June 16, 2026

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ଯାତ୍ରୀଙ୍କ ମଧ୍ୟରୁ ୨୦୭ ଟି ମୃତ ଦେହ ଚିହ୍ନଟ ପରେ ସେମାନଙ୍କ ପରିବାକୁ ହସ୍ତାନ୍ତର

IMG-20230630-WA0031
Share

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ଯାତ୍ରୀଙ୍କ ମଧ୍ୟରୁ ୨୦୭ ଟି ମୃତ ଦେହ ଚିହ୍ନଟ ପରେ ସେମାନଙ୍କ ପରିବାକୁ ହସ୍ତାନ୍ତର କରିଦିଆଯାଇଛି। ତେବେ ଯେଉଁ ୮୧ ଟି ଅଚିହ୍ନା ଶବ ଏବେ ଏମ୍ସରେ ରହିଛି, ସେଗୁଡ଼ିକର ଶୁକ୍ରବାର ଗଣ ଦାହ କରାଯିବାର ସମ୍ଭାବନା ରହିଛି। ଏହି ଶବଗୁଡ଼ିକୁ ଭୁବନେଶ୍ୱରସ୍ଥିତ ସତ୍ୟନଗର ଓ ଭରତପୁର ଶ୍ମଶାନରେ ଦାହ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଶବଦାହ କ୍ଷେତ୍ରରେ କାର୍ଯ୍ୟ କରୁଥିବା କିଛି ସଂସ୍ଥାଙ୍କୁ ଆବଶ୍ୟକୀୟ କାଠ ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ବିଏମସି ପକ୍ଷରୁ କୁହାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଏବେ ବି ଏମ୍ସରେ ଥିବା ୩ ଟି କଣ୍ଟେନ୍‌‌ରରେ ୮୧ ଟି ମୃତ ଦେହ ରହିଛି। ଏଥି ମଧ୍ୟରୁ ଅଧିକାଂଶ ଅଣଦାବିଦାର ଶବ ରହିଥିବା ବେଳେ କିଛି ଶବର ଡିଏନ୍‌‌ଏ ପରୀକ୍ଷା ପାଇଁ ନମୁନା ଦିଲ୍ଲୀ ଯାଇଛି। ବିଭିନ୍ନ ପର୍ଯ୍ୟାୟରେ ମର ଶରୀର ଓ ଦାବିଦାରଙ୍କୁ ମିଶାଇ ୮୪ ଟି ନମୁନା ଡିଏନ୍‌‌ଏ ଟେଷ୍ଟ ପାଇଁ ଯାଇଛି। ଅନ୍ୟପଟେ ବାହାନଗା ରେଳ ଦୁର୍ଘଟଣାକୁ ମାସେ ବିତିବାକୁ ବସିଥିବାରୁ ମୃତ ଦେହଗୁଡ଼ିକ ଗଳିତ ହୋଇ ଖରାପ ହେବାରେ ଲାଗିଛି। ଏଥିପାଇଁ ଶବଗୁଡ଼ିକୁ ପୋଡ଼ିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ସରକାରୀ ନିୟମ ଅନୁଯାୟୀ କୌଣସି ଅଣଦାବିଦାର ମୃତ ଦେହକୁ ୪୮ ଘଣ୍ଟା ରଖିବା ପରେ ଏହାକୁ ଦାହ କରାଯାଇ ପାରିବ। ଯେହେତୁ ଏହି ସମ୍ବେଦନଶୀଳ ଘଟଣାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ସମେତ ଅନ୍ୟ କିଛି ରାଜ୍ୟର ଯାତ୍ରୀ ସାମିଲ ରହିଛନ୍ତି।
ତେଣୁ ରାଜ୍ୟ ସରକାର ଓ ରେଳବାଇ କର୍ତ୍ତୃପକ୍ଷ ସଂରକ୍ଷଣ ପନ୍ଥା ଆପଣାଇ ଅଧିକରୁ ଅଧିକ ଦିନ ପର୍ଯ୍ୟନ୍ତ ଶବ ସଂରକ୍ଷଣ କରି ରଖିଥିଲେ। ରେଳ ଦୁର୍ଘଟଣାରେ ମୁହଁ ସମେତ ଶରୀର ଏତେ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ଯେ ମୃତକଙ୍କୁ ଚିହ୍ନିବା ସେମାନଙ୍କ ସମ୍ପର୍କୀୟମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ଅନ୍ୟପଟେ ଗଣ ଶବ ଦାହ ପାଇଁ ଭରତପୁର ଓ ସତ୍ୟନଗର ଶ୍ମଶାନରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହି ଦୁଇ ଶ୍ମଶାନକୁ ସଫାସୁତୁରା କରାଯିବା ସହିତ ବହୁ ପରିମାଣରେ କାଠ ମହଜୁଦ କରାଯାଇଛି। ସେହିପରି ଶବ ଦାହ କାର୍ଯ୍ୟରେ ନିୟୋଜିତ ଥିବା ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ସକାଳ ୮ ସୁଦ୍ଧା ଉପସ୍ଥିତ ରହିବା ପାଇଁ କୁହାଯାଇଥିବା ବେଳେ ଅଧିକ ସଂଖ୍ୟକ ସଦସ୍ୟଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ପାଇଁ କୁହାଯାଇଥିବା ଜଣାପଡ଼ିଛି।

You may have missed