November 12, 2026

ମାନୁନାହାନ୍ତି ବାଲି ମାଫିଆ, ପୁଣି ୩ଟି ବାଲି ବୋଝେଇ ହାଇୱା ଜବତ କଲା ପୋଲିସ..

IMG-20261112-WA0123
Share

 

 

 

ହାଟଡିହି ତା ୧୨/୧୧(ମନମୋହନ ନାୟକ) : ପ୍ରଶାସନର ଘନଘନ ଚଢ଼ାଉ, ପୋଲିସର କଡ଼ା ନଜର ଏବଂ ବାଲି ବୋଝେଇ ଗାଡ଼ି ଜବତ ସତ୍ତ୍ୱେ ବି ବାଲି ମାଫିଆଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନଥିବା ଭଳି ମନେ ହେଉଛି। ପ୍ରଶାସନର ଆଖିରେ ଧୂଳି ଦେଇ ପୁଣି ଜୋରସୋରରେ ଚାଲିଛି ବେଆଇନ ବାଲି ପରିବହନ। ଗତ ମଙ୍ଗଳବାର ରାତିରେ ପ୍ରଶାସନ, ଖଣି ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ୧୦ଟି ବାଲି ବୋଝେଇ ହାଇୱା ଜବତ ହୋଇଥିବା ବେଳେ ଏହାର ମାତ୍ର ଦିନକ ପରେ ପୁଣି ବେଆଇନ ବାଲି ପରିବହନ କରୁଥିବା ୩ଟି ହାଇୱାକୁ ଜବତ କରିଛି ନନ୍ଦିପଦା ଥାନା ପୋଲିସ। ସୂଚନା ଅନୁଯାୟୀ, ହାଟଡିହି ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ରୋକିବା ପାଇଁ ଗତ ମଙ୍ଗଳବାର ରାତିରେ ପ୍ରଶାସନ, ଖଣି ବିଭାଗ ଏବଂ ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ବେଆଇନ ଭାବେ ବାଲି ପରିବହନ କରୁଥିବା ୧୦ଟି ହାଇୱାକୁ ଧରିବାରେ ଅଧିକାରୀମାନେ ସଫଳ ହୋଇଥିଲେ। ତେବେ ଚଢ଼ାଉର ଖବର ପାଇ ଅନେକ ଗାଡ଼ି ଚାଳକ ଧରାପଡ଼ିବା ଭୟରେ ରାସ୍ତା ଉପରେ ବାଲି ଢାଳି ଦେଇ ଗାଡ଼ି ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଥିଲା। ଏତେ ବଡ଼ ଧରଣର ଚଢ଼ାଉ ପରେ ମଧ୍ୟ ବାଲି ମାଫିଆମାନେ ସତର୍କ ହେବା ପରିବର୍ତ୍ତେ ପୁଣି ବେଫିକର ଭାବେ ବେଆଇନ ବାଲି ପରିବହନ ଜାରି ରଖିଥିବା ଘଟଣା ଏବେ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାକୁ ନେଇ ପୋଲିସ ପକ୍ଷରୁ ମଧ୍ୟ ତଦନ୍ତ ଓ ଚଢ଼ାଉକୁ ଜୋରଦାର କରାଯାଇଛି। ଗତକାଲି ନନ୍ଦିପଦା ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଚଢ଼ାଉ କରି ୩ଟି ବାଲି ବୋଝେଇ ହାଇୱା ଜବତ କରିଛି। ସେହିପରି ଆନନ୍ଦପୁର ପୋଲିସ ମଧ୍ୟ ୨ଟି ବାଲି ବୋଝେଇ ହାଇୱା ଜବତ କରିଥିବା ସୂଚନା ମିଳିଛି। ଜବତ ହୋଇଥିବା ଗାଡ଼ିଗୁଡ଼ିକରେ ବାଲି ପରିବହନ ସମ୍ପର୍କିତ କୌଣସି ବୈଧ କାଗଜପତ୍ର ନଥିବାରୁ ନିୟମ ଅନୁଯାୟୀ ସେଗୁଡ଼ିକୁ ଜବତ କରାଯାଇଥିବା ସମ୍ପୃକ୍ତ ଥାନାର ଆଇଆଇସି ସୂଚନା ଦେଇଛନ୍ତି।

ତେବେ ଲଗାତାର ଦୁଇ ଦିନ ଧରି ପ୍ରଶାସନ ଓ ପୋଲିସର ଚଢ଼ାଉରେ ମୋଟ ୧୫ଟି ବାଲି ବୋଝେଇ ହାଇୱା ଜବତ ହେବା ଘଟଣା ବେଆଇନ ବାଲି କାରବାରର ଗମ୍ଭୀରତାକୁ ସାମ୍ନାକୁ ଆଣିଛି। ଏତେ ସଂଖ୍ୟକ ଗାଡ଼ି ଜବତ ହେବା ସତ୍ତ୍ୱେ ବାଲି ପରିବହନ କିପରି ଜାରି ରହିଛି, ଏହା ପଛରେ କେଉଁମାନଙ୍କର ହାତ ରହିଛି ଏବଂ ବେଆଇନ କାରବାରର ମୁଖ୍ୟ ସୂତ୍ରଧର କିଏ, ତାହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

You may have missed