September 20, 2026

ଅଚାନକ ଝଡ଼ ବର୍ଷାରେ ବଡ଼ଧରଣର କ୍ଷୟକ୍ଷତି ବଡ଼ରମା ଘାଟି ତଳ ଅଞ୍ଚଳ ଓ ପଡ଼ିଆବାହାଲରେ ଉପୁଡ଼ିଲା ଗଛ, ଛିଣ୍ଡିଲା ୧୧ କେଭି ବିଦ୍ୟୁତ୍ ତାର; ଦେଢ଼ ଘଣ୍ଟା ଜାତୀୟ ରାଜପଥ ଅବରୋଧ

IMG-20260920-WA0026
Share

 

 

ସମ୍ବଲପୁର, ତା.୨୦।୦୯: ଶନିବାର ଅପରାହ୍ନରେ ଅଚାନକ ଆସିଥିବା ଝଡ଼, ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ସମ୍ବଲପୁର ଜିଲ୍ଲାର ବଡ଼ରମା ଘାଟି ତଳ ଅଞ୍ଚଳ ସମେତ ପଡ଼ିଆବାହାଲ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଓ ବିଜୁଳି ଘଡ଼ଘଡ଼ି ହୋଇଥିଲା। ଏଥିରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିବା ସହ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିଲା।

 

କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ କଦଳୀପାଲ ଛକ ନିକଟରେ ଝଡ଼ର ପ୍ରଭାବରେ ଏନ୍‌ଏଚ୍‌-୫୩ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ରାସ୍ତା ଉପରେ ପଡ଼ିଥିଲା। ତାରର ଏକ ଅଂଶ ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ଘର ଉପରେ ମଧ୍ୟ ପଡ଼ିଥିବା ଜଣାପଡ଼ିଛି। ଫଳରେ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇ ପ୍ରାୟ ଦେଢ଼ ଘଣ୍ଟା ଧରି ଟ୍ରାଫିକ୍ ଜାମ୍‌ ଲାଗି ରହିଥିଲା।ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛ ଓ ବିଦ୍ୟୁତ୍ ତାର ହଟାଇଥିଲା। ଏହାପରେ ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଥିଲା।ଅନ୍ୟପକ୍ଷରେ, ଅଚାନକ ଝଡ଼ବର୍ଷା ଓ ବଜ୍ରପାତର ପ୍ରଭାବରେ ଅଞ୍ଚଳର ବିଭିନ୍ନ ଗାଁରେ ଘରୋଇ ବୈଦ୍ୟୁତିକ ଉପକରଣ ନଷ୍ଟ ହୋଇଥିବା ଖବର ମିଳିଛି । ବିଭିନ୍ନ ଘରେ ଟେଲିଭିଜନ, ଫ୍ୟାନ୍‌, କୁଲର୍‌, ଏସି, ଇନ୍‌ଭର୍ଟର୍‌ ଆଦି ଉପକରଣ ପୋଡ଼ି ଯାଇଥିବାରୁ ଲୋକଙ୍କର ଆର୍ଥିକ କ୍ଷତି ଘଟିଛି।

 

ଝଡ଼ବର୍ଷା ପରେ ପଡ଼ିଆବାହାଲ ଓ ଏହାର ଆଖପାଖ ଅଞ୍ଚଳର ବହୁ ସ୍ଥାନରେ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିଲା। ବିଦ୍ୟୁତ୍ ତାର ଛିଣ୍ଡିବା ଓ ବିଦ୍ୟୁତ୍ ଖୁଣ୍ଟିରେ କ୍ଷତି ହେବା ଯୋଗୁଁ ଅନେକ ଅଞ୍ଚଳ ଅନ୍ଧାରରେ ରହିଥିଲା।

ଝଡ଼, ବଜ୍ରପାତ ଓ ପ୍ରବଳ ବର୍ଷା ସମୟରେ ସମସ୍ତେ ସତର୍କ ରୁହନ୍ତୁ। ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର, ଭାଙ୍ଗିଥିବା ବିଦ୍ୟୁତ୍ ଖୁଣ୍ଟି କିମ୍ବା ଜଳମଗ୍ନ ବିଦ୍ୟୁତ୍ ଲାଇନ୍‌ ନିକଟକୁ ଯାଆନ୍ତୁ ନାହିଁ ଏବଂ କୌଣସି ପରିସ୍ଥିତିରେ ଛିଣ୍ଡା ତାରକୁ ଛୁଅନ୍ତୁ ନାହିଁ। ବଜ୍ରପାତ ସମୟରେ ଖୋଲା ପଡ଼ିଆ, ଗଛତଳେ କିମ୍ବା ବିଦ୍ୟୁତ୍ ଖୁଣ୍ଟି ନିକଟରେ ଆଶ୍ରୟ ନନେଇ ସୁରକ୍ଷିତ ପକ୍କା ଘର ଭିତରେ ରହିବାକୁ ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜାଗୃତି ପକ୍ଷରୁ ସଚେତନ କରାଯାଇ ବିଦ୍ୟୁତ୍ ତାର ଛିଣ୍ଡିଥିବା ଦେଖିଲେ ତୁରନ୍ତ ବିଦ୍ୟୁତ୍ ବିଭାଗକୁ ସୂଚନା ଦେଇ ଅନ୍ୟମାନଙ୍କୁ ମଧ୍ୟ ସେହି ସ୍ଥାନରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି।