କୋଲକାତା ଯୋଗ ପରିବାର ପକ୍ଷରୁ ଭିନକ୍ଷମ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାନସିକ ଦୃଷ୍ଟିରୁ ମନ୍ଦ ଥିବା ବାଳକବାଳିକା ଙ୍କ ନିମନ୍ତେ ଶିକ୍ଷା ଓ ଥଇଥାନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଭାବେ କାର୍ଯ୍ୟ କରୁଥିବା କୋଲକାତା ର ସଂଗଠନ କୋଲକାତା ଯୋଗ ପରିବାର ପୁରୀର ସଂସ୍କୃତି ଭବନ ପରିସରରେ ଏକ ଯୋଗ, ସଙ୍ଗୀତ, ନୃତ୍ୟ ଓ କବିତା ଆବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପଶ୍ଚିମବଙ୍ଗ କୋଲକାତା ରୁ ଆସିଥିବା ମନ୍ଦବୁଦ୍ଧି ସଂପନ୍ନ ବାଳକବାଳିକା ଓ ସେମାନଙ୍କର ଅଭିଭାବକ ପ୍ରାୟ ସତୁରୀଜଣ ବିଭିନ୍ନ ପରିଦର୍ଶନ କରିଥିଲେ। ପ୍ରାକ୍ତନ ପୌରସଦସ୍ୟ ଭକ୍ତଚରଣ ଦାସ, ଐତିହ୍ୟ ବିଶାରଦ ଦେବୀପ୍ରସନ୍ନ ନନ୍ଦ, ବରିଷ୍ଠ ସାମ୍ବାଦିକ ତଥା ଦୃଷ୍ଟି ର ମୁଖ୍ୟ ସଂପାଦକ ନାରାୟଣ ଦାଶ ଏବଂ ପାତଞ୍ଜଳି ଯୋଗସମିତି ର ଜିଲ୍ଲା ସଂପାଦକ ମହେଶପ୍ରସାଦ ରଥ ଅତିଥି ରୂପେ ଯୋଗଦାନ କରି ଆୟୋଜକ ଓ ପ୍ରଦର୍ଶନକାରୀ ମାନଙ୍କୁ ଉତ୍ସାହିତ କରିଥିଲେ। କୋଲକାତା ଯୋଗ ପରିବାରର ସୁବିନୟ ମୁଖୋପାଧ୍ୟାୟ, ସିଖା ସାହା, ସମ୍ପା ଦେ ଏବଂ ପ୍ରଭାତ ମୋରେ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଚିକିତ୍ସା ରେ ଭଲ ହୋଇପାରୁନଥିବା ମନ୍ଦବୁଦ୍ଧି ବାଳକବାଳିକା ଙ୍କୁ ବିଭିନ୍ନ ବିଷୟରେ ଶିକ୍ଷାଦାନ କରି ସେମାନଙ୍କୁ ସମାଜରେ ବଞ୍ଚିବା ଦିଗରେ ସହଯୋଗ କରି ଆସୁଥିବା ପରିବାର ବର୍ଷ ମଧ୍ୟରେ ଦେଶର ପ୍ରମୁଖ ସ୍ଥାନମାନଙ୍କୁ ସେହି ବାଳକବାଳିକା ଓ ସେମାନଙ୍କ ଅଭିଭାବକ ଙ୍କୁ ପରିଦର୍ଶନ ରେ ନେବା ସହିତ ସେମାନଙ୍କ ଦକ୍ଷତା ର ମଞ୍ଚ ପ୍ରଦର୍ଶନ କରିଆସୁଥିବା ଜଣାଯାଇଛି।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
