ଉମରକୋଟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ଚାରାରୋପଣ ଅଭିଯାନ ପରିବେଶ ସୁରକ୍ଷା ପାଇଁ ଶିକ୍ଷକ ଓ ସମାଜ ପ୍ରତିନିଧିଙ୍କ ମିଳିତ ପ୍ରୟାସ……….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ମନରେ ପ୍ରକୃତି ପ୍ରତି ଭଲପାଇବା ଏବଂ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଉମରକୋଟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ଚାରାରୋପଣ ଅଭିଯାନ ଅନୁଷ୍ଠିତ ହୋଇଛି। ସମାଜ ପ୍ରତିନିଧି ନିଗମ କୁମାର ସାହୁଙ୍କ ପ୍ରୟାସରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏହି ଅଭିଯାନ ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବାଘଙ୍କ ସମେତ ସାଗର କୁମାର ପରିଡ଼ା, ରଞ୍ଜନ କୁମାର ବେହେରା, ପ୍ରଫୁଲ୍ଲ କୁମାର ରାଉତ, ବଲ୍ଲଭ କୁମାର ରାଉତ, ମହାନନ୍ଦ ମହାଳିକ, ରାମଚନ୍ଦ୍ର ରାମ, ରାଜକିଶୋର ନାୟକ, ପ୍ରକାଶ ଚନ୍ଦ୍ର ବେହେରା, ଶେଖ୍ ନାସିରୁଦ୍ଦିନ୍, କେଦାରେଶ୍ୱର ପଟ୍ଟନାୟକ, ବଂଶୀଧର ଭୁୟାଁ ପ୍ରମୁଖ ଶିକ୍ଷକ ସହଯୋଗ କରିଥିଲେ। ସେମାନଙ୍କ ସହଯୋଗରେ ବିଭିନ୍ନ ବିଦ୍ୟାଳୟ ପରିସର, ଖେଳ ପଡ଼ିଆ ଓ ଖାଲି ସ୍ଥାନରେ ଫଳ, ଔଷଧୀୟ ଓ ଛାୟା ପ୍ରଦାନକାରୀ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା। ଚାରାରୋପଣ ସମୟରେ ଶିକ୍ଷକମାନଙ୍କ ସହ ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହର ସହ ଯୋଗଦେଇଥିଲେ। ବିଶେଷକରି ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟ, ଭୀମଗୁଡ଼ାରେ ପ୍ରଧାନଶିକ୍ଷକ ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱରେ ଚାରାରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ସମାଜ ପ୍ରତିନିଧି ନିଗମ କୁମାର ସାହୁ ଯୋଗଦେଇ ଚାରାରୋପଣ କରିବା ସହ ଏହାର ସୁରକ୍ଷା ଓ ନିୟମିତ ଯତ୍ନ ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ନିଗମ କୁମାର ସାହୁଙ୍କ ପ୍ରୟାସରେ ଉମରକୋଟ ସମେତ ବିଭିନ୍ନ ବ୍ଲକର ବିଦ୍ୟାଳୟଗୁଡ଼ିକରେ ଏଭଳି ଚାରାରୋପଣ ଅଭିଯାନ ଜାରି ରହିଛି। ଏହା ମାଧ୍ୟମରେ ବିଦ୍ୟାଳୟ ପରିସରକୁ ସବୁଜିମାମୟ କରିବା ସହ ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ସୁରକ୍ଷାର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ଶିକ୍ଷକମାନେ କହିଥିଲେ ଯେ, ଗଛ ମଣିଷ ଜୀବନର ଅମୂଲ୍ୟ ସମ୍ପଦ। ଗଛ ଅମ୍ଳଜାନ ଯୋଗାଇବା ସହ ପରିବେଶର ସନ୍ତୁଳନ ରକ୍ଷା କରିଥାଏ। ତେଣୁ କେବଳ ଚାରା ଲଗାଇଦେଲେ ହେବ ନାହିଁ, ଏହାକୁ ବଡ଼ କରିବା ପର୍ଯ୍ୟନ୍ତ ନିୟମିତ ଯତ୍ନ ନେବା ଆମ ସମସ୍ତଙ୍କ ଦାୟିତ୍ୱ। ସମାଜ ପ୍ରତିନିଧି ନିଗମ କୁମାର ସାହୁ କହିଥିଲେ, ବିଦ୍ୟାଳୟରୁ ହିଁ ପରିବେଶ ସୁରକ୍ଷାର ଚେତନା ଆରମ୍ଭ ହେବା ଆବଶ୍ୟକ। ଆଜି ଲଗାଯାଇଥିବା ଗୋଟିଏ ଚାରା ଆଗାମୀ ପିଢ଼ି ପାଇଁ ଏକ ବଡ଼ ସମ୍ପଦ ହୋଇପାରିବ। ତେଣୁ ଅଧିକରୁ ଅଧିକ ଚାରା ଲଗାଇବା ସହ ତାହାର ସୁରକ୍ଷା କରିବା ଆମର ଲକ୍ଷ୍ୟ ହେବା ଉଚିତ। ଏହି ଅଭିଯାନରେ ସହଯୋଗ କରିଥିବା ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଅଧିକ ସଂଖ୍ୟକ ଚାରାରୋପଣ କରି ସେଗୁଡ଼ିକର ସୁରକ୍ଷା ପାଇଁ ଆହ୍ୱାନ ଦିଆଯାଇଥିଲା।
