ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ମାର୍ଗରେ ଚାଲିବାକୁ ଆହ୍ୱାନ
ଖୋର୍ଦ୍ଧା, ୨/୧୦(ପ୍ରିୟଙ୍କା ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଶ୍ରଦ୍ଧା ଓ ଗରିମାର ସହ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଆଦର୍ଶକୁ ସ୍ମରଣ କରାଯାଇଥିଲା।ପୂର୍ବାହ୍ନରେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଓ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରା ଖୋର୍ଦ୍ଧା ଡାକବଙ୍ଗଳା ନିକଟସ୍ଥ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ଅର୍ଦ୍ଧାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ସାଧାରଣ ସଭା ଓ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।ସମାରୋହରେ ଜିଲ୍ଲା ପରିଷଦ ସଭାପତି ରୂପାଶ୍ରୀ ରାଣୀ ଗୁମାନ ସିଂହ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଓ ସଦର ତହସିଲଦାର ବିଭାଶ ପାଣିଗ୍ରାହୀ ସମ୍ମାନିତ ଅତିଥି ଏବଂ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ. ସୁବୋଧ କୁମାର ଜଗଦେବ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।ଅତିଥିମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ହିନ୍ଦୁ ଧର୍ମଗୁରୁ ପଣ୍ଡିତ ସୁଶାନ୍ତ କୁମାର ମିଶ୍ର, ଇସଲାମ ଧର୍ମଗୁରୁ ମଉଲାନା ଖତି ଉଦ୍ଦିନ ଏବଂ ଖ୍ରୀଷ୍ଟିଆନ୍ ଧର୍ମଗୁରୁ ଶ୍ରୀ ମାନୁଆଲ କରାଡାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ସର୍ବଧର୍ମ ପ୍ରାର୍ଥନା ସଭାରେ ଗୀତା, କୋରାନ ଓ ବାଇବେଲ ପାଠ କରାଯାଇଥିଲା। ଏହାପରେ ବନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ମୁଖ୍ୟ ଅତିଥି ରୂପାଶ୍ରୀ ରାଣୀ ଗୁମାନ ସିଂହ ନିଜ ଅଭିଭାଷଣରେ ମହାତ୍ମା ଗାନ୍ଧୀ ସତ୍ୟ, ଅହିଂସା, ମାନବିକତା ଓ ମାନବସେବାର ପ୍ରତୀକ ଥିଲେ ବୋଲି କହିଥିଲେ। ଛାତ୍ରଛାତ୍ରୀ ଓ ଯୁବପିଢ଼ି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ଗଠନରେ ଭୂମିକା ନେବାକୁ ସେ ଆହ୍ୱାନ ଦେଇଥିଲେ।
ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଗାନ୍ଧିଜୀଙ୍କ ଆତ୍ମଜୀବନୀ ପଢ଼ି ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ମାର୍ଗରେ ଚାଲିବା ଉଚିତ। ନିଜ ଜୀବନରେ ସୁନାମ ଅର୍ଜନ କରିବା ହିଁ ଗାନ୍ଧୀ ଜୟନ୍ତୀର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସେ ମତପ୍ରକାଶ କରିଥିଲେ।
ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଗାନ୍ଧିଜୀଙ୍କ ଭାରତ ଛାଡ଼ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନରେ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ମହିଳା ଶକ୍ତିର ଉତ୍ଥାନ ଓ ସ୍ୱଚ୍ଛତା ଉପରେ ଗାନ୍ଧିଜୀ ଦେଇଥିବା ଗୁରୁତ୍ୱକୁ ସେ ଉଲ୍ଲେଖ କରିଥିଲେ।ମୁଖ୍ୟ ବକ୍ତା ଡ. ସୁବୋଧ କୁମାର ଜଗଦେବ ଗାନ୍ଧିଜୀଙ୍କୁ ଜଣେ ଯୁଗପୁରୁଷ ଭାବେ ବର୍ଣ୍ଣନା କରି ତାଙ୍କ ଆଦର୍ଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ୧୯୨୧ ମସିହା ମାର୍ଚ୍ଚ ୨୧ ତାରିଖରେ ଗାନ୍ଧିଜୀଙ୍କ ଖୋର୍ଦ୍ଧା ଗସ୍ତ ଓ ପାଇକ ମାଟି ସହ ତାଙ୍କ ସମ୍ପର୍କ ବିଷୟରେ ସେ ଉଲ୍ଲେଖ କରିଥିଲେ। ଛାତ୍ରଛାତ୍ରୀ ଓ ଯୁବପିଢ଼ି ଗାନ୍ଧୀ ଦର୍ଶନକୁ ନିଜ କର୍ମମୟ ଜୀବନରେ ପ୍ରୟୋଗ କରି ଆଗକୁ ବଢ଼ିବାକୁ ସେ ଆହ୍ୱାନ ଦେଇଥିଲେ।ସଦର ତହସିଲଦାର ବିଭାଶ ପାଣିଗ୍ରାହୀ ଗାନ୍ଧୀ, ଗୋପବନ୍ଧୁ ଦାସ, ସୁଭାଷ ଚନ୍ଦ୍ର ବୋଷ, ଲାଲବାହାଦୁର ଶାସ୍ତ୍ରୀ ଓ ରବୀନ୍ଦ୍ରନାଥ ଟାଗୋରଙ୍କ ଜୀବନୀ ପଢ଼ି ଭଲ ମଣିଷ ହେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ମଞ୍ଚ ପରିଚାଳନା, ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ଗାନ ସହ ସଭା ସମାପ୍ତ ହୋଇଥିଲା।ସମାରୋହରେ ଡିଇଜିଏମ୍ ମାନସ କୁମାର ବ୍ରହ୍ମା, ସିଆରସିସି ରେବତୀ ପଣ୍ଡା, ଖୋର୍ଦ୍ଧା ବ୍ଲକ୍ ଶିକ୍ଷା ଅଧିକାରୀ, ବୁଦ୍ଧିଜୀବୀ ନିକୁଞ୍ଜ କିଶୋର ପଟ୍ଟନାୟକ, ଭୀମସେନ ପ୍ରଧାନ, ସତ୍ୟବାଦୀ ବଳିୟାରସିଂହ, ଇତିଶ୍ରୀ ସାହୁ, ସୌଦାମିନୀ ପଟ୍ଟନାୟକ, ନରେନ୍ଦ୍ର ପୃଷ୍ଟିଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।
