October 3, 2026

ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ

IMG-20261002-WA0093
Share

 

ସମ୍ବଲପୁର, ୦୨/୧୦: ଗାନ୍ଧୀ ଜୟନ୍ତୀ ଅବସରରେ ସମାଜର ବିଶେଷ ଅସୁବିଧାରେ ଥିବା ଶିଶୁଙ୍କ ପାଖରେ ସହାୟତାର ହାତ ବଢ଼ାଇଛି ଆଦର୍ଶ ଅନୁଷ୍ଠାନ। ଜଷ୍ଟ ରାଇଟ୍ସ ଫର ଚିଲ୍ଡ୍ରେନ୍‌ର ସହଯୋଗରେ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଏକ ଶିଶୁ ସହାୟତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

 

କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ସୁରକ୍ଷା ଓ ଅଧିକାର ପ୍ରତି ସମାଜର ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ସେ ଉପସ୍ଥିତ ସମସ୍ତଙ୍କୁ ଶିଶୁ ସୁରକ୍ଷା ସମ୍ପର୍କିତ ପାଞ୍ଚଟି ମୁଖ୍ୟ ପ୍ରତିବଦ୍ଧତା ନେଇ ଶପଥ ପାଠ କରାଇଥିଲେ।

 

ଶପଥରେ ନିଜ ଅଞ୍ଚଳରେ ବାଲ୍ୟବିବାହକୁ ପ୍ରୋତ୍ସାହନ ନ ଦେବା ଓ ରୋକିବା, ସମସ୍ତ ଯୋଗ୍ୟ ଶିଶୁଙ୍କୁ ବିଦ୍ୟାଳୟକୁ ପଠାଇବା, କୌଣସି ଶିଶୁଙ୍କୁ ଶିଶୁଶ୍ରମିକ ଭାବେ କାମରେ ନ ଲଗାଇବା, ଗରିବ ଓ ଅସହାୟ ଶିଶୁଙ୍କୁ ସହାୟତା କରିବା ସହ ଜିଲ୍ଲାର ପ୍ରତ୍ୟେକ ଶିଶୁ ସୁଖ, ଶାନ୍ତି ଓ ନିରାପଦ ପରିବେଶରେ ବଢ଼ିବା ପାଇଁ ସମ୍ବେଦନଶୀଳ ଓ ଯତ୍ନବାନ ହେବାର ସଂକଳ୍ପ ନିଆଯାଇଥିଲା।

 

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଜୟନାରାୟଣ ମିଶ୍ର ୩୬ ଜଣ ଅସହାୟ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ କରିଥିଲେ। ଶିଶୁଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଓ ଆପଣାପଣିଆର ଭାବ ସୃଷ୍ଟି କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

 

ଆୟୋଜିତ କାର୍ଯ୍ୟକ୍ରମରେ ଗୋବିନ୍ଦ ଅଗ୍ରୱାଲ, ସୁଶାନ୍ତ ପୁରୋହିତ, ସାମ୍ବାଦିକ ପ୍ରଫୁଲ୍ଲ ଦାଶ ଏବଂ ଆଭାର ମିନତୀ ନାଗ ଯୋଗଦେଇ ଶିଶୁଙ୍କ ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ।

 

କାର୍ଯ୍ୟକ୍ରମକୁ ଆଦର୍ଶ ଅନୁଷ୍ଠାନର ପ୍ରଦୀପ କୁମାର ବେହେରା ସଂଯୋଜନା କରିଥିଲେ। ରଞ୍ଜନ ଭୋଇ, ଉମାଶଙ୍କର ଜେନା, ଚିତ୍ତରଞ୍ଜନ ପଧାନ, ସୁନୀଲ ବେହେରା, ଭକ୍ତି ଜେନା, ମନୋରଞ୍ଜନ ମହାକୁଡ଼, ଲୀନାରାଣୀ ତ୍ରିପାଠୀ, ରୀତିକା ମୁଣ୍ଡା, ସୀମା ପଧାନ ଓ ଅଲିଶା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପ୍ରଫୁଲ୍ଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।