ପ୍ରଶାସନର ଦୃଷ୍ଟି ଆଢୁଆଳରେ ଚନ୍ଦ୍ରଗିରି ନୋଡାଲ ସ୍କୁଲ
ମୋହନା, 05/11: ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଓ ଭିତ୍ତିଭୂମିର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଅନ୍ୟପଟେ ପ୍ରଶାସନିକ ଅବହେଳା ଓ ଉଦାସୀନତା ଯୋଗୁଁ ଅନେକ ବିଦ୍ୟାଳୟରେ ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ହୋଇ ରହିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଗଜପତି ଜିଲ୍ଲା ମୋହନା ବ୍ଲକ୍ର ଚନ୍ଦ୍ରଗିରିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ନୋଡାଲ ସ୍କୁଲ)।
ମୋହନା ବ୍ଲକ୍ର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ଏହି ଶିକ୍ଷାନୁଷ୍ଠାନରେ ବର୍ତ୍ତମାନ ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ହେଲେ ଏତେ ସଂଖ୍ୟକ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖାଇବାକୁ ସ୍ୱତନ୍ତ୍ର କକ୍ଷଟିଏ ନାହିଁ। ଫଳରେ ଛାତ୍ରଛାତ୍ରୀ ଖୋଲା ପଡ଼ିଆରେ କିମ୍ବା ଗଛମୂଳେ ବସି ଭୋଜନ କରୁଛନ୍ତି। ବର୍ଷା ଓ ଖରାଦିନେ ଏହା ପିଲାଙ୍କ ପାଇଁ ଅତ୍ୟନ୍ତ ଅସୁବିଧାଜନକ ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁବିଧାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କେବଳ ମଧ୍ୟାହ୍ନ ଭୋଜନ କକ୍ଷ ନୁହେଁ, ବିଦ୍ୟାଳୟର ଭିତ୍ତିଭୂମି ମଧ୍ୟ ଦୟନୀୟ ଅବସ୍ଥାରେ ରହିଛି। ଦୀର୍ଘବର୍ଷ ହେଲା ପାଞ୍ଚଟି ଶ୍ରେଣୀଗୃହ ଅଧାପନ୍ତରିଆ ଭାବେ ନିର୍ମାଣ ହୋଇ ପଡ଼ିରହିଛି। ଅନ୍ୟପଟେ ବିଦ୍ୟାଳୟ ପରିସରରେ ପକ୍କା ପାଚେରୀ ନଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଗତ ତିତ୍ଲି ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଏକ କୋଠରୀ ଏବେ ମଧ୍ୟ ଅର୍ଦ୍ଧଭଗ୍ନ ଅବସ୍ଥାରେ ପଡ଼ିରହିଛି। ଏହାର ତୁରନ୍ତ ମରାମତି ନହେଲେ କୌଣସି ଅଘଟଣ ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ବିଦ୍ୟାଳୟର ମୁଖ୍ୟ ଫାଟକ ଦୀର୍ଘଦିନ ହେଲା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବାରୁ ବିଦ୍ୟାଳୟ ପରିସର ଅସୁରକ୍ଷିତ ହୋଇପଡ଼ିଛି। ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିଙ୍କ ଅନଧିକୃତ ପ୍ରବେଶର ଆଶଙ୍କା ରହିଛି। ଯେଉଁ ଶିକ୍ଷାନୁଷ୍ଠାନରେ ଶିଶୁଙ୍କ ଭବିଷ୍ୟତ ଗଢ଼ାଯିବା କଥା, ସେଠାରେ ସେମାନଙ୍କ ମୌଳିକ ସୁରକ୍ଷା ମଧ୍ୟ ନିଶ୍ଚିତ ହୋଇପାରୁନାହିଁ।
ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ସ୍ଥାନୀୟ ସରପଞ୍ଚଙ୍କ ପକ୍ଷରୁ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଛି। ଏପରିକି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି। ତଥାପି ଏଯାଏଁ କୌଣସି ଆଖିଦୃଶିଆ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟର ଏଭଳି ଦୁରବସ୍ଥାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷାର ବିକାଶ ନାଁରେ ବିଭିନ୍ନ ଯୋଜନା ହେଉଥିବା ବେଳେ ଏକ ପୁରାତନ ଶିକ୍ଷାନୁଷ୍ଠାନର ଏଭଳି ଅବହେଳିତ ଅବସ୍ଥା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠିଛି। ତୁରନ୍ତ ଅଧପନ୍ତରିଆ ଶ୍ରେଣୀଗୃହର ନିର୍ମାଣ ଶେଷ କରିବା, ମଧ୍ୟାହ୍ନ ଭୋଜନ କକ୍ଷ ନିର୍ମାଣ, ପକ୍କା ପାଚେରୀ ଓ ମୁଖ୍ୟ ଫାଟକ ନିର୍ମାଣ ସହ ଅର୍ଦ୍ଧଭଗ୍ନ କୋଠରୀର ମରାମତି କରିବାକୁ ଦାବି ହୋଇଛି। ନଚେତ୍ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
