June 15, 2026

ସମ୍ଵିଧାନକୁ ସାକ୍ଷୀ ରଖି ଜାତି, ଜାତକ, ଯୌତୁକ, ପୁରୋହିତ ଓ କର୍ମକାଣ୍ଡ ବିହୀନ ଆଦର୍ଶ ବିବାହ..

IMG-20251128-WA0021
Share

 

ସମ୍ଵିଧାନକୁ ସାକ୍ଷୀ ରଖି ବ୍ରହ୍ମପୁରର ବିଶିଷ୍ଟ ଲେଖିକା ଡଃ ବିଧୁପ୍ରଭା ରଥଙ୍କ କନ୍ୟା ପ୍ରୀତିପନ୍ନାଙ୍କର ଆନ୍ଧ୍ର ପ୍ରଦେଶ କାକିନାଡା ନିବାସୀ ବି. ନାଗଗୌରୀଙ୍କ ଜ୍ୟେଷ୍ଠ ପୁତ୍ର ଭାନୁ ତେଜାଙ୍କ ସହ ଆଦର୍ଶ ବିବାହ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ବରକନ୍ୟା ପରସ୍ପରକୁ ବରଣମାଳା ଦେଇ ନିଜର ଜୀବନସାଥୀ ଭାବେ ଗ୍ରହଣ କରିବା ସହ ସମ୍ଵିଧାନର ଆଧାରରେ ଏକ ଶପଥ ପାଠ କରିଥିଲେ । ଅଣ ପାରମ୍ପରିକ ଭାବେ ଅତ୍ୟନ୍ତ ସରଳ ଓ ନିରାଡମ୍ଵର ଭାବେ ଆୟୋଜିତ ଏହି ବିବାହ ଜାତି, ଜାତକ, ଯୌତୁକ, ପୁରୋହିତ ଓ କର୍ମକାଣ୍ଡରୁ ମୁକ୍ତ ଥିଲା । ବିବାହ ପାଇଁ କୌଣସି ମୁହୂର୍ତ୍ତ ଦେଖାଯାଇ ନଥିଲା କିମ୍ବା ପୁରୋହିତ, ହୋମ କିମ୍ବା ମନ୍ତ୍ରର ଆବଶ୍ୟକ ପଡିନଥିଲା । ଭିନ୍ନ ଭିନ୍ନ ଜାତିରୁ ଆସିଥିବା ବର କନ୍ୟା ସମସ୍ତଙ୍କ ସମ୍ମୁଖରେ ଶପଥ ପାଠ କରି ଆନ୍ତଃଜାତି ବିବାହ କରିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଉଭୟ ବରକନ୍ୟା ମଧ୍ୟ ରକ୍ତଦାନ କରିଥିଲେ । ବିଶିଷ୍ଟ ମନସ୍ତତ୍ତ୍ଵବିତ୍ ପ୍ରଫେସର ପ୍ରତାପ ରଥ ଉଭୟ ବରକନ୍ୟାଙ୍କୁ ଶପଥ ପାଠ କରାଇଥିଲେ । ଏଭଳି ଜାତି, ଜାତକ, ଯୌତୁକ, ପୁରୋହିତ ଓ କର୍ମକାଣ୍ଡ ବିହୀନ ନିରାଡମ୍ଵର ବିବାହ ସମାଜ ପାଇଁ ଉଦାହରଣ ଅଟେ ଏବଂ ଆଗାମୀ ଦିନରେ ଏଭଳି ବିବାହ କରିବାକୁ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ଆକୣଷ୍ଟ କରିବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ । ଆଜିର ବିବାହରେ ପ୍ରଫେସର ବିଷ୍ଣୁ ଚୌଧୁରୀ, ବିଜୟ ବହିଦାର, ପ୍ରଫୁଲ୍ଲ ସାମନ୍ତରା, ପ୍ରଫେସର ବି ରାମଚନ୍ଦ୍ର ପ୍ରମୁଖ ବୁଦ୍ଧିଜୀବୀ ଉପସ୍ଥିତ ରହି ବରକନ୍ୟାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହରର ଅନେକ ବୁଦ୍ଧିଜୀବୀ, ସାମାଜିକ ଓ ରାଜନୈତିକ କର୍ମୀ ତଥା ଉଭୟ ବରକନ୍ୟାଙ୍କ ପରିବାରର ଲୋକେ ତଥା ବନ୍ଧୁ ପରିଜନ ଯୋଗ ଦେଇଥିଲେ ।ମାନବବାଦୀ ଓ ହେତୁବାଦୀ ସଂଗଠନର କର୍ମକର୍ତ୍ତାମାନେ ଏଭଳି ବିବାହ କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ସହଯୋଗ କରିଥିବା ବେଳେ ଏଭିବିଡି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମକୁ ସହଯୋଗ କରାଯାଇଥିଲା ।