¸ଗାନ୍ଧୀ-ଶାସ୍ତ୍ରୀଙ୍କ ଜୀବନାଦର୍ଶରୁ ଶିକ୍ଷାର୍ଥୀ ନିଅନ୍ତୁ ପ୍ରେରଣା ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ
ସମ୍ବଲପୁର, ୦୨.୧୦: ଯୁଯୁମୁରା ବ୍ଲକ ଅନ୍ତର୍ଗତ ମହୁଲପାଲି ଫୁଲଝରଣସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ମହାତ୍ମା ଗାନ୍ଧୀ ଓ ଭାରତରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଭାବାବେଗର ସହିତ ପାଳିତ ହୋଇଛି।
ଅନୁଷ୍ଠାନର ଅଧ୍ୟକ୍ଷା ସନ୍ଦ୍ୟାରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଗଙ୍ଗାଧର ମେହେର ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ଡ. କାମଦେବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନ, ସଂଘର୍ଷ ଓ ଦେଶ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ। ଦୁଇ ମହାପୁରୁଷଙ୍କ ତ୍ୟାଗ, ସରଳ ଜୀବନ ଓ ଦେଶପ୍ରତି ସମର୍ପଣ ଆଜିର ପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ।ମୁଖ୍ୟବକ୍ତା ଭାବେ ସମାଜସେବୀ ତଥା ସମ୍ବଲପୁର ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ରାଜାରାମ ଷଡ଼ଙ୍ଗୀ ଯୋଗଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ସ୍ୱାଧୀନତା ସଂଗ୍ରାମର ଭୂମିକା ସହିତ ଗାନ୍ଧୀଜୀଙ୍କ ସ୍ୱଚ୍ଛତା ଚିନ୍ତାଧାରା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ସ୍ୱଚ୍ଛତା କେବଳ ନିଜ ଘର ବା ଆଖପାଖ ପରିବେଶକୁ ସଫା ରଖିବା ନୁହେଁ, ବରଂ ସ୍ୱଚ୍ଛ ଚିନ୍ତାଧାରା, ସୁସ୍ଥ ସାମାଜିକ ପରିବେଶ ଓ ଦାୟିତ୍ୱବୋଧ ସହିତ ଜଡ଼ିତ ବୋଲି ସେ କହିଥିଲେ।ପରିବେଶ ସୁରକ୍ଷା, ସାମାଜିକ ସ୍ୱଚ୍ଛତା ଓ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱ ବୁଝି ଏହାକୁ ନିଜ ଜୀବନର ଅଂଶ କରିବା ପାଇଁ ସେ ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଜୀବନରୁ ହିଁ ଭଲ ଅଭ୍ୟାସ ଗଢ଼ି ଉଠିଲେ ତାହା ଭବିଷ୍ୟତରେ ଦାୟିତ୍ୱବାନ ନାଗରିକ ଗଠନରେ ସହାୟକ ହେବ ବୋଲି ସେ ମତ ଦେଇଥିଲେ।ସମ୍ମାନିତ ବକ୍ତା ଭାବେ ବସିଆପଡ଼ା ଆୟୁର୍ବେଦ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଭାକର ପ୍ରଧାନ ଯୋଗଦେଇ ଦୁଇ ମହାପୁରୁଷଙ୍କ ଜୀବନଦର୍ଶନ ଓ ଆଦର୍ଶ ଶିକ୍ଷାର୍ଥୀମାନଙ୍କ ପାଇଁ କିପରି ଜୀବନରେ ପ୍ରେରଣାର ଉତ୍ସ ହୋଇପାରିବ, ସେ ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା କୁଳଧର ପ୍ରଧାନ ସଂଯୋଜନା କରିଥିବା ବେଳେ ଅନ୍ୟତମ ଉପଦେଷ୍ଟା ଚିନ୍ତାମଣି ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।ଗାନ୍ଧୀଜୀଙ୍କ ସ୍ୱଚ୍ଛତାର ବାର୍ତ୍ତା ଓ ଶାସ୍ତ୍ରୀଜୀଙ୍କ ସରଳତା, ତ୍ୟାଗ ଓ ଦେଶପ୍ରେମର ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରିବା ପାଇଁ ଏହି ଅବସରରେ ଶିକ୍ଷାର୍ଥୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା।
