ଭବାନୀପାଟଣାରେ ପବିତ୍ର ନୁଆଁଖାଇ ପର୍ବ ପାଳିତ

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଓଡିଶାର ପ୍ରମୁଖ ପର୍ବ ଗୁଡିକ ମଧ୍ୟରେ ନୁଆଁଖାଇ ଏକ ପ୍ରମୁଖ ଗଣପର୍ବ। ବିଶେଷ କରି ସମଗ୍ର ପଶ୍ଚିମ ଓଡ଼ିଶାରେ ଏହି ଗଣପର୍ବଟି ପାଳିତ ହେଉଥିବାବେଳେ, ଦକ୍ଷିଣ ଓଡିଶାର ଅବିଭକ୍ତ କଳାହାଣ୍ଡି ଜିଲ୍ଳାରେ ମଧ୍ୟ ଏହି କୃଷି ଭିତ୍ତିକ ଗଣପର୍ବଟି ଧୁମଧାମରେ ପାଳିତ ହୋଇଥାଏ। କୃଷି ଭିତ୍ତିକ ସମାଜ ପାଇଁ ବେଦରେ ବର୍ଣିତ ‘ପଞ୍ଚଯଜ୍ଞ’ ମଧ୍ୟରୁ ତୃତୀୟ ଯଜ୍ଞ(ପ୍ରାଲମ୍ବନ ଯଜ୍ଞ)ର ଆଧୁନିକ ରୂପ ହେଲା ନୁଆଁଖାଇ ପର୍ବ। ଏହି ଯଜ୍ଞ ଅନୁଯାୟୀ ପ୍ରଥମ ଶସ୍ୟକୁ ସର୍ବ ପ୍ରଥମେ ଦେବତାଙ୍କୁ ଅର୍ପଣ କରିବା ଏବଂ ଏହାପରେ ନିଜେ ଗ୍ରହଣ କରିବା। ବୈଦିକ ଯୁଗରୁ ଚାଲିଆସିଥିବା ଏହି ପର୍ବଟି ସମଗ୍ର ପଶ୍ଚିମ ଓଡ଼ିଶାରେ ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ। କିନ୍ତୁ କଳାହାଣ୍ଡିରେ ଭୌଗଳିକ ପରିସ୍ଥିତି ଓ ଐତିହାସିକ ଘଟଣା କ୍ରମେ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ତିଥି (ପ୍ରତିପଦା ରୁ ଦଶମୀ) ରେ ନୁଆଁଖାଇ ପର୍ବ ପାଳିତ ହୋଇଥାଏ। ଏଥିମଧ୍ୟରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଥିବା ସମସ୍ତ ଗଡଜାତ ଅଞ୍ଚଳ ଗୁଡିକରେ ଦଶମୀ ତିଥିରେ ଏହି ପର୍ବ ପାଳିତ ହୋଇଥାଏ। ଆଜି ସେହି ଦଶମୀ ତିଥିରେ ଭବାନୀପାଟଣାରେ ପବିତ୍ର ନୁଆଁଖାଇ ପର୍ବ ପାଳିତ ହୋଇଯାଇଛି। କଳାହାଣ୍ଡି ରାଜବାଟି ଓ ମା’ ମାଣିକେଶ୍ବରୀ ପୀଠ ତରଫରୁ କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ପୀଠରେ ଦିବା ଘ ୮. ୨O ମି ରୁ ଘ ୯. ୩O ମି ମଧ୍ୟରେ ନବାନ୍ନ ଭୋଗ ଲାଗିବା ନେଇ ତଥା ଏହାପରେ ସର୍ବସାଧାରଣଙ୍କ ନିମନ୍ତେ ଦିବା ଘ ୧O ରୁ ଘ ୧୨ ମଧ୍ୟରେ ନବାନ୍ନ ଭକ୍ଷଣ ନିମନ୍ତେ ସ୍ଥିରୀକୃତ ହୋଇଥିଲା। ଏନେଇ ଆଜି ମା’ ମାଣିକେଶ୍ବରୀଙ୍କ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମନ୍ଦିରରେ ଗୁପ୍ତ ପୂଜା ଓ ନବାନ୍ନ ଭୋଗ ଲାଗିବା ପରେ,ଲୋକେ ନୂତନ ବସ୍ତ୍ର ପରିଧାନ କରି ମନ୍ଦିରରେ ମା’ଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରିବା ପରେ ସ୍ଥିରୀକୃତ ହୋଇଥିବା ସମୟ ମଧ୍ୟରେ ହର୍ଷ ଉଲ୍ଲାସର ସହ ପାରିବାରରେ ସମସ୍ତେ ଏକାଠି ହୋଇ ତଥା ସାମୁହିକ ଭାବରେ ନବାନ୍ନ ଭକ୍ଷଣ କରିଛନ୍ତି। ଭବାନୀପାଟଣା ସମେତ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼, ଖରିଆର, ମ. ରାମପୁର, ଥୁ.ରାମପୁର, କର୍ଲାପାଟ, ମହୁଲପାଟଣା, ଜୟପାଟଣା ଓ କାଶିପୁର ପ୍ରଭୁତି ଗଡଜାତ ଅଞ୍ଚଳ ଗୁଡିକରେ ମଧ୍ୟ ଆଜି ଏହି ପବିତ୍ର ନୁଆଁଖାଇ ଗଣପର୍ବ ପାଳିତ ହୋଇଯାଇଛି।
