ବଂଶଧାରା ନଦୀରେ ପ୍ରସ୍ତାବିତ ନେରାଡ଼ି ପ୍ରକଳ୍ପର ତିନି ଦିନିଆ କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରର ମିଳିତ ସର୍ଭେ ସମାପିତ
ପାରଳାଖେମୁଣ୍ଡି:୨୯/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର କାଶିନଗର ଓ ରାୟଗଡ଼ା ଜିଲ୍ଲାର ଗୁଣପୁର ଦେଇ ପ୍ରବାହିତ ବଂଶଧାରା ନଦୀରେ ପ୍ରସ୍ତାବିତ ନେରାଡ଼ି ବ୍ୟାରେଜ୍କୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ଆନ୍ତଃରାଜ୍ୟ ବିବାଦ ସମାଧାନ ପାଇଁ ସର୍ଭେ କାର୍ଯ୍ୟକୁ ଗୁରୁତ୍ୱାରୋପ କରାଯାଇଛି। ଟ୍ରିବ୍ୟୁନାଲଙ୍କ ରାୟ ଏବଂ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପରେ ପ୍ରକଳ୍ପର ବାସ୍ତବ ସ୍ଥିତି, ନଦୀର ଭୌଗୋଳିକ ଅବସ୍ଥା ଓ ଓଡ଼ିଶା ପାର୍ଶ୍ଵରେ ଆବଶ୍ୟକ ଜମିର ସ୍ଥିତି ଅନୁଧ୍ୟାନ ପାଇଁ ଗତ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରର ମିଳିତ ସର୍ଭେ ଆଜି ଶନିବାର ଅପରାହ୍ନରେ ସମାପନ ହୋଇଛି।ଗଜପତି କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତର ପୁରୁଟିଗୁଡା ଗ୍ରାମ ଠାରୁ ଆରମ୍ଭ କରି ରାୟଗଡ଼ା ଜିଲ୍ଲାର ଗୁଣୁପୁର ସହର ଠାରୁ କିଛି ଦୂର ପର୍ଯ୍ୟନ୍ତ କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ମିଳିତ ସର୍ଭେ କରାଯାଇଛି। ଏହି ସର୍ଭେରେ କେନ୍ଦ୍ର ପକ୍ଷରୁ ୫ ଜଣିଆ ଟିମ୍, ଓଡ଼ିଶା ପକ୍ଷରୁ ୩ ଜଣିଆ ଟିମ୍ ଏବଂ ଆନ୍ଧ୍ର ପ୍ରଦେଶ ପକ୍ଷରୁ ୩ ଜଣିଆ ଟିମ୍ ସାମିଲ ହୋଇଥିଲେ। ଡିଜିପିଏସ୍ (ଡିଫରେନ୍ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ପ୍ରଯୁକ୍ତିରେ ନଦୀ ଉପକୂଳବର୍ତ୍ତୀ ବିଭିନ୍ନ ସ୍ଥାନର ମାପଚୁପ ୮ଟି ପଏଣ୍ଟ ଚିହ୍ନଟ କରାଯାଇଥିଲା। ଦିଲ୍ଲୀ କେନ୍ଦ୍ରୀୟ ଜଳ ଆୟୋଗର ଯୋଜନା ସର୍କଲର କାର୍ଯ୍ୟନିର୍ବାହୀ ଅଧିକାରୀ ନବୀନ, ଭୁବନେଶ୍ଵର କେନ୍ଦ୍ରୀୟ ଜଳ ଆୟୋଗର ଅଧୀକ୍ଷଣ ଯନ୍ତ୍ରୀ ତଥା ସଦସ୍ୟ ସଚିବ ଆଦିତ୍ୟ ଶର୍ମା, ଗଜପତି ଓ ଗଞ୍ଜାମ ଜିଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ସ୍ଥାନୀୟ ତହସିଲଦାର ସୁଧୀର ନନ୍ଦ ଉପସ୍ଥିତ ଥିଲେ। ସେହିପରି ଆନ୍ଧ୍ରପ୍ରଦେଶ ବଂଶଧାରା ଇଞ୍ଜିନିୟର କମିଟିର ଅଧୀକ୍ଷଣ ଯନ୍ତ୍ରୀ ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମେତ ଅନ୍ୟ ଅଧିକାରୀମାନେ ସର୍ଭେରେ ଭାଗନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଖାଣ୍ଡବା ପଞ୍ଚାୟତ ଅନ୍ତର୍ଗତ ବଂଶଧାରା ନଦୀର ଉପକୂଳବର୍ତ୍ତୀ ବିଭିନ୍ନ ସ୍ଥାନ ତଥା ଖାଣ୍ଡବା, ପୁରଟିଗୁଡ଼ା, ସାରା ଓ ବାଡ଼ିଗାଁ ଗ୍ରାମାଞ୍ଚଳରେ ମୋଟ ସର୍ଭେ କରାଯାଇଥିଲା। ଏଥିରେ ୪ଟି ପ୍ରାଥମିକ ଓ ୪ଟି ମାଧ୍ଯମିକ ପଏଣ୍ଟ ରଖାଯାଇଥିଲା। ନଦୀର ଉପକୂଳ, ଭୌଗୋଳିକ ଅବସ୍ଥିତି ଓ ପ୍ରକଳ୍ପ ପାଇଁ ଆବଶ୍ୟକ ସ୍ଥାନର ସଠିକ ତଥ୍ୟ ସଂଗ୍ରହ ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ଆଜି ଶନିବାର ସକାଳୁ କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରର ଅଧିକାରୀ ମାନେ ମିଳିତ ଭାବେ ଏହି ଅଞ୍ଚଳରେ ଡ୍ରୋନ ସର୍ଭେ କରିବା ପରେ ପ୍ରଥମ ପର୍ଯ୍ୟାୟର ଏହି ମିଳିତ ସର୍ଭେ ସମାପନ ହୋଇଛି ବୋଲି ଜଳସେଚନ ବିଭାଗର AEE ମୋହିତ ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି।
