October 6, 2026

ଏମଭି-୬୨ରେ ଡ୍ରେନ୍ ନିର୍ମାଣ ସ୍ଥାନ ପରିବର୍ତ୍ତନକୁ ଗ୍ରାମବାସୀଙ୍କ ବିରୋଧ

IMG-20261005-WA0094
Share

 

ପଡିଆ, ୦୫/୧୦: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମଭି-୬୨ ଗ୍ରାମରେ ନିର୍ମାଣ ହେବାକୁ ଥିବା ଡ୍ରେନ୍ ପ୍ରକଳ୍ପର ସ୍ଥାନ ପରିବର୍ତ୍ତନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀଙ୍କ ସହମତି ବିନା ଅଚାନକ ପ୍ରକଳ୍ପର ସ୍ଥାନ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ କରି ସେମାନେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏମଭି-୬୨ ଗ୍ରାମରେ ଡ୍ରେନ୍ ନିର୍ମାଣ ପାଇଁ ପୂର୍ବରୁ ଚିହ୍ନଟ ହୋଇଥିବା ସ୍ଥାନ ପରିବର୍ତ୍ତନ କରି ଅନ୍ୟତ୍ର ନିର୍ମାଣ କାର୍ଯ୍ୟ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଚିହ୍ନଟ ହୋଇଥିବା ଅନ୍ୟ ଏକ ସ୍ଥାନରେ ଗାର୍ଡୱାଲ୍ ନିର୍ମାଣ ପାଇଁ ମଧ୍ୟ ଅନୁମତି ଦିଆଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ପ୍ରକଳ୍ପର ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ପଚାରିଥିବା କହିଛନ୍ତି। ତେବେ ଯନ୍ତ୍ରୀ ଅସନ୍ତୋଷଜନକ ଭାବେ ଉତ୍ତର ଦେବା ସହ କାର୍ଯ୍ୟସ୍ଥଳକୁ ନଆସିଲେ ମଧ୍ୟ ବିଲ୍ କରିବା ସମ୍ପର୍କରେ କହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗକୁ ବିଭାଗୀୟ ଯନ୍ତ୍ରୀ ଖଣ୍ଡନ କରି ସେ ଏଭଳି କୌଣସି କଥା କହିନଥିବା ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ, ନିର୍ମାଣାଧୀନ ଡ୍ରେନ୍ ପ୍ରକଳ୍ପର କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖି ଅଧିକାରୀଙ୍କ ପକ୍ଷରୁ ସ୍ଥଳ ପରିଦର୍ଶନ ଓ ସମୀକ୍ଷା କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ଗ୍ରାମରେ ମାତ୍ର ତିନିରୁ ଚାରି ଲକ୍ଷ ଟଙ୍କା ବ୍ୟୟରେ ମନରେଗାରେ କଲଭର୍ଟ ଓ ରାସ୍ତା କାମ କରାଯାଇ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲ କରାଯାଇଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମର ଆବଶ୍ୟକତା ଓ ଜଳ ନିଷ୍କାସନ ସମସ୍ୟାକୁ ବିଚାର କରି ଉପଯୁକ୍ତ ସ୍ଥାନ ଚିହ୍ନଟ କରି ସେଠାରେ ଡ୍ରେନ୍ ଓ ଆବଶ୍ୟକ ଗାର୍ଡୱାଲ୍ ନିର୍ମାଣ କରାଯାଉ ବୋଲି ସେମାନେ ଦାବି ଜଣାଇଛନ୍ତି।

You may have missed