June 19, 2026

ପୁସ୍ତକ ଉନ୍ମୋଚନ ଏବଂ ବକ୍ସି ଜଗନ୍ନାଥ ବିଦ୍ଯାଧରଙ୍କ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ

IMG-20260618-WA0057
Share

 

ଦିଲ୍ଲୀରେ ଶାସନ କରୁଥାନ୍ତି ଆଉରଙ୍ଗଜେବ। ପ୍ରବଳ ହିନ୍ଦୁ ବିଦ୍ବେଷୀ। ଅନେକ ମନ୍ଦିର ଭାଙ୍ଗି ମସଜିଦ କରି ଭୟାବହତା ସୃଷ୍ଟି କରୁଥିଲେ। ସେ ଆଦେଶ ଦେଲେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭାଙ୍ଗିଦେବା ପାଇଁ। ଓଡିଶା ଦାୟିତ୍ବରେ ଥିବା ନବାବ ଏକରାମ ଖାଁ ମୋଗଲ ସେନା ସହିତ ପୁରୀରେ ପହଞ୍ଚିଲେ ମନ୍ଦିର ଭାଙ୍ଗିବା ପାଇଁ। ଗଜପତି ଥାଆନ୍ତି ଦିବ୍ଯସିଂହ ଦେବ। ପାତ୍ର ପଦରେ ଥାଆନ୍ତି ବକ୍ସି ଜଗନ୍ନାଥ ବିଦ୍ଯାଧର ମହାପାତ୍ର। ଏକରାମ ଖାଁ ମନ୍ଦିର ଭାଙ୍ଗିବାକୁ ଗଲାବେଳେ ବ୍ରହ୍ମଗିରି – ଚବିଶକୁଦର ପାଇକମାନଙ୍କୁ ନେଇ ପିଳିପିଳା ଦେଇ ବଡଦାଣ୍ଡରେ ପହଞ୍ଚିଲେ ବକ୍ସିଜଗନ୍ନାଥ ବିଦ୍ୟାଧର ମହାପାତ୍ର। ସମୁଖ ସମରରେ ରଣ ଜୟ କରିବା ଆଶା କମ ଥିବାରୁ ବକ୍ସି ଜଗନ୍ନାଥ ବିଦ୍ଯାଧର ମହାପାତ୍ର କୁଟ ନୀତି ଆପଣେଇ ନେଲେ। ସୁବେଦାର ସହିତ ଆଲୋଚନା କଲେ। ବୁଝାଇ ଦେଲେ ମନ୍ଦିର ଭାଙ୍ଗିଦେଲେ ଲାଭ କ’ଣ ମିଳିବ? କିପରି ମନ୍ଦିର ରହିବ ଆଉରଙ୍ଗଜେବ ଖୁସି ହେବ ସେ ସଂପର୍କରେ ଆଲୋଚନାଚ କଲେ। ସୁବାଦାର କହିଲେ ଯଦି ମନ୍ଦିର ରହିବ ୩୦ହଜାର ସ୍ବର୍ଣ୍ଣମୁଦ୍ରା ଦେବାକୁ ପଡିବ। ୩୦ ହଜାର ସ୍ବର୍ଣ୍ଣମୂଦ୍ରା ଅଧିକ ଥିଲା। ବକ୍ସି ଜଗନ୍ନାଥ ବିଦ୍ଯାଧର ଗଜପତି ଦିବ୍ଯସିଂହ ଦେବଙ୍କ ସହିତ ଆଲୋଚନା କଲେ। ନିଷ୍ପତ୍ତି ହେଲା ଯେତେ ମୂଦ୍ରା ଯାଉଛି ରାଜକୋଷ ପଛେ ସଫା ହୋଇ ଯାଉ ଆମ ଶ୍ରୀମନ୍ଦିର ସୁରକ୍ଷିତ ରହୁ। ବକସି ଜଗନ୍ନାଥ ବିଦ୍ଯାଧର କୁଟନୀତିରେ ସଫଳ ହେଲେ। ଦେଉଳ ଗୁମୁଟରୁ ସାମାନ୍ଯ ଭାଙ୍ଗି ନକଲି ବିଗ୍ରହ ନେଇ ଫେରିଲେ। ଆଉରଙ୍ଗଜେବ ଜାଣିଲେ ପୁରୀ ମନ୍ଦିର ଭାଙ୍ଗି ଦିଆଗଲା। ସେ ସମୟରେ ସାରା ଭାରତରେ ଅନେକ ମନ୍ଦିର ଭାଙ୍ଗି ମସଜିଦ କରାଯାଇଥିଲା, ବକ୍ସି ଜଗନ୍ନାଥ ବିଦ୍ଯାଧରଙ୍କ ଯୋଗୁଁ ସୁରକ୍ଷିତ ରହିଲା ମନ୍ଦିର। ଏଥିପାଇଁ ଜଗନ୍ନାଥ ବିଦ୍ଯାଧରଙ୍କ ଉପରେ ଖୁସି ହୋଇ ଗଜପତି ବସାଇଥିଲେ ଏକ ଶାସନ। ଯାହାକି ଜଗନ୍ନାଥ ବିଦ୍ଯାଧରପୁର ( ପିଳିପିଳା) ଶାସନ। ଏହି ଶାସନ ସହିତ ସିଦ୍ଧେଶ୍ଵର ମନ୍ଦିର ପାଇଁ ନିଷ୍କର ଜମି।

ପିଳିପିଳା ବା ଜଗନ୍ନାଥ ବିଦ୍ଯାଧର ପୁର ଶାସନକୁ ନେଇ ଐତିହ୍ଯ ବିଶାରଦ ଡ ସୁରେନ୍ଦ୍ରନାଥ ମିଶ୍ରଙ୍କ ରଚିତ ପୁସ୍ତକର ପିଳିପିଳା ଶାସନ ଐତିହ୍ଯ ଶୀର୍ଷକ ଏକ ପୁସ୍ତକ ଗଡରୋଡଙ୍ଗଠାରେ ବକ୍ସିଙ୍କ କଚେରୀ ଘରେ ଉନ୍ମୋଚିତ ହୋଇଛି। ପୁସ୍ତକ ଉନ୍ମୋଚନ ସହିତ ଆଲୋଚନା ସଭାରେ ସଭାପତିତ୍ବ କରିଥିଲେ ବ୍ରହ୍ମଗିରି ଐତିହ୍ଯ ପରିଷଦର ସଭାପତି କାଶୀନାଥ ନାୟକ। ମୁଖ୍ଯଅତିଥି ଭାବରେ ଯୋଗଦେଇଥିଲେ ବର୍ତ୍ତମାନ ବକ୍ସି ତଥା ଗଡରୋଡଙ୍ଗ ଗଡର ନାୟକ ଶ୍ରୀ ବକ୍ସି ଗୋପୀନାଥ ବିଦ୍ଯାଧର ମହାପାତ୍ର ଯୋଗଦେଇ ବକ୍ସି ପରମ୍ପରା ସଂପର୍କରେ ଅବଲୋକନ କରିଥିଲେ। ଗବେଷକ ଶ୍ରୀ ସୁରେନ୍ଦ୍ର କୁମାର ମିଶ୍ର ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କ ପାଇଁ ଗଜପତି ମହାରାଜାଙ୍କ ବିରଳ ତ୍ଯାଗ ସଂପର୍କରେ ଆଲୋଚନା କରିଥିଲେ। ଅନ୍ଯମାନଙ୍କ ମଧ୍ଯରେ ଗଡର ଦଳବେହେରା ସାମନ୍ତ ପ୍ରସନ୍ନ କୁମାର ରାୟ, ପୁସ୍ତକର ପ୍ରକାଶକ ଶ୍ରୀ ପ୍ରଭାଂଶୁ ସାମନ୍ତରାୟ, ଦିବ୍ଯ ଜୀବନ ସଂଘ ପୁରୀ ଶାଖା ର ସଭାପତି ସନ୍ତୋଷ ପାତ୍ର, ଓଡିଶା ଐତିହ୍ଯ ପରିଷଦର ସଂପାଦକ ଶ୍ରୀ ଦେବୀ ନନ୍ଦ, ଶିଶୁସାହିତ୍ଯିକ ଶ୍ରୀ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, କୋଣାର୍କ ଐତିହ୍ଯ ପରିଷଦ ସଂପାଦକ ଶ୍ରୀ ସଞ୍ଜୟ କୁମାର ବରାଳ, କବି ଗୁଣନିଧି ବରାଳ, ଶ୍ରୀଅଲାରନାଥଙ୍କ ବରିଷ୍ଠ ସେବକ ନୀଳମଣୀ ସୁଆର, ତରୁଣ କବି ଦାମୋଦର ପରିଡା, କବି ପ୍ରଶାନ୍ତ କୁମାର ତ୍ରିପାଠୀ, ପ୍ରମୁଖ ବକ୍ତବ୍ଯ ରଖିଥିଲେ।

ବକ୍ସିଙ୍କ ଅବଦାନ ସଂପର୍କରେ ଅଧିକ ଆଲୋଚନା କରାଯିବାକୁ ମତ ପ୍ରକାଶ ପାଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed