ବିଶିଷ୍ଟ ଶିକ୍ଷାବିତ୍ ଓ ସମ୍ବଲପୁରୀ କବି ଗୁରୁ ଜୟଦେବ ଡନସେନାଙ୍କ ପରଲୋକ
୯୧ ବର୍ଷରେ ଜୀବନଯାତ୍ରାର ଅବସାନ, ଶିକ୍ଷା ଓ ସାହିତ୍ୟ ଜଗତରେ ଶୋକର ଛାୟା
ସମ୍ବଲପୁର, ୧୦/୧୧: ପଶ୍ଚିମ ଓଡ଼ିଶାର ଶିକ୍ଷା, ସମ୍ବଲପୁରୀ ଭାଷା-ସାହିତ୍ୟ ଓ ଯୋଗ ସାଧନା କ୍ଷେତ୍ରର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ, ବର୍ଷିୟାନ ଶିକ୍ଷାବିତ୍, ପ୍ରଖ୍ୟାତ ସମ୍ବଲପୁରୀ କବି ତଥା ଯୋଗାଚାର୍ଯ୍ୟ ଗୁରୁ ଜୟଦେବ ଡନସେନାଙ୍କର ୯୧ ବର୍ଷ ବୟସରେ ପରଲୋକ ଘଟିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ତାଙ୍କ ମଝିଆ ପୁଅ ପ୍ରବାସ ଦଣ୍ଡସେନାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶାର ଶିକ୍ଷା, ସାହିତ୍ୟ ଓ ସାଂସ୍କୃତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।ଗୁରୁ ଦଣ୍ଡସେନା ଜଣେ ଇଂରାଜୀ ପ୍ରଫେସର ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ନିଜର ଅଧ୍ୟୟନ, ଅଧ୍ୟାପନା ଓ ପ୍ରଶାସନିକ ଦକ୍ଷତା ବଳରେ ସେ ସୋନପୁର କଲେଜର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ଏହା ବ୍ୟତୀତ ସମ୍ବଲପୁରସ୍ଥିତ ନେହେରୁ ଯୁବ କେନ୍ଦ୍ରର ସମନ୍ୱୟକାରୀ ଭାବେ କାର୍ଯ୍ୟ କରି ଯୁବ ସମାଜର ସାମାଜିକ ଓ ସାଂସ୍କୃତିକ ଜାଗରଣ ସହ ଜଡ଼ିତ ରହିଥିଲେ। ଜଣେ ଶିକ୍ଷାବିତ୍ ଭାବେ ତାଙ୍କର ଅଭିଜ୍ଞତା ଓ ଶିକ୍ଷା ପ୍ରତି ନିଷ୍ଠା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।ଶିକ୍ଷାଦାନ ସହିତ ସାହିତ୍ୟ ସାଧନା ଥିଲା ତାଙ୍କ ଜୀବନର ଅନ୍ୟତମ ପରିଚୟ। ସମ୍ବଲପୁରୀ ଭାଷାର ଜଣେ ପ୍ରତିଷ୍ଠିତ କବି ଭାବେ ସେ ନିଜର ସୃଜନଶୀଳତାର ପରିଚୟ ଦେଇଥିଲେ। ତାଙ୍କର ଘୁଟା କୁହୁଁ କୁହୁଁ କବିତା ଓ ଶରଧା ଫୁଲ ଊଂଜଲେ ସମ୍ବଲପୁରୀ ସାହିତ୍ୟ ସଂକଳନ ସହିତ ଚର୍ଚ୍ଚିତ କବିତା ସଂକଳନ ୟୁଲିସିସ୍ ଆଉ ସାଲେଗ୍ରାମ, ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହି ସଂକଳନର ଶୀର୍ଷକରୁ ହିଁ ତାଙ୍କ ସାହିତ୍ୟିକ ଚିନ୍ତନ ଓ ଭାବନାର ବ୍ୟାପକତା ପ୍ରତିଫଳିତ ହୁଏ।ଏହା ବ୍ୟତୀତ ତାଙ୍କର ଅନେକ ସାହିତ୍ୟ ରଚନା ଲୋକଲୋଚନକୁ ଆସିନଥିଲେ ମଧ୍ୟ ସେ ଜଣେ କାଳଜୟୀ ପ୍ରବୀଣ ସାହିତ୍ୟିକ, ଏହାକୁ କେହି ଅସ୍ବୀକାର କରିବେ ନାହିଁ।ସମ୍ବଲପୁରୀ ଭାଷାକୁ କେବଳ ଦୈନନ୍ଦିନ କଥୋପକଥନର ମାଧ୍ୟମ ଭାବେ ନୁହେଁ, ବରଂ ଗଭୀର ଚିନ୍ତନ, ଆଧୁନିକ ଭାବନା ଓ ସାହିତ୍ୟିକ ଅଭିବ୍ୟକ୍ତିର ଏକ ସମୃଦ୍ଧ ମାଧ୍ୟମ ଭାବେ ପ୍ରତିଷ୍ଠା କରିବାରେ ତାଙ୍କ ଭଳି ସାରସ୍ୱତ ସାଧକଙ୍କ ଭୂମିକା ସ୍ମରଣୀୟ।ଗୁରୁ ଡନସେନା ଜଣେ ଯୋଗାଚାର୍ଯ୍ୟ ଭାବେ ମଧ୍ୟ ପରିଚିତ ଥିଲେ। ଶରୀର ଓ ମନର ସୁସ୍ଥତା ପାଇଁ ଯୋଗର ଗୁରୁତ୍ୱ ତଥା ଆଧ୍ୟାତ୍ମିକ ଚେତନାର ଆବଶ୍ୟକତାକୁ ସେ ନିଜ ଜୀବନରେ ଗୁରୁତ୍ୱ ଦେଇଥିଲେ। ଶିକ୍ଷା, ସାହିତ୍ୟ, ଯୋଗ ଓ ସମାଜସେବାର ଏହି ସମନ୍ୱିତ ବ୍ୟକ୍ତିତ୍ୱ ତାଙ୍କୁ ବହୁମୁଖୀ ପ୍ରତିଭାର ଅଧିକାରୀ କରିଥିଲା।ତାଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶା ଜଣେ ଅଭିଜ୍ଞ ଶିକ୍ଷାବିତ୍, ସମ୍ବଲପୁରୀ ଭାଷାର ଜଣେ ସାଧକ ଓ ଯୋଗ ଜଗତର ଜଣେ ପରିଚିତ ଗୁରୁଙ୍କୁ ହରାଇଛି। ତାଙ୍କର ଜ୍ଞାନ, ଅନୁଭବ, ସାହିତ୍ୟ ସାଧନା ଓ ସମାଜ ପ୍ରତି ଅବଦାନ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର,ଡାକ୍ତର ଜୟଦେବ ମେହେର,ଡାକ୍ତର ରାଜାରାମ ଷଡ଼ଙ୍ଗୀ ଗୁରୁ ଡନସେନାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ଚିରଶାନ୍ତି ଓ ସଦ୍ଗତି କାମନା କରିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
