ଏକ ମୋବାଇଲ୍ ଚୋରକୁ ଧରିବାକୁ ଯାଇ ଭଦ୍ରକଜିଲ୍ଲା ବାସୁଦେବପୁରରେ ପୁରୀ ପୁଲିସର ଦୁଇ ଜଣ କନେଷ୍ଟବଳ ପ୍ରାଣ ହରାଇଛନ୍ତି
ଏକ ମୋବାଇଲ୍ ଚୋରକୁ ଧରିବାକୁ ଯାଇ ଭଦ୍ରକଜିଲ୍ଲା ବାସୁଦେବପୁରରେ ପୁରୀ ପୁଲିସର ଦୁଇ ଜଣ କନେଷ୍ଟବଳ ପ୍ରାଣ ହରାଇଛନ୍ତି। ଏହା ସହ ଜଣେ ଏସ୍ଆଇ ଓ ଗୃହରକ୍ଷୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନାରେ, ଶନିବାର ପୁରୀରେ ମୋବାଇଲ ମେଳା ଆୟୋଜନ ହେବାର ଥିଲା। ଜିଲ୍ଲାରେ ବିଭିନ୍ନ ମାମଲାରେ ଚୋରି ହୋଇଥିବା ମୋବାଇଲ ଫୋନ୍ ଉଦ୍ଧାର ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଏସ୍ପି ପ୍ରତୀକ ସିଂହ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଅସ୍ତରଙ୍ଗ ଥାନାର ଏକ ମୋବାଇଲ ଚୋରି ମାମଲାର ଅଭିଯୁକ୍ତକୁ ଧରିବା ପାଇଁ ଏସ୍ଆଇ ଦିବ୍ୟରଞ୍ଜନ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଭଦ୍ରକ ଯାଇଥିଲା। ଟିମ୍ରେ ସୁନ୍ଦରଗଡ଼ ନିବାସୀ କନେଷ୍ଟବଳ ଅଜୟ ବା, ଝାରସୁଗୁଡ଼ା ନିବାସୀ କନେଷ୍ଟବଳ ହିମାଂଶୁ ରାୟ ଓ ଗୃହରକ୍ଷୀ ଡ୍ରାଇଭର୍ ପ୍ରଶାନ୍ତ କୁମାର ଜେନା ଥିଲେ।
ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ଅଭିମୁଖେ ଗଲାବେଳେ ନାୟକାଣିଡିହି ଥାନା ଅନ୍ତର୍ଗତ ଧାମରା-ବାସୁଦେବପୁର ରାସ୍ତାର ବିରସ ନିକଟରେ ପୁଲିସ ଗାଡ଼ିକୁ ଏକ ଟ୍ରେଲର୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ କନେଷ୍ଟବଳ ଅଜୟଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ନାୟକାଣିଡିହି ପୁଲିସ ଅନ୍ୟମାନଙ୍କୁ ଉଦ୍ଧାର କରି କଟକ ସ୍ଥାନାନ୍ତର କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ କନେଷ୍ଟବଳ ହିମାଂଶୁ ଆଖି ବୁଜିଥିଲେ। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଗୃହରକ୍ଷୀ ପ୍ରଶାନ୍ତ ଏବେ ଏସ୍ସିବିର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ବାମ ଗୋଡ଼ର ଆଙ୍ଗୁଠି କଟିଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେହିପରି ଏସ୍ଆଇ ଦିବ୍ୟରଞ୍ଜନ ସାହୁଙ୍କ ଡାହାଣ ଗୋଡ଼ ଭାଙ୍ଗିବା ସହ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଛି। ଏସ୍ସିବିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲି ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡ଼ିଛି।
କର୍ତ୍ତବ୍ୟରତ ଅବସ୍ଥାରେ ପ୍ରାଣ ହରାଇଥିବା ଅଜୟଙ୍କୁ ଭଦ୍ରକରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ହିମାଂଶୁଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ପୁରୀ ଅଣାଯାଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ତାଙ୍କୁ ମଧ୍ୟ ଗାର୍ଡ ଅଫ୍ ଅନର ଦିଆଯାଇଛି।
