ମା, ସମଲେଶ୍ୱରୀଙ୍କ ପୀଠରେ ଭକ୍ତିରସରେ ଭିଜିଲା ସନ୍ଧ୍ୟାସୁମଧୁର ଭଜନରେ ମୁଖରିତ ହେଲା ମନ୍ଦିର ପରିସର, କଳାକାରଙ୍କ କଣ୍ଠରେ ମା’ଙ୍କ ମହିମାଗାନ…..
’ ସମ୍ବଲପୁର, ୨୨/୧୧: ଭକ୍ତି, ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଚେତନାର ଏକ ଅନନ୍ୟ ସମାଗମ ଦେଖିବାକୁ ମିଳିଥିଲା ମା’ ସମଲେଶ୍ୱରୀଙ୍କ ପବିତ୍ର ପୀଠରେ। ରବିବାର ସନ୍ଧ୍ୟାରେ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆୟୋଜିତ ଭବ୍ୟ ଭଜନ ସନ୍ଧ୍ୟାରେ ଭକ୍ତି ସଙ୍ଗୀତର ମଧୁର ମୂର୍ଚ୍ଛନାରେ ମନ୍ଦିର ପରିସର ଗୁଞ୍ଜରିତ ହୋଇଉଠିଥିଲା। କଳାକାରମାନଙ୍କ ସୁମଧୁର କଣ୍ଠରେ ମା’ଙ୍କ ମହିମାଗାନ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତି ଓ ଆଧ୍ୟାତ୍ମିକ ଭାବନା ଭରିଦେଇଥିଲା।ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭଜନ ସନ୍ଧ୍ୟାକୁ ଓଡ଼ିଶା ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ଅକ୍ଷୟ ସେଠୀ ପାରମ୍ପରିକ ରୀତିରେ ଉଦ୍ଘାଟନ କରିଥିଲେ।ଏହି ଅବସରରେ ସମ୍ବଲପୁରର ବହୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଓ କଳାକାର ଭଜନ ପରିବେଷଣ କରିଥିଲେ। ସତ୍ୟନାରାୟଣ ତ୍ରିପାଠୀ, ନବ ମହତମ, ସୁଭଦ୍ରା ପରାଶକ୍ତି, ସ୍ୱସ୍ତି ହୋତା, ଆୟୁଷ କୁମାର ନାଏକ, ଚକ୍ରଧର ପ୍ରଧାନ, ସାନ୍ଭି ଜେନା, ବଂଶିକା ତ୍ରିପାଠୀ ଓ ବିଭୂତି ଭୂଷଣ ଦାଶ ପ୍ରମୁଖଙ୍କ ଭଜନରେ ଶ୍ରୋତାମାନେ ଭକ୍ତିରସରେ ମଜ୍ଜି ଯାଇଥିଲେ। ରଞ୍ଜନ ହୋତା, କୃଷ୍ଣ କୁମ୍ଭାର, ହରିଶଙ୍କର ବେରିହା, କୃଷ୍ଣଚନ୍ଦ୍ର ବାଗ, କ୍ଷୀତିଶ ଚନ୍ଦ୍ର ବାଗ, ସୁମିତ ପ୍ରଧାନ ଓ ଭାଗୀରଥୀ ସିଂହଦେଓ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମକୁ ଭାଗୀରଥୀ ସିଂହଦେଓ ସଂଯୋଜନା କରିଥିବାବେଳେ ତ୍ରିଲୋଚନ ତ୍ରିପାଠୀ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଡ. ଶ୍ୟାମସୁନ୍ଦର ଧର, ପ୍ରଦୀପ କୁମାର ଦୁବେ, ଶିବନାରାୟଣ ବାରିକ, ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ହୋତା, ହେମନ୍ତ ଚନ୍ଦ୍ର ମିଶ୍ରଙ୍କ ସମେତ ଟ୍ରଷ୍ଟ ବୋର୍ଡର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସଭାପତି ସଞ୍ଜୟ ବାବୁଙ୍କ ସହ ଟ୍ରଷ୍ଟର ସଦସ୍ୟମାନେ କଳାକାର ଓ ସହଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।ନିଜ ଅଭିଭାଷଣରେ ସଭାପତି ସଞ୍ଜୟ ବାବୁ କହିଥିଲେ ଯେ, ମା’ ସମଲେଶ୍ୱରୀଙ୍କ ପୀଠ କେବଳ ଏକ ଆଧ୍ୟାତ୍ମିକ କେନ୍ଦ୍ର ନୁହେଁ, ଏହା ପଶ୍ଚିମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ ଲୋକଆସ୍ଥାର ଜୀବନ୍ତ ପ୍ରତୀକ। ଏଭଳି ଭଜନ ସନ୍ଧ୍ୟା ଭକ୍ତମାନଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିବା ସହ ଯୁବପିଢ଼ିଙ୍କୁ ଭକ୍ତି ସଙ୍ଗୀତ ଓ ଆମ ସାଂସ୍କୃତିକ ଐତିହ୍ୟ ସହ ଯୋଡ଼ି ରଖିବ ବୋଲି ସେ ମତପ୍ରକାଶ କରିଥିଲେ।ସମଗ୍ର କାର୍ଯ୍ୟକ୍ରମ ମା’ଙ୍କ ଆରାଧନା ସହ ସମ୍ବଲପୁରର ଭକ୍ତି ଓ ସାଂସ୍କୃତିକ ପରମ୍ପରାର ଏକ ସୁନ୍ଦର ପରିଚୟ ଦେଇଥିଲା। ଶେଷରେ ଆୟୋଜକଙ୍କ ପକ୍ଷରୁ ସମସ୍ତ କଳାକାର, ବାଦ୍ୟଯନ୍ତ୍ରବାଦକ, ସହଯୋଗୀ ଓ ଉପସ୍ଥିତ ଭକ୍ତମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
