ଅସହାୟ ପରିବାରକୁ ହାତ ବଢ଼ାଇଲା ସାଥି ଓଡିଶା ଫାଉଣ୍ଡେସନ
ତିର୍ତ୍ତୋଲ ,୨୯/୧୧(ଇମିସ) ଦୁଃଖ ଓ ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଏକ ଅସହାୟ ପରିବାର ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଛି ସାମାଜିକ ସେବା ସଂଗଠନ ସାଥି ଓଡିଶା ଫାଉଣ୍ଡେସନର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ତୁଳଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋରିଷପୋଖରୀ ଗ୍ରାମର ସୁବାସ ଦାସଙ୍କ ପରିବାରକୁ ସଂଗଠନ ପକ୍ଷରୁ ବସ୍ତ୍ର, ରାସନ ସାମଗ୍ରୀ ଓ ପନିପରିବା ଆଦି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି।ସୂଚନା ଅନୁଯାୟୀ, ସୁବାସ ଦାସ ଜଣେ ଗରିବ ଦିନମଜୁରିଆ। ଗତବର୍ଷ ପତ୍ନୀଙ୍କ ମୃତ୍ୟୁ ପରେ ତିନି ଜଣ ଛୋଟ ଝିଅଙ୍କ ଲାଳନପାଳନ ଓ ପ୍ରତିପୋଷଣର ଦାୟିତ୍ୱ ତାଙ୍କ ଉପରେ ପଡ଼ିଥିଲା। ଏଭଳି ଦୁର୍ଦ୍ଦିନ ମଧ୍ୟରେ ସେ ଏବେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି। ଫଳରେ ପରିବାରଟି ଆର୍ଥିକ ଓ ମାନସିକ ଭାବେ ଗଭୀର ସଙ୍କଟ ଦେଇ ଗତି କରୁଛି।ଏହି ଅସହାୟ ପରିବାରର ଦୁରବସ୍ଥା ସମ୍ପର୍କରେ ଜାଣିବାପରେ ସଦସ୍ୟମାନେ ତାଙ୍କ ପାଖରେ ପହଞ୍ଚି ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଥିଲେ। ସଂଗଠନର ଏହି ପ୍ରୟାସ ପରିବାରକୁ କିଛିଟା ଆଶ୍ୱସ୍ତି ଦେବା ସହ ସମାଜରେ ସେବା, ସହଯୋଗ ଓ ମାନବିକତାର ଏକ ସୁନ୍ଦର ବାର୍ତ୍ତା ପହଞ୍ଚାଇଛି।ଏହି ସେବା କାର୍ଯ୍ୟକ୍ରମରେ ସଂଗଠନ ପକ୍ଷରୁ ଦେବାଶିଷ ଜେନା, ସୁଶାନ୍ତ କୁମାର ସେଠୀ, ନିହାର ରଞ୍ଜନ ସେଠୀ, ଯଶୋବନ୍ତ ମଲ୍ଲିକ, ସମୀର ମଲ୍ଲିକ, ସ୍ମୃତି ରଞ୍ଜନ ନାୟକ, ସୌମ୍ୟ ପ୍ରକାଶ ଜେନା, ବିଶ୍ୱଜିତ ମଲ୍ଲିକ ଓ ଦେବିଦୂତ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ଅସହାୟଙ୍କ ଦୁଃଖରେ ସାମିଲ ହେବା ଓ ବିପଦ ସମୟରେ ମଣିଷ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବିକତାର ପରିଚୟ ବୋଲି ସଂଗଠନର ଏହି ମହତ୍ ପ୍ରୟାସ ପ୍ରମାଣିତ କରିଛି।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
