October 3, 2026

ବରପାଲି ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି 

IMG-20261002-WA0092
Share

 

 

 

ବରପାଲି : (ସୁଦାମ ଦୀପ) ବରପାଲି ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବାବେଳେ ଟ୍ରାଫିକ୍ ସମସ୍ୟାର ସମାଧାନ ଓ ଭାରୀ ଯାନବାହନ ପାଇଁ ବିକଳ୍ପ ରାସ୍ତାରେ ଡାଇଭର୍ସନ୍‌ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏନେଇ ଜଗନ୍ନାଥ ନଗର ଦୁର୍ଗା ପୂଜା କମିଟିର ସଭାପତି ତଥା ବିଜୁ ଯୁବ ଜନତା ଦଳର ବରଗଡ଼ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ବରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହାର ନକଲ ବିଜେପୁର ବିଧାୟକ ସନତ ଗର୍ତ୍ତିଆ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ସଡ଼କ ଓ ସେତୁ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି l ଚିଠିରେ ଦର୍ଶାଯାଇଛି ଯେ, ଓଭରବ୍ରିଜ୍‌ର ଉଭୟ ସର୍ଭିସ୍‌ ରୋଡ୍‌ର ନିର୍ମାଣ କାମ ଚାଲିଥିବାରୁ ବାରମ୍ବାର ଗୋଟିଏ ରାସ୍ତା ବନ୍ଦ ରହୁଛି। ଫଳରେ ଭାରୀ ଟ୍ରକ୍‌ ସମେତ ଅନ୍ୟାନ୍ୟ ଯାନବାହନ ସଂକୀର୍ଣ୍ଣବରପାଲି–ସୋନପୁର ରାସ୍ତା ଦେଇ ଯାତାୟାତ କରୁଥିବାରୁ ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହେଉଛି। ଏହାଦ୍ୱାରା ଛାତ୍ରଛାତ୍ରୀ, ରୋଗୀ, ବୃଦ୍ଧବୃଦ୍ଧା ଓ ସାଧାରଣ ଯାତ୍ରୀ ଅସୁବିଧାରେ ପଡ଼ୁଥିବା ସହ ଦୁର୍ଘଟଣା ଆଶଙ୍କା ବଢ଼ିଥିବା ଉଲ୍ଲେଖ କରାଯାଇଛି। ସର୍ଭିସ୍‌ ରୋଡ୍‌କୁ ଶୀଘ୍ର ସମ୍ପୂର୍ଣ୍ଣ କରି କଂକ୍ରିଟ୍‌ କରିବା ସହ ଓଭରବ୍ରିଜ୍‌ କାମ ଶେଷ ହେବା ପର୍ଯ୍ୟନ୍ତ ଭାରୀ ଯାନଗୁଡ଼ିକୁ ରାମପୁର–ଡୁଙ୍ଗୁରିପାଲି–ବାଲିତିକ୍ରା ରାସ୍ତା ଦେଇ ମେନ୍‌ କେନାଲ୍‌ ରୋଡ୍‌ ଆଡ଼କୁ ଡାଇଭର୍ଟ କରିବାକୁ ଦାବି ହୋଇଛି। ଏଥିସହ ଟ୍ରାଫିକ୍‌ କର୍ମଚାରୀ ମୁତୟନ, ବ୍ୟାରିକେଡ୍‌, ସତର୍କତାମୂଳକ ଫଳକ ଓ ଆବଶ୍ୟକ ରୋଡ୍‌ ସେଫ୍ଟି ବ୍ୟବସ୍ଥା କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ଆଗାମୀ ଦୁର୍ଗାପୂଜା ଓ ରାବଣ ଦହନ ସମୟରେ ହଜାର ହଜାର ଲୋକଙ୍କ ସମାଗମ ହେବାକୁ ଥିବାରୁ ଏହି ସମସ୍ୟା ପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରାଯାଇଛି।