କୁଲେରଗୁଡ଼ା ଡଙ୍ଗରିପଡ଼ାରେ ଉତ୍ତେଜନା: ୪ ପରିବାରଙ୍କ ଘର ଭାଙ୍ଗିଦେବା ଅଭିଯୋଗ…
କୁଲେରଗୁଡ଼ା ଡଙ୍ଗରିପଡ଼ାରେ ଉତ୍ତେଜନା: ୪ ପରିବାରଙ୍କ ଘର ଭାଙ୍ଗିଦେବା ଅଭିଯୋଗ, ଶୀତ କାକରରେ ବାସହରା ପରିବାରତହସିଲଦାର ଓ ଆମପାଣି ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତ, ବୃଦ୍ଧାଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗଧର୍ମଗଡ ଉପଖଣ୍ଡ ରୁ, (ଖବର ଆମର)(ପ୍ରଦିପ ଭରାସଗରିଆ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କୁଲେରଗୁଡ଼ା ଗ୍ରାମର ଡଙ୍ଗରିପଡ଼ାରେ ଘର ଭଙ୍ଗାକୁ ନେଇ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ସନ୍ଧ୍ୟାରେ କୁଲେରଗୁଡ଼ା ଗ୍ରାମର ୧୦ରୁ ୧୨ ଜଣ ବ୍ୟକ୍ତି ଡଙ୍ଗରିପଡ଼ାକୁ ଯାଇ ସେଠାରେ ରହୁଥିବା ଗରିବ ପରିବାରଙ୍କ ମାଟି ଘର ଭାଙ୍ଗି ଦେଇଥିବା ଗୁରୁତର ଅଭିଯୋଗ ହୋଇଛି। ଏପରିକି ଦଳବଦ୍ଧ ଭାବେ ଆକ୍ରମଣ କରି ଜଣେ ବୃଦ୍ଧାଙ୍କୁ ମାଡ଼ ମାରିଥିବା ମଧ୍ୟ ପୀଡ଼ିତ ପରିବାର ଅଭିଯୋଗ କରିଛନ୍ତି।ଘଟଣା ପରେ ଡଙ୍ଗରିପଡ଼ାବାସୀ ଭୟଭୀତ ହୋଇ ପ୍ରଥମେ କୋକସରା ତହସିଲଦାରଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ। ପରେ ଆମପାଣି ଥାନାରେ ପହଞ୍ଚି ଏନେଇ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ, କୁଲେରଗୁଡ଼ା ଗ୍ରାମରେ ପିଏମ୍ ଗୋଦାବରୀଶ ବିଦ୍ୟାଳୟ ସ୍ଥାପନ ପାଇଁ ଗ୍ରାମବାସୀ ଡଙ୍ଗରିପଡ଼ା ଅଞ୍ଚଳରେ ଜାଗା ଚିହ୍ନଟ କରିଥିଲେ। ଅନ୍ୟପକ୍ଷରେ ଡଙ୍ଗରିପଡ଼ାରେ ଥିବା ଗୋଚର ଜମିରେ କିଛି ଭୂମିହୀନ ଓ ଗରିବ ପରିବାର ଦୀର୍ଘ ୧୫ ବର୍ଷ ଧରି ଘରଦ୍ୱାର କରି ବସବାସ କରିଆସୁଛନ୍ତି। ବର୍ତ୍ତମାନ ସେଠାରୁ ଘର ଖାଲି କରି ଚାଲିଯିବାକୁ ସେମାନଙ୍କୁ କୁହାଯାଉଥିବା ଅଭିଯୋଗ ହୋଇଛି।ତେବେ ଶୁକ୍ରବାର ସନ୍ଧ୍ୟାରେ କୁଲେରଗୁଡ଼ା ଗ୍ରାମର କିଛି ଲୋକ ଆସି ଡଙ୍ଗରିପଡ଼ାର ଚିତ୍ରସେନ ନାଏକ, ସୁରେଖା ବଣିଆ, ଗୋପୀ ବାଗ ଓ ଫକୀର ବାଗଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚାରିଟି ପରିବାର ବାସହରା ହୋଇପଡ଼ିଛନ୍ତି। ଶୀତ କାକରରେ ଖୋଲା ଆକାଶ ତଳେ ରହି ଏହି ପରିବାରଗୁଡ଼ିକ ଦୁର୍ଦ୍ଦଶା ଭୋଗୁଥିବା କୁହାଯାଇଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କୌଣସି ସରକାରୀ ନିର୍ଦ୍ଦେଶ କିମ୍ବା ଆଇନଗତ ପ୍ରକ୍ରିୟା ବିନା ନିଜେ ଆଇନକୁ ହାତକୁ ନେଇ ଘର ଭାଙ୍ଗି ଦିଆଯାଇଛି। ଏଭଳି ଅମାନବୀୟ ଘଟଣାକୁ ଡଙ୍ଗରିପଡ଼ାବାସୀ ତୀବ୍ର ନିନ୍ଦା କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ କରି କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ବାସହରା ପରିବାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି।ଏହି ଅଭିଯୋଗ ସମୟରେ ଡମେନ ବାଗ, ଡାକୁ ମାଝୀ, ତୁଳସା ବାଗ, ପ୍ରମିଳା ବାଗ, ଦୁର୍ଗାଶିନୀ ବାଗ, ଚନ୍ଦ୍ରକଳା ପୋଟି, ମଞ୍ଜୁଳା ବାଗ, ସୋମନାଥ ବାଗ, ପଦ ବାଗ, ସୋବା ବାଗ, ଫକୀର ବାଗ, ଚିତ୍ରସେନ ନାଏକ, ଧନେଶ୍ୱର ପୋଟି ଓ ଭରତ ଲଦୁଆଙ୍କ ସମେତ ଡଙ୍ଗରିପଡ଼ାର ଅନ୍ୟାନ୍ୟ ଲୋକ ଉପସ୍ଥିତ ଥିଲେ।ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଦୀର୍ଘ ୧୫ ବର୍ଷ ଧରି ରହିଆସୁଥିବା ଗରିବ ପରିବାରଙ୍କ ଘର କିଏ ଓ କେଉଁ ଅଧିକାରରେ ଭାଙ୍ଗିଲା? ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରଶାସନ ପୀଡ଼ିତଙ୍କୁ ନ୍ୟାୟ ଦେବ ନା ନାହିଁ, ତାହା ଏବେ ଦେଖିବାକୁ ବାକି ରହିଲା।
