ଛାତ୍ରୀ ନିବାସରେ ଖାଦ୍ୟ ଥାଳିରୁ ପୋକ ବାହାରିବା ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରିଙ୍କୁ ଦାବିପତ୍ର ପ୍ରଦାନ।
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସ୍ଥିତ ମା’ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର ଛାତ୍ରୀ ନିବାସରେ ମଧ୍ୟାନ୍ନ ଭୋଜନ ଥାଳିରେ ଏକ ବଡ ପୋକ ବାହାରିବା ଘଟଣାକୁ ଦବେଇ ଦିଆଯିବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ଏବଂ ଏହାର ସଠିକ ଯାଞ୍ଚ ଓ ପଦକ୍ଷେପ ନେବାପାଇଁ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗର ଅଧିକାରିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ଗତ ରବିବାର ନଭେମ୍ବର ୧୫ ତାରିଖ ଦିନ ମା’ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର ‘ନାଗାବଳି’ ଛାତ୍ରୀ ନିବାସରେ ମଧ୍ୟାନ୍ନ ଭୋଜନ ସମୟରେ ଜଣେ ଛାତ୍ରୀଙ୍କ ଖାଦ୍ୟ ଥାଳିରୁ ଏକ ବଡ଼ ପୋକ ବାହାରିଥିଲା ଏବଂ ଏହାକୁ ନେଇ ହଷ୍ଟେଲର ଛାତ୍ରୀମାନେ ମେସ ମେନେଜର ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଜଣାଇବା ସହ ଆଲୋଚନା କରିଥିଲେ। କିନ୍ତୁ ଏଭଳି ଗୁରୁତର ଘଟଣାକୁ ଦବେଇ ଦେବାକୁ ଚେଷ୍ଟା କରାଯାଇଥିଲା। ଏହାପରେ ଏହି ଘଟଣାଟି କୌଣସି ପ୍ରକାରେ କିଛି ସ୍ଥାନୀୟ ଗଣମାଧ୍ୟମରେ ପ୍ରଶାରିତ ହେବାପରେ ହଷ୍ଟେଲ ଗୁଡିକରେ ଦିଆଯାଉଥିବା ଖାଦ୍ୟର ସ୍ୱଛତା ଓ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏନେଇ ଜିଲ୍ଲା ବିଜେଡି ତରଫରୁ ଜିଲ୍ଲା ଖାଦ୍ୟ ନିରାପତ୍ତାର ପଦସ୍ଥ ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ଓ ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ୱଜିତ ନାୟକଙ୍କୁ ସାକ୍ଷାତ କରିବା ସହ ଖାଦ୍ୟରୁ ପୋକ ବାହାରିବା ବିଷୟରେ ସବିଶେଷ ଆଲୋଚନା କରିଥିଲେ ଏବଂ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଥିବା ପାଖାପାଖି ଆଠ ଗୋଟି ହଷ୍ଟେଲ ଗୁଡିକର ନିରୀକ୍ଷଣ କରିବା ସହ ହଷ୍ଟେଲ ଗୁଡିକରେ ଯୋଗାଇ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିବା, ମେସ ପରିଚାଳକ ଓ ହଷ୍ଟେଲ ଦାୟିତ୍ୱରେ ଥିବା କର୍ତୃପକ୍ଷଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ଦେବାପରେ ଖାଦ୍ୟ ନିରାପତ୍ତା ବିଭାଗ ‘ନାଗାବଳି’ ଛାତ୍ରୀ ନିବାସ ପରିଦର୍ଶନ କରି ସେଠାରୁ ଖାଦ୍ୟ ନମୁନା ସଂଗ୍ରହ କରିବା ସହ ଏହାର ମାନ ଉପରେ ଯାଞ୍ଚ କରାଯାଉଥିବା ନେଇ ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।

