ଗଣଧାରଣାର ୧OO ଦିନ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା କଂଗ୍ରେସ ତରଫରୁ ବିଶାଳ ପଦଯାତ୍ରା ଅନୁଷ୍ଠିତ

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରୁ ରାୟଗଡା, କଳାହାଣ୍ଡି, ନୂଆପଡା ଦେଇ ଛତିଶଗଡ଼ର ରାୟପୁରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାଟି ଓଡିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ମଧ୍ୟରେ ପ୍ରମୁଖ ବାଣୀଜ୍ୟିକ କରିଡୋର ପାଲଟିଥିବାବେଳେ, ଏହି ମୁଖ୍ୟରାସ୍ତା ମଝିରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତୁର୍କେଲ ନଦୀ ଉପରେ ନିର୍ମିତ ସେତୁଟି ବହୁ ପୁରୁଣା ହେବାସହ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ପଟ ଦାବିଯିବା କାରଣରୁ ପୂର୍ତ୍ତ ବିଭାଗ ତରଫରୁ ଏହି ସେତୁ ଉପରେ ଯାନବାହାନ ଚଳାଚଳ ସମ୍ପୂର୍ଣ ରୂପେ ବନ୍ଦ କରି ଦିଆଯାଇଛି।ତେଣୁ ଆଜିକୁ ସାତ ଆଠ ମାସରୁ ଉର୍ଦ୍ଧ ହେବ କଳାହାଣ୍ଡି, ନୂଆପଡା ଜିଲ୍ଲାରେ ବାଣୀଜ୍ୟିକ କାରବାର ସମ୍ପୂର୍ଣ ଠପ ହେବାସହ ସାଧାରଣ ଲୋକେ ଗମନା ଗମନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ସମସ୍ୟାର ଶୀଘ୍ର ସମାଧାନ ଦାବି ନେଇ ଆଜକୁ ତିନି ମାସରୁ ଉର୍ଦ୍ଧ ହେବ କଳାହାଣ୍ଡି ଜିଲ୍ଲା କଂଗ୍ରେସ ତରଫରୁ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସଙ୍କ ନେତୃତ୍ୱରେ ଗଣ ଧାରଣା ଚାଲି ଆସିଥିବା ବେଳେ, ଗତ କାଲି ଏହି ଗଣ ଧାରଣାର ଶହେ ଦିନ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା କଂଗ୍ରେସ ତରଫରୁ ସାଗର ଦାସଙ୍କ ନେତୃତ୍ୱରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦ ଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀଙ୍କ ସହ ଶତାଧିକ ଛାତ୍ର ଛାତ୍ରୀ, ବ୍ୟବସାୟୀ ଓ ସାଧାରଣ ଜନତା ଭାଗ ନେଇ ତୁର୍କେଲ ସେତୁ ଠାରୁ ଭବାନୀପାଟଣା ପର୍ଯ୍ୟନ୍ତ ପ୍ରାୟ ତିରିଶ କି.ମି ରାସ୍ତା ପଦଯାତ୍ରା କରି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଂଚିବା ସହ ଶ୍ରୀ ସାଗର ଦାସ ଜଣାଇଛନ୍ତି ଯେ’ ଶିକ୍ଷା,ସ୍ବାସ୍ଥ୍ୟ, ବାଣିଜ୍ୟ ତଥା ଗମନା ଗମନରେ ଏହି ତୁର୍କେଲ ସେତୁ ମୁଖ୍ୟ ଭୂମିକା ଗ୍ରହଣ କରୁ ଥିବାବେଳେ ରାଜ୍ୟ ସରକାରଙ୍କୁ ସେତୁ ନିର୍ମାଣ ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ନେଇ କ୍ଷୋଭ ପ୍ରକାଶ କରିବାସହ ରାଜ୍ୟ ସରକାର ଏହି ତୁର୍କେଲ ସେତୁର ପୁନଃ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିସହ ଜଣାଇଛନ୍ତି ଯେ’ସେତୁ କାର୍ଯ୍ୟ ଆରମ୍ଭ ନହେବା ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ ତରଫରୁ ଏହି ଆନ୍ଦୋଳନ ଜାରି ରହିବ।
