November 10, 2026

ଶାନ୍ତନୁ ଜେନା ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତାରୋକ, ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବି..

IMG-20261110-WA0107
Share

 

ହାଟଡିହି ତା ୧୦/୧୧(ମନମୋହନ ନାୟକ) : ଯୁବକ ଶାନ୍ତନୁ ଜେନାଙ୍କ ମୃତ୍ୟୁ ଘଟଣାକୁ ନେଇ ଅଁରା ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ହତ୍ୟା ଅଭିଯୋଗରେ ସମସ୍ତ ସମ୍ପୃକ୍ତଙ୍କୁ ଗିରଫ ଦାବିରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ। ଫଳରେ ଓରାଳି-ଶାଳଣିଆଁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଅଁରା ଗ୍ରାମର ଶାନ୍ତନୁ ଜେନାଙ୍କ ମୃତଦେହ ଗତକାଲି ସକାଳେ ଅଁରାରୁ ବୃନ୍ଦାବନପୁର ଯାଇଥିବା ରାସ୍ତାକଡ଼ରେ ଥିବା ଏକ ପରିତ୍ୟକ୍ତ ଆବର୍ଜନା ସ୍ଥାନରୁ ଉଦ୍ଧାର ହୋଇଥିଲା। ତାଙ୍କୁ ତୁରନ୍ତ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

ମୃତ ଶାନ୍ତନୁଙ୍କ ମା’ ପ୍ରମିଳା ଜେନାଙ୍କ ଅଭିଯୋଗ ଅନୁଯାୟୀ, ରବିବାର ସନ୍ଧ୍ୟାରେ ଗ୍ରାମର ଧବଳେଶ୍ୱର ଆୟଚ ଓରଫ ଭୋଳା, ବାପୁଜୀ ଜେନା, ଲାଲୁ ପରିଡ଼ା ଓ ସନ୍ତୋଷ ରାଜ ତାଙ୍କ ଘରକୁ ଆସି ଭୋଜି କରିବା ପାଇଁ ଶାନ୍ତନୁଙ୍କୁ ଡାକି ନେଇଥିଲେ। ଏହାପରେ ସେ ଆଉ ଘରକୁ ଫେରିନଥିଲେ। ସୋମବାର ସକାଳେ ଭୋଳା ଫୋନ୍ କରି ଶାନ୍ତନୁ ଗାଁ ମୁଣ୍ଡରେ ପଡ଼ିଥିବା ଖବର ଦେଇଥିଲେ। ଶାନ୍ତନୁଙ୍କ ଶରୀରରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଆବର୍ଜନା ସ୍ଥାନରେ ଫିଙ୍ଗି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରିଥିଲେ । ଏନେଇ ନନ୍ଦିପଦା ଥାନାରେ ୪୦୦/୨୦୨୬ ନମ୍ବରରେ ମାମଲା ରୁଜୁ ହୋଇଥିଲା । ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଚଳାଇଥିବା ବେଳେ ଭୋଳାଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରିଥିଲେ । ଅନ୍ୟପକ୍ଷରେ, ଘଟଣାରେ ଅନ୍ୟ ସମ୍ପୃକ୍ତ ଯୁବକ ମାନଙ୍କୁ ଏଯାଏଁ ଗିରଫ କରାଯାଇନଥିବା ଅଭିଯୋଗ କରି ପରିବାର ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଗ୍ରାମରେ ବ୍ୟାପକ ଚୋରା ମଦ ବିକ୍ରି ହେଉଥିଲେ ମଧ୍ୟ ଏହାକୁ ରୋକିବାରେ ପ୍ରଶାସନ ବିଫଳ ହୋଇଥିବା ନେଇ ମଧ୍ୟ ସେମାନେ ଅଭିଯୋଗ ଆଣିଥିଲେ। ଗତ କିଛିଦିନ ଭିତରେ ଗାଁ ରେ ମଦ ପିଇ ଏକାଧିକ ଲୋକଙ୍କ ମୃତ୍ୟୁ ଘଟି ଥିବାରୁ ଚୋରା ମଦ ବିକ୍ରୀ ଉପରେ ରୋକ ଲଗାଇବାକୁ ସେମାନେ ଦାବି କରିଛନ୍ତି। ଆଜି ମୃତଦେହ ବ୍ୟବଚ୍ଛେଦ ହୋଇ ଆନନ୍ଦପୁର ଡାକ୍ତରଖାନାରୁ ଘରକୁ ଫେରୁଥିବା ସମୟରେ ପରିବାର ଲୋକେ ଓ ଗ୍ରାମବାସୀ ଓରାଳି ଶାଳନିଆଁ ରାସ୍ତାର ଅଁରା ଛକ ନିକଟରେ ମୃତଦେହ ରଖି ଟାୟାର ଜାଳି ରାସ୍ତାରୋକ କରିଥିଲେ। ଫଳରେ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା। ଖବର ପାଇ ହାଟଡିହିର ଅତିରିକ୍ତ ତହସିଲଦାର ଓ ନନ୍ଦିପଦା ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନର ବୁଝାସୁଝା ପରେ ଅପରାହ୍ନ ପ୍ରାୟ ୪ଟାରେ ରାସ୍ତାରୋକ ହଟିଥିଲା। ଆଜି ଅପରାହ୍ନରେ ପୋଲିସ ଧବଳେଶ୍ୱର ଆୟଚ (ଭୋଳା) କୁ ଗିରଫ କରି କୋର୍ଟ ଚାଲାଣ କରିଛି।