୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି..
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ଉପଲକ୍ଷେ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯୁଗଳ କିଶୋର ପୋଢ଼, ଜିଲ୍ଲା ଯୋଜନା ଓ ସମନ୍ୱୟ ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ବିଶିଷ୍ଟ ଶିକ୍ଷାବିତ ଡ଼. ଅଜୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧ ତାରିଖ ଦିନ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁଥିବା ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଉପଲକ୍ଷେ ଉକ୍ତ ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିସ୍ତୃତ ଭାବରେ କାର୍ଯ୍ୟସୂଚୀ ପାଠ କରିଥିଲେ। ଏହି କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ମା’ମାଣିକେଶ୍ବରୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯିବାପରେ ସେଠାରୁ ଏକ ବିରାଟ ମଶାଲ ଶୋଭାଯାତ୍ରାରେ ବାହାରି ଟାଉନହଲ ଠାରେ ପହଂଚିବା ପରେ ସେଠାରେ ସଭାକାର୍ଯ୍ୟ ସହ ବିଭିନ୍ନ ସାଂସ୍କୃତିକ ଦଳଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହେବାସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହ ସହରର ଜେଲ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାହାଗିରି ପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଜିଲ୍ଲାର ସମସ୍ତ ୧୩ ଗୋଟି ବ୍ଲକ ସହ ସମସ୍ତ ସହରାଞ୍ଚଳ ଗୁଡିକର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପାଳିତ କରାଯିବାକୁ ନେଇ ଜିଲ୍ଲା ସଂସ୍କୃତି ଅଧିକାରୀ ଜଣାଇଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ କଳାହାଣ୍ଡି ଜିଲ୍ଲା ସମ୍ବନ୍ଧୀୟ ବକ୍ତୃତା, କୁଇଜ ଓ ପ୍ରବନ୍ଧ ଆଦିର ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଗୁଡିକର ପରିଚାଳନା ଦାୟିତ୍ୱ ଡି.ଇ. ଓ ଏବଂ ରେଜିଷ୍ଟାର ତଥା ମା’ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ବେଳେ, ଏହି ଦିବସ ପାଳନ ଅବସରରେ ବିଶ୍ବବିଦ୍ୟାଳୟ ଠାରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯିବ। ଏଥିସହ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଜିଲ୍ଲା ବାସୀଙ୍କୁ କଳାହାଣ୍ଡି ଗଠନ ଦିବସ ହର୍ଷ ଉଲ୍ଲାସ ଓ ସୂଚାରୁ ରୂପେ ଯେପରି ପାଳିତ ହୋଇପାରିବ ସେନେଇ ସହଯୋଗ କରିବାପାଇଁ ଅନୁରୋଧ ଜଣାଇଛନ୍ତି।
