ଆଗଲପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୁଭ ଉଦ୍ଘାଟନ
ବରପାଲି:(ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଆଗଲପୁରଠାରେ ନବସ୍ଥାପିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୁଭ ଉଦ୍ଘାଟନ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବରପାଲି ବ୍ଲକର ପ୍ରଥମ ପୂର୍ଣ୍ଣାଙ୍ଗ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଏହି ଶିକ୍ଷାନୁଷ୍ଠାନର ଶୁଭାରମ୍ଭ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏହାଦ୍ୱାରା ଆଗଲପୁର ସମେତ ଆଖପାଖ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଲାଭ କରିବାର ସୁଯୋଗ ପାଇପାରିବେ।ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ଉଦ୍ଘାଟନୀ ସଭା ଆୟୋଜିତ ହୋଇଥିଲା। ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ ପଣ୍ଡା ସଭାପତିତ୍ୱ କରିଥିବାବେଳେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ବିଦ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୂଏ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁକାନ୍ତ ପ୍ରଧାନ, ବରପାଲି ବ୍ଲକ ଶିକ୍ଷା ଅଧିକାରୀ ଆଲୋକ ପ୍ରଧାନ ଏବଂ ଆଗଲପୁର ସରପଞ୍ଚ ରିଙ୍କି ଭୋଇ ଯୋଗଦେଇଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରାଯାଇଥିବାବେଳେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ମାଧ୍ୟମରେ ସଭାକାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ବିଧାୟକ ସନତ କୁମାର ଗଡ଼ତିଆ ଶିକ୍ଷାକୁ ସମାଜର ପ୍ରଗତି ଓ ବିକାଶର ମୂଳ ଆଧାର ଭାବେ ବର୍ଣ୍ଣନା କରିବା ସହ ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଶିକ୍ଷାନୁଷ୍ଠାନ ଆଗାମୀ ଦିନରେ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଦିଗରେ ଆଗେଇ ନେବା ସହ ସେମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୂଏ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଶୃଙ୍ଖଳା, ନିୟମିତ ଉପସ୍ଥାନ ଏବଂ ଶିକ୍ଷକ-ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରହିବାର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଆଲୋକ ପ୍ରଧାନ ଓ ପରିଚାଳନା କମିଟିର ସଭାପତି ସୁକାନ୍ତ ପ୍ରଧାନ ଏବଂ ସରପଞ୍ଚ ରିଙ୍କି ଭୋଇ ମଧ୍ୟ ବିଦ୍ୟାଳୟର ଉନ୍ନତି ଓ ଶିକ୍ଷାର ପ୍ରସାର ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଆଗଲପୁରଠାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆରମ୍ଭ ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହା ଫଳରେ ଦୂରଦୂରାନ୍ତକୁ ଯାଇ ପାଠ ପଢ଼ିବାରେ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା କମିବା ସହ ଅଭିଭାବକମାନଙ୍କ ମଧ୍ୟରେ ମଧ୍ୟ ଆଶା ଓ ଉତ୍ସାହ ସୃଷ୍ଟି ହୋଇଛି ବୋଲି ଛାତ୍ରୀ କାଜଲ ଅଗ୍ରୱାଲ କହିଥିଲେ । ଏହି ନୂତନ ଶିକ୍ଷାନୁଷ୍ଠାନ କେବଳ ଆଗଲପୁର ନୁହେଁ, ବରଂ ସମଗ୍ର ବରପାଲି ବ୍ଲକର ଶିକ୍ଷାଗତ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉପସ୍ଥିତ ଅତିଥି ଓ ଅଞ୍ଚଳବାସୀ ଆଶା ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମକୁ ଶିକ୍ଷକ ତାପସ ପାଢ଼ୀ ପରିଚାଳନା କରିଥିବାବେଳେ ଶିକ୍ଷକ ଅଶୋକ ନାରଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଗ୍ରାମର ଗୌନ୍ତିଆ ନୃପରାଜ ବେହେରା, ଜ଼ିଲ୍ଲା ପରିଷଦ ସଭ୍ୟ ଅନନ୍ତ ସେଠ୍, ଗୋବିନ୍ଦ ଜୁଆଡ଼ି, ପବିତ୍ର ବାଗ, ରୁକୁଣି ରାଉତ, ପୂର୍ବତନ ଶିକ୍ଷକ ସଚ୍ଚିଦାନନ୍ଦ ସାହୁ, ଫଗୁନୁ ଚାଉଁର, ପ୍ରକାଶ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅଞ୍ଚଳ ର ବଳରାମ ବିଶ୍ୱାଳ, ନୃପରାଜ ବେହେରା, ଶେଷ ବିଶ୍ୱାଳ, ସୁବିନ୍ଦ ଜୁଆଡ଼ି,ଲିଙ୍ଗରାଜ ବିଶ୍ୱାଳ, ଡୁଗୁରୁ ବେହେରା,ଗୋପାଳ ଭୋଇ, କେଶବ ରାଉତ, ରାଧେଶ୍ୟାମ ମିଶ୍ର ସହିତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
