ବି.ଏମ୍ ପଟ୍ଟନାୟକ ୟୁ.ପି. ସ୍କୁଲରେ ନୃସିଂହ ଗୁରୁଙ୍କ ଜୟନ୍ତୀ
ସମ୍ବଲପୁର,୧୨/୧୦ : ନୃସିଂହ ଗୁରୁ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ସାମ୍ବାଦିକ, ଉତ୍ସର୍ଗୀକୃତ ସମାଜ ସଂସ୍କାରକ, ଖାଣ୍ଟି ଗାନ୍ଧୀବାଦୀ, ସ୍ୱଦେଶୀ ଓ କୃଷିର ପୃଷ୍ଠପୋଷକ ଏବଂ ଜଣେ ବିରଳ ମାନବବାଦୀ ଥିଲେ। ଏହାଛଡ଼ା ସେ ସତ୍ୟ ଓ ସେବାର ଏକ ମୂର୍ତ୍ତୀମନ୍ତ ବିଗ୍ରହ ଥିଲେ ବୋଲି ବକ୍ତାମାନେ କହିଛନ୍ତି।
ସ୍ଥାନୀୟ ପଟ୍ଟନାୟକପଡ଼ା ସ୍ଥିତ ବ୍ରଜମୋହନ ପଟ୍ଟନାୟକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପବିତ୍ର କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତା ଓ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳୀ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ନୃସିଂହ ଗୁରୁଙ୍କ ୧୨୫ ତମ ଜୟନ୍ତୀ ପାଳିତ ହୋଇଥିଲା। ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର ମୁଖ୍ୟଅତିଥି ଓ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ନୃସିଂହ ଗୁରୁଙ୍କ ତ୍ୟାଗପୂତ ଜୀବନ ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ‘ନୃସିଂହ ଗୁରୁ ଜୀବନ ଓ ବ୍ରତ’ ପୁସ୍ତକ ବଣ୍ଟନ କରାଯାଇଥିଲା। ଶିକ୍ଷୟତ୍ରୀ ନିର୍ମଳା ବାରିକ, ଶାନ୍ତନାମୟୀ ଷଡ଼ଙ୍ଗୀ, ଶ୍ରାବଣୀ ବେହେରା, କୁନ୍ତଳିନୀ ପାଢ଼ୀ, ଶାଶ୍ୱତୀ ଦେବୀ ଓ ମିତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
