ଉମରକୋଟ ବାତ୍ୟା ‘ଆକଭାନ’ ମୁକାବିଲା ପାଇଁ ଉମରକୋଟ ପୌରପାଳିକାର ପ୍ରସ୍ତୁତି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଲା, ବିପଦସଙ୍କୁଳ ଅଞ୍ଚଳରୁ ସ୍ଥାନାନ୍ତର ହେବେ ଲୋକେ……..
ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ସମ୍ଭାବ୍ୟ ବାତ୍ୟା ‘ଆକଭାନ’ର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ଉମରକୋଟ ପୌରପାଳିକା ପକ୍ଷରୁ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ଯୋଗଦେଇ ବାତ୍ୟା ପୂର୍ବ ଓ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ନେଇ ଆଲୋଚନା କରିଥିଲେ। ବୈଠକରେ ପୌରାଞ୍ଚଳର ସମସ୍ତ ୱାର୍ଡର ସ୍ଥିତି ସମୀକ୍ଷା କରାଯିବା ସହ ବିପଦସଙ୍କୁଳ ଅଞ୍ଚଳ, କଚ୍ଚା ଘର ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ପ୍ରାଥମିକତା ଦିଆଯିବ। ଏଥିପାଇଁ ପୌରପାଳିକା ଅଧୀନରେ ଥିବା ବିଦ୍ୟାଳୟ, କଲ୍ୟାଣ ମଣ୍ଡପ ଓ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଆଶ୍ରୟସ୍ଥଳୀରେ ପାନୀୟ ଜଳ, ବିଦ୍ୟୁତ୍, ଜେନେରେଟର, ଶୌଚାଳୟ ସହ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ବିଦ୍ୟୁତ୍, ଜନସ୍ୱାସ୍ଥ୍ୟ, ଅଗ୍ନିଶମ, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ବାତ୍ୟାରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହେଲେ ତୁରନ୍ତ ହଟାଇବା, ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇବା ଏବଂ ବିଦ୍ୟୁତ୍ ଓ ଜଳ ଯୋଗାଣ ସ୍ୱାଭାବିକ କରିବା ଦିଗରେ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ। ଜନସାଧାରଣଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ପୌରପାଳିକା କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଜରୁରୀକାଳୀନ ସହାୟତା ପାଇଁ ନାଗରିକମାନେ ୦୬୮୬୬-୨୯୨୨୯୨ ନମ୍ବରରେ ଯୋଗାଯୋଗ କରିପାରିବେ। ବାତ୍ୟା ସମୟରେ କୌଣସି ଗୁଜବରେ ବିଶ୍ୱାସ ନକରି ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ସହ ଆବଶ୍ୟକସ୍ଥଳେ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପୌରପାଳିକା ପକ୍ଷରୁ ସହରବାସୀଙ୍କୁ ଅନୁରୋଧ କରାଯାଇଛି। ବୈଠକରେ ପୌରପାଳିକାର ଯନ୍ତ୍ରୀ, ସାନିଟାରୀ ଇନ୍ସପେକ୍ଟର, ୱାର୍ଡ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
