ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଲେ ଆଦର୍ଶ ବିଦ୍ୟାଳୟ ପ୍ରିନସିପାଲ..
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନସିପାଲ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସୂଚନା ଅନୁଯାୟୀ, ଥୁ. ରାମପୁର ସ୍ଥିତ ଆଦର୍ଶ ବିଦ୍ୟାଳୟରେ ସଫେଇ ଓ ମେସ କାର୍ଯ୍ୟରେ ନିୟୋଜିତ ଥିବା ମା’ଧରଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା କର୍ମକର୍ତ୍ତାଙ୍କ ତିନି ମାସର ବକେୟା ଦରମା ବିଲ ପାସ କରାଇଦେବା ପାଇଁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନସିପାଲ ଶ୍ରୀ ସୀତାକାନ୍ତ ରଣା ଦଶ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏନେଇ ଉକ୍ତ ମହିଳା କର୍ମକର୍ତ୍ତା ଜଣକ ଅନେକ ଥର ଅନୁରୋଧ କରିବା ପରେ ମଧ୍ୟ ଶ୍ରୀ ରଣା ନିଜ ଜିଦରେ ଅଡ଼ି ବସିଥିଲେ। ଶେଷରେ ଏସ ଏଚ ଜି କର୍ମକର୍ତ୍ତା ଜଣକ ବାଧ୍ୟ ହୋଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ତ ହୋଇଥିଲେ। ଏହାପରେ ଭବାନୀପାଟଣା ଭିଜିଲାନ୍ସ ଓ ଜୟପୁର ଭିଜିଲାନ୍ସର ମିଳିତ ଯୋଜନା ଅନୁଯାୟୀ ଉକ୍ତ ମହିଳା କର୍ମକର୍ତ୍ତା ଜଣକ ଆଜି ଆଦର୍ଶ ବିଦ୍ୟାଳୟର ପ୍ରିନସିପାଲଙ୍କୁ ତାଙ୍କ କହିବା ମୁତାବକ ଟଙ୍କା ଦେଇଥିଲେ ଏବଂ ପ୍ରିନସିପାଲ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ, ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସର ମିଳିତ ଟିମ ଅତର୍କିତ ଚଢ଼ାଉ କରି ପ୍ରିନସିପାଲଙ୍କୁ ଧରିବା ସହ ତାଙ୍କ ଠାରୁ ଦଶ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରାଯାଇ ଜେରା କରାଯିବା ପରେ ଜଣା ପଡିଥିଲା ତାଙ୍କ ଆୟ ବହିର୍ଭୁତ ସମ୍ପତି ଠୁଳ ଉପରେ। ଏହାପରେ ଭିଜିଲାନ୍ସ ଟିମ ଦ୍ୱାରା ଶ୍ରୀ ରଣାଙ୍କ ନାମରେ ଜୟପୁର ଭିଜିଲାନ୍ସ ଥାନାରେ ଏକ ମାମଲା ୠଜ୍ଜୁ କରି ବର୍ତ୍ତମାନ ଭବାନୀପାଟଣା ସ୍ଥିତ ତାଙ୍କ ଭଡା ଘର ଉପରେ ଚଢ଼ାଉ ଜାରି ରହିଛି।
