ଅବ୍ଯବସ୍ଥାରେ ବୁଗୁଡା ଇନଡୋର ଷ୍ଟାଡିୟମ ,କ୍ରୀଡାପ୍ରେମୀଙ୍କ ଅସନ୍ତୋଷ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ବୁଗୁଡ଼ା : ତା ୧୦/୧୧/୨୬ : ଗତ ୨୩ ଫେବୃୟାରୀ ୨୦୨୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଥିବା କୋଟି କୋଟି ଟଙ୍କାରେ ନିର୍ମିତ ସ୍ଥାନୀୟ ବିଜୁ ପଟ୍ଟନାୟକ ବହୁମୂଖୀ ଇନଡୋର ଷ୍ଟାଡିୟମର ଅବସ୍ଥା ସମ୍ପ୍ରତି ଲଜ୍ଜାଜନକ ପରିସ୍ଥିତିରେ ରହିଛି । ଦିନବେଳା ସୂର୍ଯ୍ୟାଲୋକରେ ଷ୍ଟାଡିୟମର ବାହ୍ଯ ଦୃଶ୍ୟ ଖରାପ ଲାଗୁନଥିଲେ ହେଁ ରାତିରେ ପାଚେରୀ କଡେ କଡେ ଥିବା ୧୨ଟି ଲାଇଟ୍ ପୋଷ୍ଟ କାମ କରୁନଥିବାରୁ ଭଲ ଲାଗୁନାହିଁ । ଏଥି ସହ ଷ୍ଟାଡିୟମର ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଗନ୍ଧ ପାଣି ଜମିରହି ଘୁଷୁରି ଗାଡିଆ ସୃଷ୍ଟି ହୋଇଛି। ଏଇତ ଗଲା ଷ୍ଟାଡିୟମର ବାହ୍ଯାବସ୍ଥା, ଭିତର ଅବସ୍ଥା କହିଲେ ନ ସରେ। ଭିତରେ ୪୪ଟି ଲାଇଟ୍ ମଧ୍ୟରୁ ମାତ୍ର ୪ଟି ଲାଇଟ୍ ଜଳୁଥିବାରୁ ଅନ୍ଧାରିଆ ଦେଖାଯାଉଛି। ଫଳରେ ବ୍ଯାଡମିଣ୍ଟନ ଖେଳ ସୁଖପ୍ରଦ ହୋଇ ପାରୁନଥିବାରୁ ଖେଳାଳୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏଥି ସହ ବ୍ଯାୟାମ ଉପକରଣଗୁଡିକ ଭାଙ୍ଗିରୁଜି କୌଣସି କାମରେ ଲାଗୁନାହିଁ। ଅନ୍ଯପକ୍ଷରେ ପୁରୁଷଙ୍କ ଓ୍ବାସରୁମର ପାଣି ପାଇପଗୁଡିକ ନଷ୍ଟ ହୋଇଯାଇଥିବାରୁ ତାହା ବ୍ଯବହାର ଅନୁପଯୋଗୀ ହୋଇପଡିଥିବା ବେଳେ ଆବଶ୍ୟକୀୟ ମରାମତି ଅଭାବରୁ ବର୍ଷା ହେଲେ ଷ୍ଟାଡିୟମ ଭିତରେ ଉପରୁ ପାଣି ଗଳୁଛି। ଏହି ଇନଡୋର ଷ୍ଟାଡିୟମର ଏତାଦୃଶ୍ୟ ଶୋଚନୀୟ ଅବସ୍ଥା ନେଇ ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୋଣସି ସୁଫଳ ମିଳୁନାହିଁ। ଫଳରେ ପୂର୍ବରୁ ଖେଳ ଏବଂ ବ୍ଯାୟାମ ପାଇଁ ଏଠାକୁ ଆସୁଥିବା ବ୍ଯକ୍ତିଙ୍କ ସଂଖ୍ଯା ଯଥେଷ୍ଟ ହ୍ରାସ ପାଇଛି। ଯେଉଁ ଉଦ୍ଦେଶ୍ଯରେ ଏହି ଇନଡୋର ଷ୍ଟାଡିୟମଟି ନିର୍ମାଣ କରାଯାଇଥିଲା ତାହା ଏବେ ସେହି ଦିଗରେ କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଅଞ୍ଚଳର କ୍ରୀଡାପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଣୁ, ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏହି ଇନଡୋର ଷ୍ଟାଡିୟମର ଦୂରବସ୍ଥା ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରତିକାର ବ୍ଯବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
