ବୁଢ଼ା ବୈତରଣୀ ଉତ୍ସବରେ କଳା,ସାହିତ୍ୟ ଓ ସଂସ୍କୃତିର ଚମକ
ହାଟଡିହି ତା ୩/୧୧(ମନମୋହନ ନାୟକ) : ଘଟଗାଁ,କେନ୍ଦୁଝର ବୁଢ଼ା ବୈତରଣୀ କଳା ସାହିତ୍ୟ ସଂସ୍କୃତି ପରିଷଦ ତରଫରୁ ରାଜ୍ୟସ୍ତରୀୟ ବୁଢ଼ା ବୈତରଣୀ ଉତ୍ସବ – ୨୦୨୬, ମା ତାରିଣୀ ପୀଠ ହୋଟେଲ ମା’ ସଭାଗୃହରେ ମହା ସମାରୋହରେ ପାଳିତ ହୋଇଯାଇଛି।ଅନୁଷ୍ଠାନ ସଭାପତି ଡଃ ନାରାୟଣ ଚନ୍ଦ୍ର ସେନାପତିଙ୍କ ଆହ୍ବାନ କ୍ରମେ ପ୍ରଥମ ଅଧିବେଶନରେ ଲକ୍ଷ୍ମୀଧର ସାହୁ,ସୁବାସ ଚନ୍ଦ୍ର ପାତ୍ର ଓ ନାରାୟଣ ଲେଙ୍କା ଅତିଥି ଆସନରେ ଆସୀନ ହୋଇଥିଲେ।ସଂଯୋଜନାର ମଙ୍ଗ ଧରିଥିଲେ ସଞ୍ଜୟ କୁମାର ସାହୁ ଓ ଡଃ ତାନଶ୍ରୀ ପାଣିଗ୍ରାହୀ।ସଂଯୋଜନାର ତାଳେ ତାଳେ କବି କବୟିତ୍ରୀଙ୍କ ଅଭିନବ କବିତା ପାଠ ଓ କଳାକାରଙ୍କ କଳା ପ୍ରଦର୍ଶନ ଅଭିନବ ଢ଼ଙ୍ଗରେ ହୋଇଥିଲା।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସାହିତ୍ୟ ମନସ୍କ ପ୍ରତିଭା ଓ କଳା ସଂସ୍କୃତି ପ୍ରତିଭାଙ୍କ ପରିବେଷଣ ଅତି ମନ ମୁଗ୍ଧକର ଥିଲା । ଦ୍ୱିତୀୟ ମଞ୍ଚକୁ ଅତିଥିଙ୍କୁ ଆହ୍ବାନ କରିଥିଲେ ହେମନ୍ତ କୁମାର ନାୟକ।ଡଃ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ଜିଲ୍ଲାପାଳ ତଥା ଶ୍ରୀ ଶ୍ରୀ ଠାକୁର ଆଶ୍ରିତ ସହ ପ୍ରତି ଋତ୍ୱିକ ଡଃ ଅଲେଖ ପ୍ରସାଦ ମହାରଣା ମୁଖ୍ୟ ଅତିଥି,ସଂସ୍କୃତି କଳା ପରିଷଦ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ ମୁଖ୍ୟ ବକ୍ତା,ଆଦର୍ଶ ଶିକ୍ଷାବିତ୍ ଓ ସମାଜସେବୀ ସରୋଜ କୁମାର ନନ୍ଦ ସ୍ଵତନ୍ତ୍ର ଅତିଥି ଓ ଚଳଚ୍ଚିତ୍ର ଓ ଧାରାବାହିକ ଅଭିନେତା ମଣ୍ଡଳ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ମଞ୍ଚ ମଣ୍ଡନ କରିଥିଲେ। କଳା,ସାହିତ୍ୟ ଓ ସଂସ୍କୃତି ଆମ ପରିଚୟ।ଏହା ବଞ୍ଚିଲେ ଆମ ସମାଜ ସଭ୍ୟତା ବିକଶିତ ହେବ।ଆମରି ଉଦ୍ୟମରେ ଏସବୁର ଉନ୍ନତି କରାଯାଇପାରିବ,ଅତିଥି ମାନଙ୍କ ଏଇ ତାତ୍ତ୍ୱିକ କଥା ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଉତ୍ସବରେ ଏଲିଜା ଜେନାଙ୍କ ମାଆଙ୍କ ସ୍ତୁତି ଗାନ,ଅଭିନେତା ମଣ୍ଡଳ କୁମାର ପଣ୍ଡାଙ୍କ ଅଭିନୟ ଓ କୀର୍ତ୍ତନ, ବାଇଡଙ୍କ ବାବାଙ୍କ ବ୍ୟଙ୍ଗ ସଂଳାପ ଓ କନ୍ଧମାଳ,ରାୟଗଡ଼ା ଓ ଅନ୍ୟ ଜିଲ୍ଲା ମାନଙ୍କର ପ୍ରତିଭାମାନଙ୍କ ମୟୂର ନାଚ,ଧୁଡୁକି ନାଚ, ଛାଟିଆ ନାଚ, ଧୁଡୁକି ନାଚ,ଖଞ୍ଜଣି ନାଚ, ଦଣ୍ଡ ନାଚ ସହ ଅନ୍ୟାନ୍ୟ ନାଚରେ ଆମ ସଂସ୍କୃତିର ଛିଟା ଅତି ମନଛୁଆଁ ଥିଲା। ସମସ୍ତ ଅତିଥି ସହ କଳା ସାହିତ୍ୟ ସଂସ୍କୃତିର ମୋଟ ୧୧୧ ଜଣ ପ୍ରତିଭାଙ୍କୁ ମାନପତ୍ର,ଉପଢୌକନ,ସମ୍ମାନ ସନନ୍ଦ,ମାଆ ତାରିଣୀ ଫଟୋ ମମେଣ୍ଟମ୍,ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା।ଏହି ଉତ୍ସବରେ ବିବରଣୀ ପଠନ ଜୟନ୍ତୀ ବେହେରା କରିଥିବା ବେଳେ ମଞ୍ଚ ପରିଚାଳନା ହେମନ୍ତ ନାୟକ,ଏଲିଜା ଜେନା,ନର୍ମଦା ରାଉତ, ବିବାସିନୀ ପଟ୍ଟନାୟକ କରିଥିଲେ।ସମସ୍ତ ଅତିଥିଙ୍କ ସମେତ ଉତ୍ସବ ସହ ଜଡ଼ିତ ସମସ୍ତ ପ୍ରତିଭାଙ୍କୁ ସଞ୍ଜୟ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
