ନନ୍ଦିପଦା ପୋଲିସକୁ ବଡ଼ ସଫଳତା ୨୧ କିଲୋ ଗଞ୍ଜେଇ ସହ ନଗଦ ଟଙ୍କା, ସୁନା ଓ ରୁପା ଅଳଙ୍କାର ଜବତ, ୩ ଅଭିଯୁକ୍ତ ଗିରଫ
ହାଟଡିହି ତା ୪/୧୧(ମନମୋହନ ନାୟକ) : ନିଶା କାରବାର ବିରୋଧରେ ନନ୍ଦିପଦା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପୋଲିସ ପେଟ୍ରୋଲିଂ ସମୟରେ ହାଟଡିହି ତହସିଲ ରାସ୍ତାରେ ଚଢ଼ାଉ କରି ୨୧ କିଲୋ ଗଞ୍ଜେଇ ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଅଭିଯୁକ୍ତମାନଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଓ ରୁପା ଅଳଙ୍କାର ସମେତ ଗୋଟିଏ ଇଲେକ୍ଟ୍ରିକ୍ ଯାନ ଜବତ କରାଯାଇଛି। ସୂଚନା ଅନୁଯାୟୀ, ହାଟଡିହି ତହସିଲ ରାସ୍ତା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ନେଇ ନନ୍ଦିପଦା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ପୋଲିସ ଆଜି ବଡି ଭୋର ସମୟରେ ଉକ୍ତ ରାସ୍ତାରେ ପେଟ୍ରୋଲିଂକୁ ଜୋରଦାର କରିବା ସହ ସନ୍ଦେହଜନକ ଯାନବାହନ ଉପରେ ନଜର ରଖିଥିଲା। ଏହି ସମୟରେ ଏକ ସ୍କୁଟି ଯୋଗେ ଗଞ୍ଜେଇ ନେଇ ଯାଉଥିବା ଜଣେ ଯୁବକଙ୍କୁ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ତାଙ୍କ ନିକଟରୁ ଗଞ୍ଜେଇ ମିଳିବା ପରେ ପୋଲିସ ତାଙ୍କୁ ଧରିଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଯୁବକଙ୍କଠାରୁ ମିଳିଥିବା ବୟାନ ଓ ସୂଚନା ଆଧାରରେ ଏହି ନିଶା କାରବାରରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ପୋଲିସ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରେ ତଦନ୍ତ କରିବା ସମୟରେ ନଗଦ ୩ ଲକ୍ଷ ୯୩ ହଜାର ଟଙ୍କା, ପ୍ରାୟ ୭୦ ଗ୍ରାମ ସୁନା ଅଳଙ୍କାର, ୨୬୦ ଗ୍ରାମ ରୁପା ଅଳଙ୍କାର ଏବଂ ଗୋଟିଏ ଇଲେକ୍ଟ୍ରିକ୍ ଯାନ ଜବତ କରାଯାଇଥିବା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଏହି ଘଟଣାରେ ଜଳକଳଙ୍ଗ ଗ୍ରାମର ଜଗନ୍ନାଥ ମଲ୍ଲିକ, ବଡତିରା ଗ୍ରାମର ପ୍ରକାଶ ନାୟକ ଓ ସନ୍ୟାସୀ ଚରଣ ନାୟକଙ୍କୁ ଗିରଫ କରିଛି। ତେବେ ଅନ୍ୟ କେତେଜଣ ଫେରାର ହୋଇ ଯାଇଛନ୍ତି ବୋଲି ସେ କହିଛନ୍ତି । ଏହି ଚଢ଼ାଉରେ ମୋଟ ୨୧ କିଲୋ ଗଞ୍ଜେଇ ସହ ଲକ୍ଷାଧିକ ଟଙ୍କାର ନଗଦ ଅର୍ଥ ଓ ସୁନାରୁପା ଅଳଙ୍କାର ଜବତ ହେବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଗଞ୍ଜେଇ କାରବାରର ଚେର କେଉଁଠିକୁ ଲମ୍ବିଛି ଏବଂ ଏହା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଏ ସମ୍ପର୍କରେ ନନ୍ଦିପଦା ଥାନାରେ ୩୯୪/୨୦୨୬ରେ ଏକ ମାମଲା ରୁଜୁ କରାଯାଇଛି। ଏହି ଚଢ଼ାଉରେ ନନ୍ଦିପଦା ଆଇ ଆଇ ସି ଧର୍ମେନ୍ଦ୍ର ଶାନ୍ତି, ଇନ୍ସପେକ୍ଟର ବଳିଆ ବାରିକ, ଏସ ଆଇ ବିନିତା ଲାକ୍ରା, ଏସ ଆଇ ତ୍ରିପୁରା ସୁନ୍ଦରୀ ସେଠୀ ପ୍ରମୁଖ ସାମିଲ ଥିଲେ। ନିଶା କାରବାର ରୋକିବା ଦିଗରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖାଯାଉଛି।
