November 3, 2026

ବିଜେପୁରରେ ରାଜସ୍ୱ ବିଶ୍ରାମାଗାର ଓ ତହସିଲଦାରଙ୍କ ଡି-ଟାଇପ୍ କୋଠା ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

IMG-20261103-WA0080
Share

.

 

 

ବରପାଲି :(ସୁଦାମ ଦୀପ)ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ରାଜସ୍ୱ ବିଭାଗର ଭିତ୍ତିଭୂମି ସୁଦୃଢ଼ୀକରଣ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ରାଜସ୍ୱ ବିଶ୍ରାମାଗାର ଏବଂ ତହସିଲଦାରଙ୍କ ପାଇଁ ଡି-ଟାଇପ୍ ସରକାରୀ ବାସଭବନ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଏହି ଅବସରରେ ବିଜେପୁର ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ ଏବଂ ଆର୍‌ଏଣ୍ଡ୍‌ବି ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ପାତ୍ର ଉପସ୍ଥିତ ରହି ପ୍ରକଳ୍ପ ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ଓ ନିର୍ମାଣ ସମ୍ବନ୍ଧୀୟ ପଦକ୍ଷେପ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ସ୍ଥାନୀୟ ନେତୃବୃନ୍ଦ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଯିବା ସହ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ବିଧାୟକ ଶିଳାନ୍ୟାସ କରି ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।ରାଜସ୍ୱ ବିଶ୍ରାମାଗାର ନିର୍ମାଣ ହେବା ଫଳରେ ବିଭିନ୍ନ ସମୟରେ ବିଜେପୁର ଅଞ୍ଚଳକୁ ସରକାରୀ କାର୍ଯ୍ୟରେ ଆସୁଥିବା ରାଜସ୍ୱ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ ଅନ୍ୟ ସରକାରୀ ଅତିଥିମାନଙ୍କ ରହଣି ପାଇଁ ସୁବିଧା ହୋଇପାରିବ। ଅନ୍ୟପକ୍ଷରେ ତହସିଲଦାରଙ୍କ ପାଇଁ ଡି-ଟାଇପ୍ ସରକାରୀ ବାସଭବନ ନିର୍ମାଣ ଦ୍ୱାରା ତହସିଲ କାର୍ଯ୍ୟାଳୟର ପ୍ରଶାସନିକ କାର୍ଯ୍ୟ ପରିଚାଳନା ଅଧିକ ସୁବିଧାଜନକ ହେବା ସହ ଜରୁରୀକାଳୀନ ସମୟରେ ଅଧିକାରୀଙ୍କ ଉପଲବ୍ଧତା ଓ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହୋଇପାରିବ। ବିଜେପୁର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ତହସିଲ ଅଞ୍ଚଳରେ ଏଭଳି ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ହେଲେ ସରକାରୀ କାର୍ଯ୍ୟରେ ଅଧିକ ସୁବିଧା ଓ ସମନ୍ୱୟ ଆସିବା ସହ ରାଜସ୍ୱ ପ୍ରଶାସନକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି। କାର୍ଯ୍ୟକ୍ରମକୁ ରାଜସ୍ୱ ପରିଦର୍ଶକ ରବିଚନ୍ଦ୍ର ବୁଡ଼େକ ସୁଚାରୁ ରୂପେ ପରିଚାଳନା କରିଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed