July 4, 2026

ପୁରୀରେ ଇନ୍ନର ହୁଇଲ କ୍ଳବର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ

IMG-20260704-WA0061
Share

ବିଶ୍ବର ଦ୍ବିତୀୟ ସଂଭ୍ରାନ୍ତ ସେବାମୂଳକ ମହିଳା ସଂଗଠନ ଇନରହ୍ବିଲ୍ ଇଣ୍ଟରନ୍ୟାସନାଲ ର ଅନୁମୋଦନ ରେ ପୁରୀସହରରେ ପ୍ରତିଷ୍ଠିତ ପ୍ରଥମ ଇନରହ୍ବିଲ୍ କ୍ଲବ – ପୁରୀ ଇନରହ୍ବିଲ୍ କ୍ଲବର ଅଧିଷ୍ଠାନ ଉତ୍ସବ ଇନରହ୍ବିଲ୍ ନବବର୍ଷର ପ୍ରଥମ ଦିବସ ଜୁଲାଇ ପହିଲାର ସଂଧ୍ୟାରେ ସ୍ଥାନୀୟ ହୋଟେଲ ହଲିଡେ ରିସର୍ଟ ପରିସରରେ ମହାସମାରୋହରେ ସଂପନ୍ନ ହୋଇଯାଇଛି। ଏଥିରେ କ୍ଲବର ବିଗତ ବର୍ଷର ସଭାନେତ୍ରୀ ବିଦ୍ୟୁତଲତା ପ୍ରତିହାରୀ ଓ ସଂପାଦିକା ବେବୀ ମହାନ୍ତି ପୁନର୍ବାର ଚଳିତ ୨୦୨୬-୨୭ ବର୍ଷ ପାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସଭାନେତ୍ରୀ ଶ୍ରୀମତୀ ପ୍ରତିହାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉତ୍ସବ କୁ ପ୍ରାକ୍ତନ ସଭାନେତ୍ରୀ ସୁଜାତା ପାତ୍ର ସଂଯୋଜନା କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ରାଜ୍ୟ ମହିଳା କମିଶନ ର ପ୍ରାକ୍ତନ ଅଧ୍ୟକ୍ଷା ନମିତା ଚଡ୍ଢା। ମଙ୍ଗଳପ୍ରଦ ପ୍ରଦୀପ ପ୍ରଜ୍ବଳନ, ଇନରହ୍ବିଲ୍ ର ପ୍ରତିଷ୍ଠାତ୍ରୀ ମାର୍ଗାରେଟ୍ ଗୋଲ୍ଡିଙ୍ଗ୍ ଙ୍କ ଫଟୋଚିତ୍ର ରେ ପୁଷ୍ପାର୍ଘ୍ୟ ପ୍ରଦାନ ଏବଂ ଇନରହ୍ବିଲ୍ ପ୍ରାର୍ଥନା ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଭାନେତ୍ରୀ ଶ୍ରୀମତୀ ପ୍ରତିହାରୀ ସମସ୍ତଙ୍କୁ ସ୍ବାଗତ କରିବାସହ ବିଗତ ବର୍ଷର ସହଯୋଗ ପାଇଁ କ୍ଲବର ସମସ୍ତ କର୍ମକର୍ତ୍ତା, ସମସ୍ତ ପ୍ରାକ୍ତନ ସଭାନେତ୍ରୀ ଓ ସଦସ୍ୟା ମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ଏହି ଅବସରରେ ସେ ନୂତନ କର୍ମକର୍ତ୍ତା ମାନଙ୍କୁ ପରିଚିତ ମଧ୍ୟ କରାଇଥିଲେ। ସଂପାଦିକା ଶ୍ରୀମତୀ ମହାନ୍ତି ବିଗତ ବର୍ଷ କ୍ଲବ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସେବାମୂଳକ ପ୍ରକଳ୍ପ ଓ ବନ୍ଧୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ମାନଙ୍କର ବିବରଣି ସମେତ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ନିଜର ବକ୍ତବ୍ୟ ରେ ମୁଖ୍ୟ ଅତିଥି ଶ୍ରୀମତୀ ଚଡ୍ଢା ସେବା ପରାୟତା ସମେତ ପରଂପରା ଓ ସଂସ୍କୃତିର ସୁରକ୍ଷା ଦିଗରେ ଯତ୍ନବାନ ରହିବା ନିମନ୍ତେ ସମସ୍ତଙ୍କୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମ ରେ କିଛି ରୋଟାରିଆନ୍ ଉପସ୍ଥିତ ଥିବାବେଳେ ଇନରହ୍ବିଲ୍ କ୍ଲବ ଅଫ୍ ଶ୍ରୀ ଜଗନ୍ନାଥ ଧାମ ଓ ଇନରହ୍ବିଲ୍ କ୍ଲବ ଅଫ୍ ଶ୍ରୀକ୍ଷେତ୍ର ର କର୍ମକର୍ତ୍ତା ଙ୍କ ପକ୍ଷରୁ ନୂତନ କର୍ମକର୍ତ୍ତା ଦୁହିଁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କ୍ଲବର ସଂଖ୍ୟାଧିକ ସଦସ୍ୟା ଉପସ୍ଥିତ ରହି ସହଯୋଗ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଙ୍କୁ ସମ୍ବର୍ଦ୍ଧନା, ଧନ୍ୟବାଦ ଅର୍ପଣ ଓ ସାମୂହିକ ଜାତୀୟସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ କୁ ସାଙ୍ଗ କରାଯାଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ