October 13, 2026

ସାମନ୍ତିଆପଲ୍ଲୀରେ ୭୦ତମ ସମୂହ କବାଡ଼ି ପ୍ରତିଯୋଗିତା ଉଦ୍‌ଘାଟିତ

IMG-20261013-WA0004
Share

 

 

ଗଞ୍ଜାମ ଜିଲ୍ଲାର ୭୦ତମ ବିଦ୍ୟାଳୟ ସମୂହ କବାଡ଼ି ପ୍ରତିଯୋଗିତା ପାତ୍ରପୁର ବ୍ଲକ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ସ୍ଥିତ ମହନ୍ତଶ୍ରୀ ପରାଙ୍କୁଶ ବିଦ୍ୟାପୀଠ ପରିସରରେ ଆରମ୍ଭ ହୋଇଯାଇଛି ।୧୪ ଓ ୧୭ ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ବର୍ଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ୨୨ଟି ବ୍ଲକରୁ ପ୍ରାୟ ୭୦୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଯୋଗଦେଇ ନିଜ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଏହି ପ୍ରତିଯୋଗିତା ଚଳିତ ଅକ୍ଟୋବର ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ। ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ, ପାତ୍ରପୁର ପକ୍ଷରୁ ଏହାର ଆୟୋଜନ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ବ୍ରହ୍ମପୁର ଏହାର ପ୍ରଯୋଜକ ରହିଛି। ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇଥିଲେ। ସେହିପରି ବିଶିଷ୍ଟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା, ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଭାଗିରଥି ସ୍ଵାଇଁ ,ପାତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର, ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ, ତହସିଲଦାର ଅଶୋକ ପଟ୍ଟନାୟକ, ମେଡିକାଲ ଅଧିକାରୀ ସମ୍ବିଦ ବେଗରାଇ,ସରପଞ୍ଚ ଏନ୍ ତିରୁପତି, ଜନାର୍ଦ୍ଦନ ସାହୁ ମଞ୍ଚାସିନ ଥିଲେ।୨୨ ଟି ବ୍ଳକର ଖେଳାଳୀ ମାନେ ଅତିଥି ମାନଙ୍କ ସମ୍ମୁଖରେ ନିଜ ନିଜ ବ୍ଳକର ପ୍ଲା କାର୍ଡ ଧରି ରାଲି କରିଥିବା ବେଳେ ଚିନ୍ମୟ ପଲାଲ ମଞ୍ଚ ପରିଚାଳନା କରିଥିଲେ।ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା, ଦଳଗତ ସହଯୋଗ ଓ ପ୍ରତିଯୋଗିତାମୂଳକ ଦକ୍ଷତାର ବିକାଶ ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ତିନିଦିନିଆ ଏହି କ୍ରୀଡ଼ା ମହୋତ୍ସବରେ ବିଭିନ୍ନ ବିଦ୍ୟାଳୟର ଖେଳାଳିଙ୍କ ମଧ୍ୟରେ ରୋମାଞ୍ଚକର କବାଡ଼ି ମ୍ୟାଚ୍‌ ଦେଖିବାକୁ ମିଳିବ। ଅନ୍ୟ ପକ୍ଷରେ ଜିଲ୍ଲାର ସମସ୍ତ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଖେଳ ପରିଚାଳନା କରାଯାଇଥିଲା। ବି ଇ ଓ ସୀତାରାମ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ। କ୍ରିଡ଼ା ଶିକ୍ଷକ ଅରୁଣ କୁମାର ମହାନ୍ତି, ବହୁ କ୍ରୀଡ଼ା ଶିକ୍ଷକ, ସମସ୍ତ ସି ଆର୍ ସି ସି, ଶିକ୍ଷକ ନେତା ଟୁଟୁ ପ୍ରଧାନ ଙ୍କ ସମେତ ସରକାରୀ କର୍ମଚାରୀ ମାନେ ସହଯୋଗ କରିଥିଲେ।ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ( ଚିକିଟି ଶୁଭଶ୍ରୀ ପ୍ରଧାନ )