September 22, 2026

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି ଉଷ୍ମ ପସ୍ରବଣ ର ଗନ୍ଧକଯୁକ୍ତ ଗରମ ପାଣି ରେ ସ୍ନାନ କଲେ ପୀଠ ରେ ମା ‘ କନ୍ଧୁଣି ଦେବୀ ଙ୍କୁ କଲେ ପୂଜାର୍ଚ୍ଚନା ପାରମ୍ପରିକ ନୃତ୍ୟ ଗୀତ ରେ ଦୁଲୁକି ଉଠିଲା ପର୍ଯ୍ୟଟନ କ୍ଷେତ୍ର  

IMG-20260805-WA0037
Share

 

ସାନଖେମୁଣ୍ଡି ୫|୮: (ବିଜୟ କୁମାର ପ୍ରଧାନ )ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ  ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ  ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଠାରେ ସଠିକ କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ଅପରାହ୍ନ ପ୍ରାୟ ୧ ଟାରେ ପହଞ୍ଚିଥିଲେ। ସାମାନ୍ୟ ଝିପି ଝିପି ବର୍ଷା ହୋଇଥିଲା। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଥମେ ସେ ତପ୍ତପାଣି ଠାରେ ଥିବା ରାଜ୍ୟ ପର୍ଯ୍ୟଟନ ବିଭାଗ ର ପାନ୍ଥ ନିବାସ ଠାରେ ପହଞ୍ଚି ଥିଲେ।କିଛି ସମୟ ବିଶ୍ରାମ ପରେ ସ୍ଵତନ୍ତ୍ର ସୁଟ୍ ରେ ତପ୍ତପାଣି ଉଷ୍ମ ପସ୍ରବଣ ରୁ ପାଇପ ଯୋଗେ ଆସୁଥିବା ଗନ୍ଧକଯୁକ୍ତ ଗରମ ପାଣି ରେ ସ୍ନାନ କରିଥିଲେ।ପରେ ଜନଜାତି ସମ୍ପ୍ରଦାୟର କଳାକାର ବୃନ୍ଦ ପାରମ୍ପରିକ ବାଦ୍ୟ ବାଜଣା ର ତାଳେ ତାଳେ ନୃତ୍ୟ କରି ରାଷ୍ଟ୍ରପତି ଙ୍କୁ   ତପ୍ତପାଣି ଉଷ୍ମ ପସ୍ରବଣ ଗରମପାଣି କୁଣ୍ଡ ରେ ବିରାଜିତ ମା ‘ କନ୍ଧୁଣି ଦେବୀ ଙ୍କ ମନ୍ଦିର ଯାଏଁ ପାଛୋଟି ନେଇଥିଲେ।ସାଙ୍ଗରେ ଥିଲେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମ୍ ପାଟି,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଷ୍ଟ୍ରପତି ଗସ୍ତକୁ ନେଇ ସ୍ଥାନୀୟ ଜନଜାତି  ସମ୍ପ୍ରଦାୟ ମଧ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା।ମନ୍ଦିର ପରିସର ଶୁଭ ଶଙ୍ଖଧ୍ୱନି, ଘଣ୍ଟନାଦ, ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ଭକ୍ତିମୟ ପରିବେଶରେ ପ୍ରକମ୍ପିତ ହୋଇଉଠିଥିଲା। ପାରମ୍ପରିକ ଆଦିବାସୀ ରୀତିନୀତି ଅନୁଯାୟୀ ମନ୍ଦିରର ପୂଜକମାନେ ଏବଂ ସ୍ଥାନୀୟ ଜନଜାତି  ସମ୍ପ୍ରଦାୟ ର ଲୋକେ ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ଆନ୍ତରିକତାର ସହ  ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ।ପବିତ୍ର ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ  ରାଷ୍ଟ୍ରପତି ମା’ କନ୍ଧୁଣୀ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦେଶର ଶାନ୍ତି, ସମୃଦ୍ଧି, ଏକତା ଏବଂ ସର୍ବସାଧାରଣଙ୍କ ମଙ୍ଗଳ କାମନା କରିଥିଲେ। ପରେ ସେ ନିକଟସ୍ଥ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ବେଢ଼ା ରେ ପହଞ୍ଚି ଠାକୁର ଙ୍କୁ ଦର୍ଶନ କରିବା ସହ ଦିବ୍ୟ ଆରତିରେ ଅଂଶଗ୍ରହଣ କରିଥିଲେ।ପରେ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ମଞ୍ଚ ରେ ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ ଦଳ ର ନୃତ୍ୟ ଗୀତ ଉପଭୋଗ କରିଥିଲେ। ସେଠାରେ ଉପସ୍ଥିତ କୁନି କୁନି ପିଲା ଓ ଛାତ୍ରୀ ମାନଙ୍କୁ ରାଷ୍ଟ୍ରପତି ଚୋକଲେଟ ଦେଇଥିଲେ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍,ବ୍ରହ୍ମପୁର ଏସ.ପି ଡା. ଶ୍ରବଣା ବିବେକ ଏମ. , ଗଞ୍ଜାମ ଏସ.ପି ହରିଶ୍ ବି. ସି ,ଆସିକା ଏମ.ପି ଅନିତା ଶୁଭଦର୍ଶନୀ,ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ଜିଲା ମୁଖ୍ୟ ଉନ୍ନୟନ  ଅଧିକାରୀ ସମୀର କୁମାର ଜେନା,ସାନଖେମୁଣ୍ଡି ବ୍ଲକ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଙ୍କ ସମେତ ଗଞ୍ଜାମ ଗଜପତି ଜିଲା ର ବହୁ ସଂଖ୍ୟକ ପଦସ୍ଥ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ପାନ୍ଥ ନିବାସ ରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ ପରେ ଅପରାହ୍ନ ପ୍ରାୟ ୪ ଟାରେ ତପ୍ତପାଣି ରୁ ବାହାରି ଠିକ୍ ସାଢେ ୪ ଟାରେ ଦିଗପହଣ୍ଡି ଅତିକ୍ରମ କରି ଭାୟା ବ୍ରହ୍ମପୁର ଦେଇ ଗୋପାଳପୁର ଅଭିମୁଖେ ଯାଇଥିଲେ।  ଏହି ଅବିସ୍ମରଣୀୟ ଦିବସ ଅବସରରେ ମା ‘ କନ୍ଧୁଣି ଦେବୀ ଙ୍କ ମୁଖ୍ୟ ପୂଜକ ପ୍ରଶାନ୍ତ କୁମାର ଜାନୀ ଅତ୍ୟନ୍ତ ଆନନ୍ଦିତ ହୋଇ ରାଷ୍ଟ୍ରପତିଙ୍କୁ ଆମ ପ୍ରାଚୀନ ପରମ୍ପରା ଅନୁଯାୟୀ ଶଙ୍ଖଧ୍ୱନି, ଘଣ୍ଟନାଦ ଓ ବୈଦିକ ରୀତିନୀତିରେ ସ୍ୱାଗତ କରିବା ଆମ ପାଇଁ ପରମ ସୌଭାଗ୍ୟର ବିଷୟ। ମା’ କନ୍ଧୁଣୀ ଦେବୀ ଙ୍କ ପବିତ୍ର ପୀଠର ଇତିହାସରେ ଏହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଦେଶର ପ୍ରଥମ ନାଗରିକଙ୍କ ପବିତ୍ର ପଦାର୍ପଣ ଆମ ସମଗ୍ର ଜନଜାତି ସମ୍ପ୍ରଦାୟକୁ ଗର୍ବିତ ଓ ଆତ୍ମବିଭୋର କରିଛି ବୋଲି ସେ କହିଥିଲେ। ଜନଜାତି ସମ୍ପ୍ରଦାୟଙ୍କ ଆସ୍ଥା ବିଶ୍ୱାସ ଓ ପରମ୍ପରାର ପ୍ରତୀକ ଭାବେ ପୂଜା ପାଉଥିବା ମା ‘ କନ୍ଧୁଣି ଦେବୀ ଙ୍କ ଆସ୍ଥାନ ତଥା ପ୍ରକୃତିଦତ୍ତ ଆରୋଗ୍ୟ କ୍ଷେତ୍ର  ତପ୍ତପାଣି  ଗସ୍ତ କରିବାରେ ସେ ଦେଶର ପ୍ରଥମ କାର୍ଯ୍ୟରତ ରାଷ୍ଟ୍ରପତି ଭାବେ ଇତିହାସ ସୃଷ୍ଟି କରିଛନ୍ତି।ରାଷ୍ଟ୍ରପତି ଙ୍କ ଗସ୍ତ ସମଗ୍ର ଅଞ୍ଚଳ ପାଇଁ ଗୌରବ, ଆଧ୍ୟାତ୍ମିକତା ଓ ଆନନ୍ଦର ଏକ ଅବିସ୍ମରଣୀୟ ଅଧ୍ୟାୟ ହୋଇ ରହିବ ବୋଲି ତପ୍ତପାଣି ଉନ୍ନୟନ କମିଟିର କର୍ମକର୍ତ୍ତା ବୃନ୍ଦ କହିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ କୁ ନେଇ ସମଗ୍ର ତପ୍ତପାଣି ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ସ୍ଥାନୀୟ ଜନଜାତି ସମ୍ପ୍ରଦାୟ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ଏହାକୁ କେବଳ ରାଷ୍ଟ୍ରପତି ଙ୍କ ଉଚ୍ଚସ୍ତରୀୟ ଗସ୍ତ ଭାବେ ନୁହେଁ ବରଂ ସେମାନଙ୍କ ସଂସ୍କୃତି, ପରମ୍ପରା, ଆସ୍ଥା ଓ ଜୀବନଶୈଳୀ ପ୍ରତି ଜାତୀୟ ସମ୍ମାନର ଏକ ଅନନ୍ୟ ପ୍ରତୀକ ଭାବେ ଦେଖିଥିବା କହିଛନ୍ତି। ତପ୍ତପାଣି ରେ ରାଷ୍ଟ୍ରପତି ଙ୍କ ପଦାର୍ପଣ କେବଳ ମା’ କନ୍ଧୁଣୀ ଦେବୀ ପୀଠର ଐତିହ୍ୟକୁ ନୂତନ ଗୌରବ ପ୍ରଦାନ କରିନାହିଁ ବରଂ ଗଞ୍ଜାମର ଜନଜାତି ପରମ୍ପରା, ଧାର୍ମିକ ପର୍ଯ୍ୟଟନ ଓ ସାଂସ୍କୃତିକ ବୈଭବକୁ ଜାତୀୟ ଦୃଶ୍ୟପଟ ରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

 

 

You may have missed