ବନ୍ୟାରେ ଭାସିଗଲା ଲଡ଼ୁଗାଁ – ସୁପାଡ଼ ବାଇପାସ ରାସ୍ତା, RD ବିଭାଗ ନିରବ: ସରପଞ୍ଚଙ୍କ ଉଦ୍ୟମରେ ହେଲା ରାସ୍ତା ମରାମତି।
(ଧର୍ମଗଡ ଉପଖଣ୍ଡ ରୁ ପ୍ରଦିପ ଭରାସଗରିଆ ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ-ସୁପାଡ଼ ରାସ୍ତାର ନିର୍ମାଣଧୀନ ପୋଲ ସମ୍ପୂର୍ଣ ହୋଇ ନଥିବାରୁ,ଏକ ବାଇପାସ୍ ରାସ୍ତା ଅଛି ଉକ୍ତ ନିର୍ମାଣଧୀନ ରାସ୍ତା RD ବିଭାଗ ଅଧୀନରେ ରହିଛି । ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ରାସ୍ତାଟି ନଷ୍ଟ ହୋଇଯିବାରୁ ବାଇପାସ୍ ରାସ୍ତା ଭାସିଯିବା ପରେ ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟା ଗୁରୁତ୍ୱର ହୋଇପଡ଼ିଥିଲା। ରାସ୍ତାଟି ଭାସିଯିବା ଫଳରେ ସୁପାଡ଼ ଓ ଆଖପାଖ ଅଞ୍ଚଳର ଲୋକେ ଯାତାୟାତ ପାଇଁ ଅସୁବିଧାରେ ପଡ଼ିଥିଲେ। ଏହାର ମରାମତି ଓ ପୁନଃନିର୍ମାଣ ପାଇଁ ସ୍ଥାନୀୟ ଲୋକେ RD ବିଭାଗକୁ ବାରମ୍ବାର ଅବଗତ କରିଥିଲେ। ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ମଧ୍ୟ ସମସ୍ୟା ସମ୍ପର୍କରେ ଜଣାଇ ଶୀଘ୍ର ରାସ୍ତା ମରାମତି ପାଇଁ ଅନୁରୋଧ କରିଥିଲେ । ତଥାପି ଦୀର୍ଘ ଦିନ ଧରି ରାସ୍ତା ନିର୍ମାଣ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ଅଞ୍ଚଳବାସୀ ଲଡୁଗାଁ ସରପଞ୍ଚ ନକୁଳ ନାଏକଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଲୋକଙ୍କ ଯାତାୟାତ ସମସ୍ୟାକୁ ଗୁରୁତ୍ୱ ଦେଇ ସରପଞ୍ଚ ନକୁଳ ନାଏକ ନିଜ ପଞ୍ଚାୟତ ଫଣ୍ଡରୁ ତୁରନ୍ତ ପଦକ୍ଷେପ ନେଇ ବିକଳ୍ପ ରାସ୍ତା ମରାମତି କରାଇଥିଲେ। ତାଙ୍କ ଉଦ୍ୟମରେ ରାସ୍ତା ନିର୍ମାଣ କାମ ସମ୍ପନ୍ନ ହେବା ପରେ ବର୍ତ୍ତମାନ ଲୋକଙ୍କ ଯାତାୟାତ ପୁଣି ସ୍ୱାଭାବିକ ହୋଇଛି।
ରାସ୍ତା ଭାସିଯିବା ପରେ ବିଭାଗୀୟ ସ୍ତରରେ ପଦକ୍ଷେପ ନିଆଯାଇନଥିବା ସମୟରେ ସ୍ଥାନୀୟ ଜନପ୍ରତିନିଧି ଭାବେ ସରପଞ୍ଚ ନକୁଳ ନାଏକଙ୍କ ପଦକ୍ଷେପ ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ରାସ୍ତା ନିର୍ମାଣ ପରେ ସ୍ଥାନୀୟ ଲୋକେ ସରପଞ୍ଚଙ୍କ ଉଦ୍ୟମକୁ ସ୍ୱାଗତ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଆଗାମୀ ଦିନରେ ଏଭଳି ବନ୍ୟା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗ ବ୍ୟବସ୍ଥା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ରାସ୍ତାର ସ୍ଥାୟୀ ସମାଧାନ ଓ ଆବଶ୍ୟକ ମରାମତି ଉପରେ ଗୁରୁତ୍ୱ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
“ଧର୍ମଗଡ ଉପଖଣ୍ଡ ରୁ ପ୍ରଦିପ ଭରା ସଗରିଆ ଙ୍କ ରିପୋର୍ଟ ”
