ଲଡ଼ୁଗାଁରେ ଚାଞ୍ଚଲ୍ୟ! ଚାଷ ଜମିରୁ ମିଳିଲା ମୁଣ୍ଡବିହୀନ ଯୁବକଙ୍କ ମୃତଦେହ, ଜଘନ୍ୟ ହତ୍ୟା
ଧର୍ମଗଡ଼ ଉପଖଣ୍ଡ(ଉପାନ୍ତ ଖବର)(ପ୍ରଦିପ ଭରାସଗରିଆ): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଲଡ଼ୁଗାଁ-ସୁପାଡ଼ ରାସ୍ତାରେ ଥିବା ବିୟର ବାର୍ ନିକଟସ୍ଥ ଏକ ଚାଷ ଜମିରୁ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଠାବ ହୋଇଛି। ଯୁବକଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇ ଯାଇଥିବା ସନ୍ଦେହ କରାଯାଉଛି। ତେବେ ଖବର ଲେଖାଯିବା ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଅନୁଯାୟୀ, ଜମି ମାଲିକ ନିଜ ଚାଷ ଜମିକୁ ବୁଲିବାକୁ ଯାଇଥିବା ସମୟରେ ମୁଣ୍ଡବିହୀନ ମୃତଦେହ ଦେଖି ଭୟଭୀତ ହୋଇପଡ଼ିଥିଲେ। ଏନେଇ ସେ ଗ୍ରାମବାସୀଙ୍କୁ ଜଣାଇବା ସହ କୋକସରା ପୋଲିସକୁ ଖବର ଦେଇଥିଲେ।ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଏସ୍ଆଇ ରଶ୍ମି ରଞ୍ଜନ ବାଗ ମଧ୍ୟ ପହଞ୍ଚିଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ଅନ୍ଧାର ଯୋଗୁଁ ଚାଷ ଜମିରୁ ମୃତଦେହ ଉଦ୍ଧାର କରାଯାଇପାରି ନଥିବା ଜଣାପଡ଼ିଛି। ମୃତଦେହ ନିକଟରେ ମୁଣ୍ଡ ମଧ୍ୟ ନଥିବା ସୂଚନା ମିଳିଛି।
ଏହି ଜଘନ୍ୟ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଖୋଜିବା ସହ ଘଟଣାର ପ୍ରକୃତ କାରଣ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଦିଗରେ ତଦନ୍ତ ଜାରି ରଖିଛି।
