ନୂଆଁଖାଇ ଭେଟ: କବିତାରେ ଫୁଟିଲା ମାଟି ପର୍ବର ଭାବ
ଅମୀର ଖୁସରୁ ଫାଉଣ୍ଡେସନ ପକ୍ଷରୁ ଆଲୋଚନା ଓ ସମ୍ବଲପୁରୀ କବିତା ପାଠୋତ୍ସବ
ସମ୍ବଲପୁର, ୧୮.୦୯ : ସମ୍ବଲପୁର ସାମ୍ବାଦିକ ଭବନଠାରେ ଅମୀର ଖୁସରୁ ଫାଉଣ୍ଡେସନ ପକ୍ଷରୁ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ନୂଆଁଖାଇର ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋଚନା ସହ ସମ୍ବଲପୁରୀ କବିତା ପାଠ ମାଧ୍ୟମରେ ଉତ୍ସବର ଭାବ, ପରମ୍ପରା ଓ ମାଟି ପ୍ରତି ଭଲପାଇବାର ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା।
ଅନୁଷ୍ଠାନର ସଭାପତି ନାସିର ଫରହଜଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଆଇନଜୀବୀ ସୁରେଶ୍ୱର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆବାହକ ସୂର୍ଯ୍ୟ ପାଣିଗ୍ରାହୀ, ଉପସଭାପତି ଅକମଲ ଖାନ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ତ୍ରିପାଠୀ ଓ ଜୟକୃଷ୍ଣ ବେହେରା ମଞ୍ଚାସୀନ ଥିଲେ।
ପ୍ରାରମ୍ଭରେ ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ଯୁଗ୍ମ ସମ୍ପାଦକ ତ୍ରିଲୋଚନ ତ୍ରିପାଠୀ ମା’ଙ୍କ ଉଦ୍ଦେଶ୍ୟରେ ଭକ୍ତିପୂର୍ଣ୍ଣ ଗୀତ ପରିବେଷଣ କରିଥିଲେ। ଆବାହକ ସୂର୍ଯ୍ୟ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଗଣପର୍ବ ନୂଆଁଖାଇର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଉପସଭାପତି ଅକମଲ ଖାନ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ସୁରେଶ୍ୱର ଭୋଇ କହିଥିଲେ ଯେ, ଆଜିର ଦିନରେ ନୂଆଁଖାଇର ସ୍ୱରୂପ ଅଧିକ ବ୍ୟାପକ ଓ ସୁଦୂରପ୍ରସାରୀ ହୋଇପାରିଛି। ସଭାପତି ନାସିର ଫରହଜ ନିଜ ବକ୍ତବ୍ୟରେ ନୂଆଁଖାଇ ଏହି ମାଟିର ଏକ ଅନନ୍ୟ ପର୍ବ ଏବଂ ସାରା ଦେଶରେ ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ମତବ୍ୟକ୍ତ କରିଥିଲେ।
ପରେ କବୟିତ୍ରୀ ପଙ୍କଜିନୀ ନାୟକ ଓ ସୁଷମା ପ୍ରଧାନଙ୍କ ସଂଯୋଜନାରେ ସମ୍ବଲପୁରୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୁଣରଞ୍ଜନ ସାଲିମା, ସବିତା ମିଶ୍ର, ତପସ୍ୱିନୀ ନେପାକ, ଲକ୍ଷ୍ମୀନାରାୟଣ ପଣ୍ଡା, ଲଳିତ ମୋହନ ବେବର୍ତ୍ତା, ଡ. ଅନୁପମା ବିଶ୍ୱାଳ, କାନ୍ହୁ କେଶବ ବହିଦାର, ସିଦ୍ଧି ସ୍ୱରୂପା ପାଢ଼ୀ, କମଳ ଲୋଚନ ପଣ୍ଡା, ମମତା ନାଥ, ତରିଣୀକାନ୍ତ ଡନସେନା, ଅଳକା ମହାପାତ୍ର, ଡା. ରାଜାରାମ ଷଡ଼ଙ୍ଗୀ, ସୁପ୍ରିୟା ଦାସ, ପ୍ରଭଞ୍ଜନ ପୁରୋହିତ, ବିରଜା ମୋହିନୀ ତ୍ରିପାଠୀ ଓ କଳ୍ପନା ମହାପାତ୍ର ପ୍ରମୁଖ ସ୍ୱରଚିତ ଭାବଗର୍ଭକ ସମ୍ବଲପୁରୀ କବିତା ପାଠ କରିଥିଲେ।
କାର୍ଯ୍ୟକ୍ରମକୁ ସୌମିକ ବାବୁ ଓ ମନୋଜ ପଣ୍ଡା ପ୍ରମୁଖ ସୁପରିଚାଳନା କରିଥିବା ବେଳେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
