November 12, 2026

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ CPR ଓ ଜରୁରୀକାଳୀନ ପରିଚାଳନା ପ୍ରଶିକ୍ଷଣ ଶିବିର

IMG-20261112-WA0096
Share

 

ପୁରୀ: ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର NSS Co-Unit ପକ୍ଷରୁ ହୃଦ୍‌-ଶ୍ୱାସକ୍ରିୟା ପୁନରୁଦ୍ଧାର (CPR) ଓ ଜରୁରୀକାଳୀନ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ଭୁବନେଶ୍ୱରସ୍ଥିତ ସେଣ୍ଟ ଜନ୍ ଆମ୍ବୁଲାନ୍ସର ପ୍ରଶିକ୍ଷକ ଡଃ ଯଶୋବନ୍ତ ନାରାୟଣ ଜେନା ଏବଂ ଶ୍ରୀ ବିଶ୍ୱନାଥ କୁଅଁର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ CPR ପ୍ରଦାନର ପଦ୍ଧତି, ପ୍ରାଥମିକ ଚିକିତ୍ସା, ହୃଦ୍‌ଘାତ ଓ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ପ୍ରଦାନର କୌଶଳ ବିଷୟରେ ତାତ୍ତ୍ୱିକ ଓ ବ୍ୟବହାରିକ ପ୍ରଶିକ୍ଷଣ ଦେଇଥିଲେ। ଏହି ଶିବିରରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ ବିପିନ ବିହାରୀ ଖୁଣ୍ଟିଆ ଯୋଗଦେଇ ଏଭଳି ଜୀବନ ରକ୍ଷାକାରୀ ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ନିଜର ମତାମତ ରଖିଥିଲେ। ସେ କହିଥିଲେ ଯେ, ଜଣେ ଚିକିତ୍ସା ବିଦ୍ୟାର୍ଥୀ କେବଳ ରୋଗ ଚିହ୍ନଟ ଓ ଚିକିତ୍ସାରେ ସୀମିତ ନ ରହି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଓ ସଠିକ୍ ପଦକ୍ଷେପ ନେବାରେ ମଧ୍ୟ ଦକ୍ଷ ହେବା ଆବଶ୍ୟକ। ଏପରି ପ୍ରଶିକ୍ଷଣ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ, ସେବା ମନୋଭାବ ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି କରିବା ସହ ଭବିଷ୍ୟତରେ ଅମୂଲ୍ୟ ଜୀବନ ରକ୍ଷା କରିବାରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

NSS କାର୍ଯ୍ୟକ୍ରମ ଅଧିକାରୀ ଡଃ ଜସ୍ମିତା ପ୍ରିୟଦର୍ଶିନୀ ଶିବିରର ଆୟୋଜନ ଓ ପରିଚାଳନା କରିବା ସହ ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଏବଂ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଜରୁରୀକାଳୀନ ପରିସ୍ଥିତିରେ ସଠିକ୍ ସମୟରେ CPR ଓ ପ୍ରାଥମିକ ଚିକିତ୍ସା ପ୍ରଦାନ କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇ ହେବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଜୀବନ ରକ୍ଷାକାରୀ ଦକ୍ଷତା ବିକଶିତ କରିବା ସହ ସମାଜ ପ୍ରତି ସେମାନଙ୍କର ସେବା ମନୋଭାବକୁ ସୁଦୃଢ଼ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed