ଚେତାବନୀ ଦେଇଥିଲେ।
ପ୍ରତିବାଦ ସଭାରେ ମୁଖ୍ୟ ଆକର୍ଷଣ ଥିଲା ତିନୋଟି ମାଙ୍କଡ଼ଙ୍କ ପ୍ରତୀକାତ୍ମକ ଉପସ୍ଥାପନା। ଏହି ମାଙ୍କଡ଼ ମାନଙ୍କୁ ନରେନ୍ଦ୍ର ମୋଦି, ଅମିତ୍ ଶାହ ଓ ଜ୍ଞାନେଶ କୁମାରଙ୍କ ପ୍ରତୀକ ଭାବେ ଦର୍ଶାଯାଇ ଦଳ ପକ୍ଷରୁ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଥିଲା। ଭୋଟ ଚୋରିକୁ ଜ୍ଞାନେଶ କୁମାରଙ୍କ ମାଧ୍ଯମରେ କିଭଳି ନରେନ୍ଦ୍ର ମୋଦି ଏଵଂ ଅମିତ୍ ଶାହ କ୍ଷମତା ଅକ୍ତିଆର କରିବାର ଯୋଜନାରେ ସଫଳ ହେଉଛନ୍ତି ତାହା ଏହି ପ୍ରତୀକାତ୍ମକ ପ୍ରଦର୍ଶନ ମାଧ୍ଯମରେ ଉପସ୍ଥାପନ କରାଯାଇଥିଲା।
ଏହି ଅବସରରେ ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ୍, ଶ୍ରୀ ଶ୍ରୀକାନ୍ତ ପାଣି, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ, ଶ୍ରୀ ଲଳିତ ଅଧିକାରୀ,ଶ୍ରୀ ଶୈଳେନ୍ଦ୍ର ସ୍ୱାଇଁ, ଶ୍ରୀ ଲଲାଟ ଜେନା, ଶ୍ରୀ ଶାରଦା ଦାଶ, ଶ୍ରୀ ସଂଜୀବ ମହାନ୍ତି, ଶ୍ରୀମତୀ ଜ୍ୟୋତିର୍ମୟୀ ନାୟକ, ଶ୍ରୀମତୀ ଅଞ୍ଜଳି ନାଥ, ଶ୍ରୀ ଜୟରାମ ମଲ୍ଲିକ,ଶ୍ରୀ ସୁପ୍ରାଜ୍ ଦିଗାଲ୍, ଶ୍ରୀ ସଲମାନ୍ ଖାନଙ୍କ ସମେତ ଭୁବନେଶ୍ବର ସଙ୍ଗଠନର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଭୋଟ ଚୋରି ଘଟଣାର ମୁଖ୍ୟ ଆରୋପୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ।
