ବରଗଡ଼ ଧନୁଯାତ୍ରା: ଆରମ୍ଭ ହେଲା କଂସ କଳାକାର ଚୟନ ପ୍ରକ୍ରିୟା
ବରଗଡ଼, ୩/୧୧ (ସୁରେନ୍ଦ୍ର କଠାର) : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୬-୨୭ ପାଇଁ କଳାକାର ଚୟନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ମହୋତ୍ସବ କମିଟିର ନିଷ୍ପତ୍ତି ଅନୁଯାୟୀ ଏଥର କେବଳ କଂସ ଭୂମିକା ପାଇଁ କଳାକାର ଚୟନ କରାଯିବ । ଏଥିପାଇଁ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆବେଦନ ସମୟସୀମା ଓ ୱେବସାଇଟ୍
ଇଚ୍ଛୁକ କଳାକାରମାନେ ନଭେମ୍ବର ୧ରୁ ୧୫ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନକାରୀମାନେ ବରଗଡ଼ ଜିଲ୍ଲା ପ୍ରଶାସନର ଅଫିସିଆଲ ୱେବସାଇଟ୍ ଏବଂ ଧନୁଯାତ୍ରାର ସ୍ୱତନ୍ତ୍ର ୱେବସାଇଟ୍ରୁ ଆବେଦନପତ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୂଚନା ପାଇପାରିବେ । ନିର୍ଦ୍ଧାରିତ ନିୟମାବଳୀ ଅନୁସାରେ ହିଁ ଆବେଦନ କରିବାକୁ ପଡ଼ିବ ।
୨ ବର୍ଷ ପାଇଁ ଚୟନ ଓ କଠୋର ନିୟମ
ଏହି ଚୟନ ପ୍ରକ୍ରିୟାରେ ମନୋନୀତ ହେଉଥିବା କଳାକାର ଆସନ୍ତା ୨ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ । ଆବେଦନକାରୀଙ୍କ ପାଖରେ ବିନା ସ୍କ୍ରିପ୍ଟରେ ଅଭିନୟ କରିବାର ଦକ୍ଷତା ରହିବା ଆବଶ୍ୟକ । ଏହାସହ ବରଗଡ଼ ଧନୁଯାତ୍ରାରେ ଅଭିନୟ କରୁଥିବା ପର୍ଯ୍ୟନ୍ତ କଳାକାରଜଣକ ଅନ୍ୟ କୌଣସି ଧନୁଯାତ୍ରାରେ ଭାଗ ନେଇପାରିବେ ନାହିଁ । ସ୍ୱତନ୍ତ୍ର ଅଡିସନ୍ ଜରିଆରେ ହିଁ କଳାକାରଙ୍କୁ ଚୟନ କରାଯିବ ।
ପୂର୍ବତନ କଂସଙ୍କ ଇସ୍ତଫା ପରେ ନୂଆ ନିଷ୍ପତ୍ତି
ଗତବର୍ଷ କଂସ ଭୂମିକା ପାଇଁ ୩ ବର୍ଷ ନିମନ୍ତେ ଚୟନ ହୋଇଥିବା ସୁଶୀଲ ମେହେରଙ୍କ ଅଭିନୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତାଙ୍କୁ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା । ମହୋତ୍ସବ ସମିତିର ପ୍ରଥମ ବୈଠକରେ ମଧ୍ୟ କମିଟି ସଦସ୍ୟମାନେ କଂସ ପରିବର୍ତ୍ତନ ପାଇଁ ଦାବି କରିଥିଲେ । ପରିଶେଷରେ ଶ୍ରୀ ମେହେର ନିଜେ ଇସ୍ତଫା ଦେବା ପରେ ଏହି ନୂତନ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି
