ଦିଶା ବୈଠକରେ ଅଧିକାରୀଙ୍କୁ ତୀକ୍ଷ୍ଣ ପ୍ରଶ୍ନ
*ମାଣ୍ଡିଆର ବୁଣା ସମୟ ଜାଣିନାହାନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ !*
*ବିଧାୟକଙ୍କ କଡ଼ା ତାଗିଦ୍; ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ*
କୋରାପୁଟ,ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ =ବିକାଶର ଫାଇଲ୍ ମୋଟା ହେଉଛି, ହେଲେ ଗାଁର ରାସ୍ତା କେତେ ସୁଧୁରିଛି ? ଯୋଜନାର ତାଲିକା ଲମ୍ବା ହେଉଛି, ହେଲେ ତାହାର ସୁଫଳ କେତେ ଲୋକଙ୍କ ଘରେ ପହଞ୍ଚୁଛି ? ଏଭଳି ତୀକ୍ଷ୍ଣ ପ୍ରଶ୍ନର ଛାୟାରେ କୋରାପୁଟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଦିଶା ବୈଠକରେ ଜିଲ୍ଲାର ବିକାଶ ବ୍ୟବସ୍ଥାକୁ ନେଇ ମାରାଥନ୍ ଆଲୋଚନା ହୋଇଥିଲା।
ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି ଗ୍ରାମାଞ୍ଚଳର ରାସ୍ତା, ଯାତାୟାତ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପାନୀୟଜଳ ଓ ଭିତ୍ତିଭୂମି ଭଳି ମୌଳିକ ସମସ୍ୟାକୁ ଦୃଢ଼ତାର ସହ ଉଠାଇଥିଲେ। ସରକାରୀ ଯୋଜନା କାଗଜରୁ ତଳକୁ ଓହ୍ଲାଇ ଗାଁର ମାଟିରେ କେତେ ପରିବର୍ତ୍ତନ ଆଣିଛି, ତାହା ଉପରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ।
*ମାଣ୍ଡିଆ ପ୍ରଶ୍ନରେ ଅଟକିଗଲା ଉତ୍ତର!*
ବୈଠକର ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ଥିଲା ମାଣ୍ଡିଆ। କୋରାପୁଟର ଚାଷୀଙ୍କ ଜୀବନ ଓ ଅର୍ଥନୀତି ସହ ଯେଉଁ ଫସଲର ଗଭୀର ସମ୍ପର୍କ, ସେହି ମାଣ୍ଡିଆର ବୁଣା ଓ ଅମଳ ସମୟ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀଙ୍କୁ ସିଧାସଳଖ ପ୍ରଶ୍ନ କରିଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।
ମାଣ୍ଡିଆ କେବେ ବୁଣାଯାଏ ? କେବେ ଅମଳ ହୁଏ ? ଜିଲ୍ଲାରେ ଏହାର ଚାଷ ସମ୍ପର୍କିତ ମୌଳିକ ତଥ୍ୟ କ’ଣ ?—ଏଭଳି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଖୋଜିଥିଲେ ବାହିନିପତି। ଉତ୍ତରରେ ସନ୍ତୁଷ୍ଟ ନହୋଇ ସେ କୃଷି ବିଭାଗର କ୍ଷେତ୍ରସ୍ତରୀୟ ଜ୍ଞାନ ଓ ଦାୟିତ୍ୱବୋଧ ଉପରେ କଡ଼ା ପ୍ରଶ୍ନ ଉଠାଇଥିଲେ।
ଚାଷୀଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିବା ବିଭାଗର ଅଧିକାରୀ ଯଦି ଜିଲ୍ଲାର ପ୍ରମୁଖ ଫସଲର ମୌଳିକ ତଥ୍ୟ ନଜାଣନ୍ତି, ତେବେ କ୍ଷେତ୍ରସ୍ତରରେ ଚାଷୀଙ୍କୁ କିଭଳି ଦିଗଦର୍ଶନ ମିଳିବ — ଏହି ପ୍ରଶ୍ନ ବୈଠକରେ ଗୁରୁତ୍ୱ ପାଇଥିଲା।
କୃଷକଙ୍କ ସ୍ୱାର୍ଥ ସହ ଜଡ଼ିତ ଦାୟିତ୍ୱରେ ଅବହେଳାକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ବିଧାୟକ ସ୍ପଷ୍ଟ କରିଥିଲେ। ଏହି ପ୍ରସଙ୍ଗରେମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ଦରମା ବନ୍ଦ କରିବା ସମ୍ପର୍କରେ ଜିଲ୍ଲାପାଳଙ୍କୁ ତାଗିଦ୍ ଦିଆଯାଇଥିବା କଥା ମଧ୍ୟ ବୈଠକରେ ସାମ୍ନାକୁ ଆସିଥିଲା।
*ରାସ୍ତା ନାଁରେ ଖର୍ଚ୍ଚ, ଯାତାୟାତରେ ଯନ୍ତ୍ରଣା*
କୋରାପୁଟର ଦୁର୍ଗମ ଗାଁଗୁଡ଼ିକ ପାଇଁ ରାସ୍ତା କେବଳ କଂକ୍ରିଟ୍ ଓ ପିଚୁ ନୁହେଁ , ଏହା ଜୀବନର ଧମନୀ। ରାସ୍ତା ଭାଙ୍ଗିଲେ ଆମ୍ବୁଲାନ୍ସ ଅଟକେ, ଛାତ୍ରଛାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୁଏ ଓ ଚାଷୀଙ୍କ ଉତ୍ପାଦ ବଜାରକୁ ପହଞ୍ଚିବାରେ ସମସ୍ୟା ହୁଏ।
ଏହି ବାସ୍ତବତାକୁ ନଜରରେ ରଖି ରାସ୍ତାଘାଟର ଦୁରବସ୍ଥା, ଗ୍ରାମୀଣ ଯୋଗାଯୋଗ ଓ ଚାଲୁଥିବା ଭିତ୍ତିଭୂମି କାର୍ଯ୍ୟର ଗୁଣବତ୍ତା ନେଇ ଆଲୋଚନା ହୋଇଥିଲା। କାମ ନାମରେ କେବଳ ଫାଇଲ୍ ଚାଲିଲେ ହେବନାହିଁ, ତାହାର ପ୍ରଭାବ ରାସ୍ତାରେ ଦେଖାଯିବା ଦରକାର ବୋଲି ବିଧାୟକ ଗୁରୁତ୍ୱ ଦେଇଥିଲେ।
*ଦୁର୍ଗମ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା କେତେ ଦୂର ?*
ସ୍ୱାସ୍ଥ୍ୟସେବାର ଚିତ୍ର ନେଇ ମଧ୍ୟ ବୈଠକରେ ପ୍ରଶ୍ନ ଉଠିଥିଲା। ସରକାରୀ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ମାନବସମ୍ବଳ, ଭିତ୍ତିଭୂମି ଓ ସେବା ଉପଲବ୍ଧ ରହିବା ସହ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ସମୟରେ ଚିକିତ୍ସା ମିଳିବା ଉପରେ ଜୋର ଦିଆଯାଇଥିଲା।
କାଗଜରେ ସ୍ୱାସ୍ଥ୍ୟକେନ୍ଦ୍ର ଥିବା ଓ ବାସ୍ତବରେ ସେଠାରେ ସେବା ମିଳିବା — ଏହି ଦୁଇଟି ମଧ୍ୟରେ ଥିବା ଫରକ ଦୂର କରିବାର ଆବଶ୍ୟକତା ମଧ୍ୟ ଆଲୋଚନାରେ ପ୍ରତିଫଳିତ ହୋଇଥିଲା।
*ବିଦ୍ୟାଳୟ ଅଛି, ହେଲେ ସୁବିଧା କେତେ ?*
ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି,ମଙ୍ଗଳ ବିଭାଗ ଓ ଏକଲବ୍ୟ ସ୍କୁଲ ର ଅନିୟମିତତା ବିଦ୍ୟାଳୟର ଆବଶ୍ୟକ ସୁବିଧା ଓ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ସମାନ ଶିକ୍ଷା ସୁଯୋଗ ଦେବା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ବିକାଶର ଅର୍ଥ କେବଳ ନୂଆ କୋଠା ନିର୍ମାଣ ନୁହେଁ ଶିକ୍ଷାର ଗୁଣବତ୍ତା, ଛାତ୍ରଛାତ୍ରୀଙ୍କ ସୁବିଧା ଓ ଶିକ୍ଷାର ନିରନ୍ତରତା ହିଁ ଏହାର ପ୍ରକୃତ ମାପଦଣ୍ଡ ବୋଲି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଫାଇଲ୍ରେ ନୁହେଁ, ମାଟିରେ ଦିଶୁ ବିକାଶ
ଦିଶା ବୈଠକରେ ଉଠିଥିବା ପ୍ରସଙ୍ଗଗୁଡ଼ିକ ଗୋଟିଏ କଥାକୁ ସ୍ପଷ୍ଟ କରିଥିଲା — ବିକାଶର ହିସାବ କାଗଜରେ ନୁହେଁ, ଲୋକଙ୍କ ଜୀବନରେ ହେବା ଦରକାର।
ଗାଁର ରାସ୍ତା ସୁଧୁରିଛି କି? ଚାଷୀ ନିଜ ଫସଲ ପାଇଁ ଆବଶ୍ୟକ ସହାୟତା ପାଉଛି କି ? ଦୁର୍ଗମ ଅଞ୍ଚଳର ରୋଗୀ ଠିକ୍ ସମୟରେ ଚିକିତ୍ସା ପାଉଛି କି ? ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଶିକ୍ଷା ସୁବିଧା ମିଳୁଛି କି ?—ଏହି ପ୍ରଶ୍ନର ଉତ୍ତର ହିଁ ଜିଲ୍ଲାର ବିକାଶର ପ୍ରକୃତ ଆଇନା।
ସରକାରୀ ଯୋଜନା କାଗଜରେ ଅଟକି ନରହି, ତାହାର ସୁଫଳ ଶେଷ ପର୍ଯ୍ୟାୟର ଲୋକଙ୍କ ଘରଦ୍ୱାରରେ ପହଞ୍ଚିବା ଦରକାର। ଏଥିପାଇଁ ଅଧିକାରୀଙ୍କ କାର୍ଯ୍ୟରେ ଦାୟିତ୍ୱବୋଧ, ବିଭାଗୀୟ ସମନ୍ୱୟ ଓ ନିୟମିତ ତଦାରଖ ନିଶ୍ଚିତ କରିବାର ଆବଶ୍ୟକତା ଦିଶା ବୈଠକରେ ଶାଣିତ ଭାବେ ଉଭା ହୋଇଥିଲା।
