November 13, 2026

ବିଜେପୁର ମଧ୍ୟପଡ଼ା କଲ୍ୟାଣ ମଣ୍ଡପର ଉପର ମହଲା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

IMG-20261112-WA0035
Share

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୪୨ ଲକ୍ଷ ୮୮ ହଜାର ଟଙ୍କା ମଞ୍ଜୁର

ବରପାଲି : (ସୁଦାମ ଦୀପ)ବରଗଡ଼ ଜିଲ୍ଲା ବିଜେପୁର ସହରର ମଧ୍ୟପଡ଼ାଠାରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପର ଉପର ମହଲା ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ମାଣ କାର୍ଯ୍ୟ ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଏକ ଆବଶ୍ୟକତା ପୂରଣ ହେବା ସହ ସାମାଜିକ, ସାଂସ୍କୃତିକ ଓ ସାମୂହିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅଧିକ ସୁବିଧା ଉପଲବ୍ଧ ହୋଇପାରିବ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଧାୟକଙ୍କ ସମେତ ଉପସ୍ଥିତ ଅତିଥିମାନେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ଏହି ଅବସରରେ ବିଧାୟକ ସନତ କୁମାର ଗଡ଼ତିଆ ସୂଚନା ଦେଇଥିଲେ ଯେ, ମଧ୍ୟପଡ଼ା କଲ୍ୟାଣ ମଣ୍ଡପର ଉପର ମହଲା ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୪୨ ଲକ୍ଷ ୮୮ ହଜାର ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ଏହି ଅନୁଦାନର ସଠିକ୍ ବିନିଯୋଗ ଦ୍ୱାରା ମଣ୍ଡପର ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସହ ଜନସାଧାରଣଙ୍କୁ ବିଭିନ୍ନ ସାମାଜିକ ଓ ଶୁଭକାର୍ଯ୍ୟ ଆୟୋଜନରେ ସହାୟତା ମିଳିବ। ବିଧାୟକ ନିଜ ଅଭିଭାଷଣରେ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିନୋଟି ବ୍ଲକ ଯଥା ବିଜେପୁର ବରପାଲି ଏବଂ ଗାଇସିଲେଟ ବ୍ଲକ ର ସମାନ ଓ ସନ୍ତୁଳିତ ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ। କୌଣସି ଅଞ୍ଚଳକୁ ଅବହେଳା ନକରି ସମସ୍ତ ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ବିକାଶମୂଳକ କାର୍ଯ୍ୟ କରାଯିବା ଉଚିତ ବୋଲି ସେ ମତପ୍ରକାଶ କରିଥିଲେ।ଏହି ଅବସରରେ ସମାଜ ପକ୍ଷରୁ ବିଧାୟକ ସନତ କୁମାର ଗଡ଼ତିଆଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ବିଶ୍ୱାଳ, ଶରତ ବିଶି, ବିଜେପି ରାଜ୍ୟ ପରିଷଦ ସଭ୍ୟ ଜନାର୍ଦ୍ଦନ ପାଣିଗ୍ରାହୀ, ମହେଶ ଦେବତା, ୱାର୍ଡ କାଉନସିଲର ସମାରି ମେହେର, ଶିବ ମେହେର, ଘୁଡ଼କୁ ମେହେରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଜିତେନ୍ଦ୍ରୀୟ ମେହେର ସୁଚାରୁ ରୂପେ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ମଧ୍ୟପଡ଼ା କଲ୍ୟାଣ ମଣ୍ଡପର ଉନ୍ନତୀକରଣ ଦ୍ୱାରା ଆଗାମୀ ଦିନରେ ବିଜେପୁରବାସୀଙ୍କୁ ଅଧିକ ସୁବିଧା ମିଳିବା ସହ ଅଞ୍ଚଳର ସାମୂହିକ ଉନ୍ନତିରେ ଏହା ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ଉପସ୍ଥିତ ଲୋକେ ଆଶା ପ୍ରକାଶ କରିଥିଲେ।