ଜୟପୁର ବିକ୍ରମ ଦେବ୍ ବିଶ୍ୱବିଦ୍ୟାଳୟ ରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ଇଂଲିଶ ପରୀକ୍ଷା ବାତିଲ୍..
*ସାଇବର ଥାନାରେ ଅଭିଯୋଗ, ତଦନ୍ତ ପାଇଁ ଗଠିତ ହେଲା କମିଟି
କୋରାପୁଟ (ଆପ୍ର =ଗୁପ୍ତେଶ୍ୱର ରଥ )
ପରୀକ୍ଷାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ଇଂଲିଶ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ। ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଇଂଲିଶ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ପରେ କର୍ତ୍ତୃପକ୍ଷ ପରୀକ୍ଷାକୁ ବାତିଲ୍ କରିଛନ୍ତି।
ବିଶ୍ୱବିଦ୍ୟାଳୟର ପରୀକ୍ଷା ପରିଚାଳକ ରଞ୍ଜନ କୁମାର ପ୍ରଧାନ ଘଟଣା ସମ୍ପର୍କରେ କୋରାପୁଟସ୍ଥିତ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏହାର ସତ୍ୟତା ଓ ଘଟଣା ପଛରେ କାହାର ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ଼ ଚାଲିଛି।
ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। କମିଟି ଘଟଣାର ବିଭିନ୍ନ ଦିଗ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବ। ତଦନ୍ତରେ ଅଭିଯୋଗର ସତ୍ୟତା ପ୍ରମାଣିତ ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।
ପ୍ରଶ୍ନପତ୍ରର ଗୋପନୀୟତା ଓ ପରୀକ୍ଷା ବ୍ୟବସ୍ଥାର ନିର୍ଭରଯୋଗ୍ୟତା ଉପରେ ଏଭଳି ଅଭିଯୋଗ ସ୍ୱାଭାବିକ ଭାବେ ଚିନ୍ତା ସୃଷ୍ଟି କରିଛି। ତେବେ ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।
