୨ଟି କାର ସହ ୩ ବସ୍ତା ଗଞ୍ଜେଇ ଜବତ, ୨ ଜଣ ଗିରଫ
ବୁଗୁଡା : ତା ୨୫/୦୮/୨୬ : ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗୀୟ ଅଧୀକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଫଳରେ ୨ଟି ଗଞ୍ଜେଇ ବୋଝେଇ ଦାମୀ କାର(ନଂ-ଓଡି-୦୨-ସିଇ ୦୭୫୨ ଏବଂ ଓଡି-୦୨-ଓ୍ବାଇ ୪୧୧୪)କୁ ଜବତ ସହ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ଗିରଫ ୨ଜଣ ହେଲେ ନୟାଗଡ ଜିଲ୍ଲା ଓଡଗାଁ ଅଞ୍ଚଳର ଭିକାରୀ ଚନ୍ଦ୍ର ନାୟକ (୪୨) ଓ ଗୌତମ ବୁଦ୍ଧ(୨୧)। ଏ ନେଇ ବୁଗୁଡା ଅବକାରୀ ଥାନା ପକ୍ଷରୁ କେସ୍ ନଂ ୮୦/୨୦୨୬-୨୭ରେ ଏକ ମାମଲା ରୁଜୁ ହୋଇଥିବା ଓଆଇସି ଜ୍ଯୋତି ରଞ୍ଜନ ସେନାପତିଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ମଙ୍ଗଳବାର ଦିନ କନ୍ଧମାଳରୁ ୩ଟି ବସ୍ତା ଗଞ୍ଜେଇ ବୋଝେଇ ହୋଇ ୨ଟି କାରରେ ଭୁବନେଶ୍ବରକୁ ଚାଲାଣ ହେଉଥିଲା। କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ଅବକାରୀ ବିଭାଗର ଏକ ଟିମ୍ ସକାଳ ପ୍ରାୟ ୧୦ଟା ସମୟରେ ଗୋଶାଳା ଫାୟାର ଷ୍ଟେସନ ଛକରେ କାର ୨ଟି ଉପରେ ଚଢାଉ କରି ୬୬ କି.ଗ୍ରା ଓଜନର ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ କରିଥିଲେ । ଉକ୍ତ ଚଢାଉ କାର୍ଯ୍ୟରେ ବୁଗୁଡା ଅବକାରୀ ଓଆଇସିଙ୍କ ସମେତ କନଷ୍ଟେବଲ କାମନା ବେହେରା, ସୁବଳ ପ୍ରଧାନ, କାହ୍ନୁ ନାହାକ, କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ସାମିଲ ଥିଲେ।
