November 27, 2026

ସରକାରୀ ମାନ୍ୟତା ସହ ଦରମା ବୃଦ୍ଧି ଦାବିରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ: ବରଗଡ଼ରେ ବିଶାଳ ବିକ୍ଷୋଭ, ଡିସେମ୍ବର ୧୪ରେ ବିଧାନସଭା ଘେରାଉ ଚେତାବନୀ….

IMG-20261121-WA0089
Share

ବରଗଡ଼, ୨୧/୧୧:ସରକାରୀ କର୍ମଚାରୀର ମାନ୍ୟତା, ମାସିକ ସର୍ବନିମ୍ନ ୩୫ ହଜାର ଟଙ୍କା ଦରମା ଏବଂ ସମାନ କାମକୁ ସମାନ ଦରମା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ପଶ୍ଚିମ ଓଡ଼ିଶାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ନିଜର ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ବରଗଡ଼ରେ ଏକ ବିଶାଳ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ସଂଘ ପକ୍ଷରୁ ବରଗଡ଼ ସରକାରୀ ବସ୍‌ଷ୍ଟାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଶତାଧିକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏକତ୍ରିତ ହୋଇ ନିଜର ଦାବି ପୂରଣ ପାଇଁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ସଂଘର ପ୍ରମୁଖ ଦାବି ମଧ୍ୟରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ମାସିକ ୩୫ ହଜାର ଟଙ୍କା ସର୍ବନିମ୍ନ ଦରମା, ସମାନ କାମକୁ ସମାନ ଦରମା, ସୁପରଭାଇଜର ପଦବୀରେ ୧୦୦ ପ୍ରତିଶତ ପଦୋନ୍ନତି ସୁଯୋଗ ଏବଂ SNP ଖାଦ୍ୟ ଯୋଗାଣ ଦର ବୃଦ୍ଧି ଆଦି ରହିଛି।ଏଥିସହିତ ୫୫ ବର୍ଷ ବୟସରେ କାର୍ଯ୍ୟଦକ୍ଷତା ସମୀକ୍ଷା ସମ୍ପର୍କିତ ସର୍କୁଲାର ପ୍ରତ୍ୟାହାର, ୬୨ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସେବା, ପେନ୍‌ସନ୍‌, ଗ୍ରାଚ୍ୟୁଇଟି ଓ ଅବସରକାଳୀନ ସୁରକ୍ଷା ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି। ପୋଷଣ ଟ୍ରାକର୍‌ରେ ନେଟୱର୍କ ସମସ୍ୟା ଯୋଗୁଁ ତଥ୍ୟ ଅପଲୋଡ୍‌ ହୋଇନପାରିଲେ କର୍ମୀଙ୍କ ପାରିଶ୍ରମିକ କାଟିବା ବନ୍ଦ କରିବା ସହ ୭ ଦିନିଆ ବିରତି ଓ ପୁନଃନିଯୁକ୍ତି ପ୍ରକ୍ରିୟାରେ ହେଉଥିବା ଅନିୟମିତତାର ତଦନ୍ତ ପାଇଁ ସଂଘ ଦାବି କରିଛି।ଏହି ବିକ୍ଷୋଭରେ ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘର ଆବାହକ ପ୍ରଶାନ୍ତ ପାଢ଼ୀ, ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢ଼ୀ, ଯୁଗ୍ମ ଆବାହକ ବାଳକୃଷ୍ଣ ଭୋଇ, ଜିଲ୍ଲା ସଭାନେତ୍ରୀ ରୁକ୍ମିଣୀ ଜୁଆଡ଼ି, ସମ୍ପାଦିକା ନିତମ୍ବିନୀ ଦାଶ , ବିନୟନୀ ଭୋଇ, ଅରୁଣା ସାହୁ, ସାଧବୀ ବିଶ୍ୱାଳ, ଲକ୍ଷ୍ମୀ ପଟ୍ଟନାୟକ, ସୁନିତା ହୋତା, ଅହଲ୍ୟା ପଣ୍ଡା, କଲ୍ୟାଣୀ ମେହେର, ଜସ୍ମିନ ରୋହିଦାସ, ଅହଲ୍ୟା ନାୟକ ଓ ନିରୁପମା ବାଞ୍ଛୋରେ ପ୍ରମୁଖ ସମେତ ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ବହୁ ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମିଲ ହୋଇଥିଲେ।ସଂଘ ପକ୍ଷରୁ ସରକାରଙ୍କୁ ଚୂଡ଼ାନ୍ତ ଚେତାବନୀ ଦିଆଯାଇ କୁହାଯାଇଛି ଯେ, ଦାବିଗୁଡ଼ିକର ସମାଧାନ ନହେଲେ ଆଗାମୀ ଡିସେମ୍ବର ୧୪ ତାରିଖରେ ବିଧାନସଭା ଘେରାଉ କରାଯିବ। ଏହା ପୂର୍ବରୁ ଜିଲ୍ଲାସ୍ତରରେ ଆନ୍ଦୋଳନ ଓ ଧାରଣାକୁ ଆହୁରି ତୀବ୍ର କରାଯିବ ବୋଲି ସଂଘ ଘୋଷଣା କରିଛି।ଅଙ୍ଗନବାଡ଼ି କର୍ମୀମାନେ କେବଳ ଦରମା ବୃଦ୍ଧି ନୁହେଁ, ବରଂ ନିଜର ସମ୍ମାନ, ଅଧିକାର, ସାମାଜିକ ସୁରକ୍ଷା ଓ ଭବିଷ୍ୟତର ସୁରକ୍ଷା ପାଇଁ ଏହି ଲଢ଼େଇ ଜାରି ରଖିବେ ବୋଲି ଦୃଢ଼ ମତ ପ୍ରକାଶ କରିଛନ୍ତି। ଏବେ ସରକାର ଏହି ଦାବିଗୁଡ଼ିକ ଉପରେ କି ପଦକ୍ଷେପ ନେଉଛନ୍ତି, ତାହାକୁ ନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ମଧ୍ୟରେ ଅପେକ୍ଷା ରହିଛି।