November 28, 2026

ଦେଓପୁରରେ ପଞ୍ଚକୁଣ୍ଡି ଗାୟତ୍ରୀ ମହାଯଜ୍ଞ ଅନୁଷତ

IMG-20261123-WA0108
Share

**କୋଲନର।(ସଞ୍ଜିବ କଣ୍ଡାଗରୀ ): କାର୍ତ୍ତିକ ପୂର୍ଣ୍ଣିମା ମାସର ସମାପନ ଅବସରରେ ସୋମବାର ଦିନ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ଦେଓପୁର ଗ୍ରାମଠାରେ ପଞ୍ଚକୁଣ୍ଡି ଗାୟତ୍ରୀ ମହାଯଜ୍ଞ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଏକ ଭବ୍ୟ କଳସ ଯାତ୍ରା ଆୟୋଜିତ ହୋଇଥିଲା। ଦେଓପୁର ଗ୍ରାମର ମହିଳା ଓ ଶ୍ରଦ୍ଧାଳୁମାନେ କଳସ ଧାରଣ କରି ଖେଦାପଡ଼ା ସ୍ଥିତ ନଦୀକୁ ପବିତ୍ର ଜଳ ସଂଗ୍ରହ କରିବା ପାଇଁ ଯାଇଥିଲେ। ସେଠାରୁ ପବିତ୍ର ନଦୀଜଳ ସଂଗ୍ରହ କରି ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶରେ ଯଜ୍ଞସ୍ଥଳକୁ ଫେରିଥିଲେ। ଏହି କଳସ ଯାତ୍ରାରେ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆଧ୍ୟାତ୍ମିକ ଭାବନା ଦେଖିବାକୁ ମିଳିଥିଲା। ପରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ପୂଜାବିଧି ଅନୁଯାୟୀ ପଞ୍ଚକୁଣ୍ଡି ଗାୟତ୍ରୀ ମହାଯଜ୍ଞ ଆରମ୍ଭ ହୋଇଥିଲା। ଯଜ୍ଞସ୍ଥଳରେ ମନ୍ତ୍ରଧ୍ୱନି ଓ ହୋମଯଜ୍ଞ ଦ୍ୱାରା ସମଗ୍ର ଗ୍ରାମରେ ଏକ ପବିତ୍ର ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଗ୍ରାମର ବହୁ ଭଦ୍ରବ୍ୟକ୍ତି, ବରିଷ୍ଠ ବ୍ୟକ୍ତିବିଶେଷ ଓ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ସୁରେଶ ହିକକା, ଶିବ ହିକକା, ନିଳକଣ୍ଠ ମେଲେକା, ମାନସା ନିଶିକା, ଡାଳସିଂ ନିଶିକା, ସୁନ୍ଦରରାଓ କାଡ୍ରାକା, ରବିନ୍ଦ୍ର ହିକକା ଓ ରାମାସିଂ ନିଶିକା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ପୂର୍ବତନ ସରପଞ୍ଚ ପାନ ହିକକା, ସମାଜସେବୀ ଶ୍ରୀମତୀ ସଙ୍ଗୀତା ହିକକା, ଇଲାମା ହିକକା ଓ ସେବତୀ ପୁଲାକା ମଧ୍ୟ ଯୋଗଦେଇ କାର୍ଯ୍ୟକ୍ରମରେ ନିଜର ଉପସ୍ଥିତି ଜଣାଇଥିଲେ। ଯଜ୍ଞରେ ପୁରୋହିତ ଭାବେ ଦିନବନ୍ଧୁ ହିକକା, ଆଶିଷ ସାରାକା, ମଣି କାଡ୍ରାକା ଓ ଗୋପାଳ ମାଝୀ ଯୋଗଦେଇ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନଙ୍କ ସକ୍ରିୟ ସହଯୋଗରେ ଏହି ଧାର୍ମିକ ଆୟୋଜନ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। କାର୍ତ୍ତିକ ମାସର ଏହି ପବିତ୍ର ଅବସରରେ ଏଭଳି ଧାର୍ମିକ ଆୟୋଜନ ଗ୍ରାମବାସୀଙ୍କ ମଧ୍ୟରେ ଭକ୍ତିଭାବ, ଏକତା ଓ ସାମାଜିକ ସଦ୍‌ଭାବନାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହୋଇଛି।