August 14, 2026

ମଣ୍ଡଳ ସ୍ତରୀୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

IMG-20260813-WA0019
Share

 

କୋଲନରା:(ସଞ୍ଜୀବ କଣ୍ଡାଗରୀ) କୋଲନରା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗ୍ୟାଲେରୀ ଗୃହରେ ମଣ୍ଡଳ ସ୍ତରୀୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଶିକ୍ଷାଧିଶ ଶ୍ୟାମଘନ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୁକ୍ତ ଦୁଇ ବିଭାଗର ଅଧ୍ୟକ୍ଷ ସୁନୀଲ କୁମାର ପାଢ଼ୀ, ଗଜପତି ଜିଲ୍ଲା ଶିକ୍ଷା ନିରୀକ୍ଷକ ରମେଶ ଚନ୍ଦ୍ର ଦାଶ, ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଚ୍ଚିଦାନନ୍ଦ ପୃଷ୍ଟି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯିବା ପରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ବୈଠକରେ ବିଦ୍ୟାଳୟ ଗୁଡ଼ିକର ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଗ୍ରଗତି ଏବଂ ବିଦ୍ୟାଳୟର ସାମଗ୍ରିକ ପରିଚାଳନା ନେଇ ସମୀକ୍ଷା କରାଯାଇଥିଲା। ବିଶେଷକରି ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପିଲାମାନଙ୍କ ଶିକ୍ଷା ସହିତ ସେମାନଙ୍କ ମାନସିକ, ସାମାଜିକ ଓ ନୈତିକ ବିକାଶ ପାଇଁ ବିଦ୍ୟାଳୟ ସ୍ତରରେ ଆବଶ୍ୟକ ପଦକ୍ଷେପ ନେବାକୁ ଆଲୋଚନା କରାଯିବା ସହ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଶିକ୍ଷାର ମାନ ବୃଦ୍ଧି ଓ ବିଦ୍ୟାଳୟର ପରିବେଶକୁ ଅଧିକ ଉନ୍ନତ କରିବା ନେଇ ମତ ବିନିମୟ ହୋଇଥିଲା। ଉକ୍ତ ବୈଠକରେ ଯୋଗଦେଇଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ନିଜ ନିଜ ବିଦ୍ୟାଳୟର ସମସ୍ୟା, ଅନୁଭୂତି ଓ ଶିକ୍ଷାଦାନ କ୍ଷେତ୍ରର ବିଭିନ୍ନ ଦିଗ ନେଇ ଅବଗତ କରିଥିଲେ। ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଉନ୍ନତି ସହିତ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଧ୍ୟାପକ କେଶବ ଦାଶ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ। ସହକାରୀ ଶିକ୍ଷକ ସୁଶାନ୍ତ କୁମାର ଜେନା, ସନ୍ତୋଷ କୁମାର ପ୍ରଧାନ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ବୈଠକରେ ରାୟଗଡ଼ା ଓ ଗଜପତି ଜିଲ୍ଲାର ବିଭିନ୍ନ କଲ୍ୟାଣ ବିଭାଗ ଅଧୀନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

You may have missed