November 28, 2026

ନଭେମ୍ବର ୩୦ରୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ୭୨ ହଜାର ଚାଷୀ କରିଛନ୍ତି ପଞ୍ଜୀକରଣ..

IMG-20261122-WA0041
Share

ନଭେମ୍ବର ୩୦ରୁ ସମ୍ବଲପୁର ଜିଲ୍ଲାରେ ଧାନ ସଂଗ୍ରହ୭୨ ହଜାର ଚାଷୀ କରିଛନ୍ତି ପଞ୍ଜୀକରଣ, ୧୨୬ଟି ମଣ୍ଡିରେ ହେବ କ୍ରୟକଟନୀ-ଛଟନୀକୁ ବରଦାସ୍ତ କରାଯିବ ନାହିଁ: ଜିଲ୍ଲାପାଳସମ୍ବଲପୁର, ୨୨।୧୧: ଖରିଫ୍ ବିପଣନ ବର୍ଷ (KMS) ୨୦୨୬-୨୭ ପାଇଁ ସମ୍ବଲପୁର ଜିଲ୍ଲାରେ ଆସନ୍ତା ନଭେମ୍ବର ୩୦ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହେବ। ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରୁ, ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନେଇ ରବିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (DLPC) ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକରେ ଚଳିତ ଖରିଫ୍ ଋତୁରେ ଧାନ କ୍ରୟ ପାଇଁ ବିଭିନ୍ନ ପ୍ରସ୍ତୁତି ଓ ବ୍ୟବସ୍ଥା ସମୀକ୍ଷା କରାଯିବା ସହ ସର୍ବସମ୍ମତିକ୍ରମେ ନଭେମ୍ବର ୩୦ରୁ ଧାନ ସଂଗ୍ରହ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରଶେଖର ପଣ୍ଡା, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ପ୍ରତିନିଧି ବିଭୂତି କଲ୍ୟାଣ ପଟେଲ, ରେଢ଼ାଖୋଲ ବିଧାୟକଙ୍କ ପ୍ରତିନିଧି ମନୋଜ ମହାପାତ୍ର, ମୁଖ୍ୟ ଯୋଗାଣ ଅଧିକାରୀ ସୁବୋଧ ହୋତା, ସମବାୟ ଉପନିବନ୍ଧକ ଲକ୍ଷ୍ମୀଧର ରାଉତଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଚାଷୀ ପ୍ରତିନିଧି ଯୋଗବିହାରୀ ପରିଡ଼ା, ମିତ୍ରଭାନୁ ପ୍ରଧାନ, ସୁବୋଧ ପଟେଲ, ସୂର୍ଯ୍ୟ ପାଣିଗ୍ରାହୀ ଏବଂ ମିଲର୍ସ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ବୈଠକରେ ଜିଲ୍ଲାପାଳ କହିଥିଲେ ଯେ, ଗତ ବର୍ଷ ଜିଲ୍ଲାରେ ଖରିଫ୍ ଓ ରବି ଋତୁକୁ ମିଶାଇ ପ୍ରାୟ ୪୭ ଲକ୍ଷ କ୍ୱିଣ୍ଟାଲ ଧାନ ସଫଳତାର ସହ ସଂଗ୍ରହ କରାଯାଇଥିଲା। ଚଳିତ ବର୍ଷ ଧାନ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜୀକରଣରେ ମଧ୍ୟ ବୃଦ୍ଧି ଘଟିଛି। ଗତବର୍ଷ ୬୫ ହଜାର ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୧୨ରୁ ୧୩ ପ୍ରତିଶତ ଅଧିକ ଅର୍ଥାତ୍ ୭୨ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି।ଜିଲ୍ଲାର ୪୫ଟି ପ୍ରାଥମିକ କୃଷି ସମବାୟ ସମିତି (PACS/LAMPCS) ଅଧୀନରେ ଥିବା ୧୨୬ଟି ଧାନ କ୍ରୟ କେନ୍ଦ୍ର ବା ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହ କରାଯିବ। ଏହାର ସଠିକ୍ ତଦାରଖ ପାଇଁ ୧୨୬ ଜଣ ମଣ୍ଡି ନୋଡାଲ ଅଫିସର ଓ ୨୪ ଜଣ ମଣ୍ଡି ସୁପରଭାଇଜିଂ ଅଫିସର ନିୟୋଜିତ ହେବେ। ସରକାରଙ୍କ ଧାର୍ଯ୍ୟ ଏମ୍‌ଏସ୍‌ପି ଅନୁଯାୟୀ ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୨୪୪୧ ଟଙ୍କା ଏବଂ ଗ୍ରେଡ୍-ଏ ଧାନ କ୍ୱିଣ୍ଟାଲ ପିଛା ୨୪୬୧ ଟଙ୍କାରେ କ୍ରୟ କରାଯିବ।ମଣ୍ଡିଗୁଡ଼ିକରେ ଚାଷୀଙ୍କ ସୁବିଧା ପାଇଁ ପାଲ, ପଲିଥିନ୍, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଆଯିବ। ଧାନର ମାନ ପରୀକ୍ଷା ପାଇଁ ଅସ୍ଥାୟୀ କ୍ୱାଲିଟି ଆନାଲିଷ୍ଟ ଓ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ ଉପଲବ୍ଧ ରହିବ। ତୃଣମୂଳସ୍ତରରେ ଧାନର ମାନ ଓ କ୍ରୟ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ସମସ୍ତ ୪୫ଟି ସମବାୟ ସମିତିରେ ବିଡିଓଙ୍କ ଦ୍ୱାରା ସୋସାଇଟିସ୍ତରୀୟ କ୍ରୟ କମିଟି (SoLPC) ଗଠନ କରାଯିବ।ଧାନ ବିକ୍ରୟ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ କରିବା ପାଇଁ P-PAS ବ୍ୟବସ୍ଥା ମାଧ୍ୟମରେ ଚାଷୀଙ୍କୁ ଆଗୁଆ ଟୋକନ୍ ସମ୍ପର୍କିତ ଏସ୍‌ଏମ୍‌ଏସ୍‌ ପଠାଯିବ। ଆଇରିସ୍ ସ୍କାନର ଜରିଆରେ ଆଧାର ପ୍ରମାଣୀକରଣ ପରେ ହିଁ ଧାନ କ୍ରୟ କରାଯିବ। ଧାନ ବିକ୍ରୟ ବାବଦ ଅର୍ଥ ସିଧାସଳଖ ଚାଷୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ NPCI ମାଧ୍ୟମରେ ପଠାଯିବ। କୌଣସି ଚାଷୀ ନିର୍ଦ୍ଧାରିତ ତାରିଖରେ ଧାନ ବିକ୍ରି କରି ନପାରିଲେ ପ୍ରତି ୭ ଦିନରେ ସ୍ମାରକ ଏସ୍‌ଏମ୍‌ଏସ୍‌ ପଠାଯିବ। ଏଥିସହ କୌଣସି ଚାଷୀଙ୍କ ଟୋକନ୍ ବାତିଲ ନହେବା ପାଇଁ ଜିଲ୍ଲାପାଳଙ୍କ ସ୍ତରରେ ଏହାର ବୈଧତା ଅତିରିକ୍ତ ୧୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି।ଚଳିତ ବର୍ଷ ଚାଷୀମାନଙ୍କୁ ଏକାଥରକେ ଟୋକନ୍ ପ୍ରଦାନ କରାଯିବା ସହ ଜିଲ୍ଲାର ୪୮ ଜଣ କଷ୍ଟମ୍ ମିଲର୍ସଙ୍କ ମଧ୍ୟରେ ଧାନ ଉଠାଣର ସନ୍ତୁଳନ ରକ୍ଷା କରାଯିବ। ମଣ୍ଡିରେ କୌଣସି ପ୍ରକାର କଟନୀ-ଛଟନୀ କିମ୍ବା ଚାଷୀଙ୍କୁ ଶୋଷଣ କରାଯିବାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏଭଳି ଅଭିଯୋଗ ମିଳିଲେ ଦୋଷୀଙ୍କ ବିରୋଧରେ କଠୋର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।ଚାଷୀଙ୍କ ସୁବିଧା ଓ ଆବେଦନକୁ ଦୃଷ୍ଟିରେ ରଖି ଚଳିତ ଖରିଫ୍ ଋତୁରେ କେତେକ ଧାନ କ୍ରୟ କେନ୍ଦ୍ରର ସୀମା ପୁନଃନିର୍ଦ୍ଧାରଣ ଓ ପରିବର୍ତ୍ତନ କରାଯାଇଛି। ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସଫଳ ଓ ଚାଷୀ ଅନୁକୂଳ କରିବା ପାଇଁ ଚାଷୀ, ମିଲର୍ସ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛି ଜିଲ୍ଲା ପ୍ରଶାସନ।